ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର : ପୁଲିସ ଗୁଳିରେ ୪ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ମଣ୍ଟୁ ଘୋଷକୁ ଗୁଳି କରି ପଳାଉଥିଲେ, ଆହତଙ୍କ ମଧ୍ୟରେ ଅମିତ ଧଳର ଭାଇ ଅନନ୍ତ

ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର : ପୁଲିସ ଗୁଳିରେ ୪ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

Photo-Representational

ଝାରସୁଗୁଡ଼ା : ବ୍ରଜରାଜନଗର ଥାନା ଅନ୍ତର୍ଗତ ରାଣୀବନ୍ଧ- ବଡ଼ଯୋବ ରାସ୍ତାର ଛେଳିକୋଠି ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଝାରସୁଗୁଡ଼ା ପୁଲିସରଏନକାଉଣ୍ଟର୍‌ରେ ୪ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ବ୍ରଜରାଜନଗର ଗଜପତିନଗରର ଅନନ୍ତ ଧଳ ଓରଫ୍‌ ଭୀମା (୨୬), ମଣ୍ଡଳିଆର ଶୈଳେନ୍ଦ୍ର ପାତ୍ର ( ୨୪), ଓରିଏଣ୍ଟ ଥାନା ମହାବୀରନଗରର ରଫିକ୍‌ ଅନ୍‌ସାରୀ ( ୨୨) ଓ ମଣ୍ଡଳିଆର ନିକି ସିଂହ (୨୫)। ସନ୍ଧ୍ୟାରେ ଏହିମାନେ ହିଁ ମଣ୍ଟୁ ଘୋଷ ନାମକ ଜଣେ ଯୁବକକୁ ଗୁଳି କରି ଫେରାର ହୋଇ ଯାଇଥିଲେ। ପୁଲିସ ସମସ୍ତଙ୍କୁ  ଝାରସୁଗୁଡ଼ା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରିଛି। ପ୍ରାୟ ୪ ମାସ ତଳେ ଝାରସୁଗୁଡ଼ାରେ ସଂଘଟିତ ଅନ୍ୟ ଏକ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଅମିତ ଧଳର ଭାଇ ଅନନ୍ତ ଧଳ ଓ ତା’ର ସାଥୀମାନେ ପ୍ରତିଶୋଧ ନେବା ଲାଗି ମଣ୍ଟୁକୁ ଗୁଳି କରି ହତ୍ୟା କରିଥିବା କୁହାଯାଉଛି।

ମଙ୍ଗଳବାର ରାତି ପ୍ରାୟ ସାଢ଼େ ୮ ଟାରେ ବ୍ରଜରାଜନଗର ମୁଖ୍ୟ ବଜାରରେ ଥିବ‌ା ଲକ୍ଷ୍ମୀ କେଫ୍‌ରେ ୪ ଜଣ ଦୁଇଟି ବାଇକ୍‌ରେ ଆସି ହୋଟେଲ କାଉଣ୍ଟର୍‌ ନିକଟରେ ଛିଡ଼ା ହୋଇଥିବା ମଣ୍ଟୁ ଘୋଷ (୩୦)ଙ୍କୁ ଅତି ନିକଟରୁ ତାଙ୍କ ମୁଣ୍ଡ, ଛାତି ଓ ଗୋଡ଼କୁ ଗୁଳି କରି ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ମଣ୍ଟୁର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ ପୁଲିସ ଏକାଧିକ ଟିମ୍‌ରେ ବିଭକ୍ତ ହୋଇ ରାତି ସାରା ଅପରାଧୀମାନଙ୍କୁ ବିଭିନ୍ନ ରାସ୍ତାରେ ଖୋଜିଥିଲା। ବ୍ରଜରାଜନଗର ବଡ଼ଯୋବ ରାସ୍ତ‌ାରେ ଏହି ୪ ଅପରାଧୀ ଯାଉଥିବା ଖବରପାଇ ପୁଲିସ ସେମାନଙ୍କୁ ପିଛା କରିଥିଲା। ଛେଳିକୋଠି ନିକଟରେ ସେମାନେ ପୁଲିସ ଉପରକୁ ଗୁଳି ଚଳାଇଥିଲେ। ଆତ୍ମରକ୍ଷା ପାଇଁ ପୁଲିସ ଏମାନଙ୍କ ଉପରକୁ ପାଲଟା ଗୁଳି ଚଳାଇବାରୁ ଘଟଣାସ୍ଥଳରେ ଚାରି ଜଣ ଆହତ ହୋଇଥିଲେ। ଏମାନଙ୍କୁ ଉଦ୍ଧାର କରି ପୁଲିସ ଝାରସୁଗୁଡ଼ା ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଘଟଣାସ୍ଥଳରେ ଦୁଇଟି ବାଇକ, ୨ ମାଉଜର୍‌ ଓ ୫ ଜୀବନ୍ତ ଗୁଳି ଓ କିଛି ଖୋକା ମଧ୍ୟ ପଡ଼ିଥିବା ଦେଖା ଯାଇଥିଲା।

ଉଲ୍ଲେଖ‌ଯୋଗ୍ୟ ଯେ ଗତ ଜୁନ ୨୧ ତାରିଖରେ ବ୍ରଜରାଜନଗରଠାରେ  ଅମିତ ଧଳଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏଥିରେ ସଂପୃକ୍ତ ଥିବା ଅଭିଯୋଗରେ ସୋନୁ ଘୋଷ ଗିରଫ ହୋଇ ବର୍ତ୍ତମାନ ଜେଲ୍‌ରେ ଅଛି। ଗତକାଲି ଲକ୍ଷ୍ମୀ କ‌େଫ୍‌ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ମଣ୍ଟୁ ସୋନୁ ଘୋଷର ଭାଇ ହୋଇଥିବାବେଳେ  ଗତକାଲି ଏନ୍‌କାଉଣ୍ଟର୍‌ରେ ଆହତ ହୋଇଥିବା ଅନନ୍ତ ଧଳ ହେଉଛି ମୃତ ଅମିତ ଧଳର ଭାଇ। ତେଣୁ ଏହି ସମଗ୍ର ଘଟଣା ପଛରେ କୋଇଲା ମାଫିଆଙ୍କ ଗ୍ୟାଙ୍ଗ୍‌ୱାର ଓ ପତିଆରା ବୃଦ୍ଧି ହିଁ କାରଣ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe