କାରଖାନାରୁ ନିର୍ଗତ ବିଷାକ୍ତ ପାଣି ପିଇ ୪ ଗାଈ ମୃତ

କାରଖାନାରୁ ନିର୍ଗତ ବିଷାକ୍ତ ପାଣି ପିଇ ୪ ଗାଈ ମୃତ

ଚଢ଼େଇଧରା: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଡଙ୍କାରୀ ସର୍କଲ ଅଧୀନ ସୁକୁଟିଝର ମୌଜାରେ ବିଷାକ୍ତ ପାଣି ପିଇ ୪ ଟି ଗାଈଙ୍କ ଜୀବନ ଯାଇଛି। ଏକାଧିକ ଗାଈ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ସୁକୁଟିଝର ମୌଜାରେ ଏଭରସେଣ୍ଡାଇ ନାମକ ଏକ କମ୍ପାନି ୩ ଏକରରୁ ଊର୍ଦ୍ଧ୍ବ ଜାଗାରେ ପାଚେରି କରି ନିଜର କାମ ଜାରି ରଖିଛି। ଲୋକପ୍ରତିନିଧି ଓ ସାଧାରଣ ଲୋକଙ୍କ ଅଭିଯୋଗ ଅନୁସାରେ ଏଭରସେଣ୍ଡାଇ ପ୍ଲାଣ୍ଟ ଭିତରୁ କିଛି ତରଳ ପଦାର୍ଥ ଆସି ନିକଟରେ ଖାଲୁଆ ଅଞ୍ଚଳରେ  ଥିବା ଜଳାଶୟରେ ମିଶିଥିଲା। କିଛି ସମୟ ମଧ୍ୟରେ ସେହି ମିଶ୍ରିତ ଜଳକୁ ଶନିବାର ମଧ୍ୟାହ୍ନରେ କିଛି ଗୋରୁ ପିଇ ଅସୁସ୍ଥ ହୋଇଥିଲେ। ଚାରିଟି ଗାଈ ପାଣି ପିଇବାର ୨୫/୩୦ ମିନିଟ ମଧ୍ୟରେ ମରିଯାଇଥିଲେ। ଆଉ କିଛି ଗାଈ ଗୁରୁତର ଅବସ୍ଥାରେ ପଡ଼ିରହିଥିଲେ। ଖବର ପାଇ ପ୍ରାଣୀ ଚିକିତ୍ସକଙ୍କ ଏକ ଟିମ୍‌ ପହଞ୍ଚି ଆହତ ଗୋରୁଙ୍କ ଚିକିତ୍ସା କରିଥିଲେ।

ପ୍ଲାଣ୍ଟରୁ ବାହାରିଥିବା ପାଣି ମିଶିବାରୁ ବାହାର ଜଳ ଦୂଷିତ ହୋଇଥିବା କଥାକୁ ପ୍ଲାଣ୍ଟରେ କାମ କରୁଥିବା କର୍ମଚାରୀ ଅସ୍ବୀକାର କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ସେଠାରେ କୌଣସି ତରଳ ପଦାର୍ଥ କିମ୍ବା ବିଷାକ୍ତ ଜିନିଷ ପ୍ରସ୍ତୁତ କରାଯାଉ ନାହିଁ। ଏସ୍‌.ସି.ବି ମେଡିକାଲ କଲେଜର ନୂତନ ଗୃହ ନିର୍ମାଣରେ ବ୍ୟବହୃତ ହେବା ଲାଗି ଲୁହା ଆଙ୍ଗେଲ ଓ ପ୍ଲେଟ୍‌ ୱେଲ୍‌ଡିଙ୍ଗ କରାଯାଉଛି।

ଅନ୍ୟପଟେ ସେଠାରେ କମ୍ପାନି କି କାମ କରୁଛି ସେ ବିଷୟରେ ସ୍ଥାନୀୟ ଲୋକଙ୍କୁ କିଛି ଜଣାନାହିଁ ବୋଲି ସ୍ଥାନୀୟ ପୁରୁଣା ବଉଳମାଳ ସରପଞ୍ଚ ଅଶୋକ ପରିଡ଼ା ଓ ସାହାଣୀଡିହ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ କହିଛନ୍ତି। ଗାଈ ମରିବା ଖବର ଜଣାପଡ଼ିବା ପରେ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସମେତ ଶତାଧିକ ଲୋକ କାରଖାନା ନିକଟରେ ଏକାଠି ହୋଇଥିଲେ। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜେନାପୁର ପୁଲିସ ପହଞ୍ଚି ମୃତ ଗୋରୁଙ୍କ ବ୍ୟବଚ୍ଛେଦ ଲାଗି ପ୍ରାଣୀ ଚିକିତ୍ସକଙ୍କ ନିକଟକୁ ପଠାଇଥିଲା। ସନ୍ଦେହ ହେଉଥିବା ଜଳାଶୟର ଜଳ ନମୁନାକୁ ପରୀକ୍ଷା ଲାଗି ସଂଗ୍ରହ କରାଯାଇଛି। ପ୍ରାଣୀ ଡାକ୍ତର ଲିଆସ୍ମିନ ମହାନ୍ତିଙ୍କ ନେତୃତ୍ୱରେ ଏଲ୍‌ଆଇ ପ୍ରଫୁଲ୍ଲ ମହାନ୍ତି, ବସନ୍ତ ସାହୁ ଓ ପ୍ରାଣୀ ଚିକିତ୍ସା ସହାୟକ ପହଞ୍ଚି ଅସୁସ୍ଥ ଗୋରୁଙ୍କ ଚିକିତ୍ସା କରିଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଓ ପାଣି ନମୁନା ପରୀକ୍ଷା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ଏସ୍‌ଆଇ ସୌମ୍ୟରଞ୍ଜନ ଭୋଳ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe