କାଳବୈଶାଖୀର ତାଣ୍ଡବରେ ବଜ୍ରପାତ: ମା’ ପାଖକୁ ପହଞ୍ଚି ପାରିଲାନି ପୁଅ, ଛାତ ଉପରେ ଟଳିପଡ଼ିଲେ ବୃଦ୍ଧ

Advertisment

ଭାଙ୍ଗିଲା ଘର, ଗଛବୃକ୍ଷ

ଭାଙ୍ଗିଲା ଘର, ଗଛବୃକ୍ଷ

କାଳବୈଶାଖୀର ତାଣ୍ଡବରେ ବଜ୍ରପାତ: ମା’ ପାଖକୁ ପହଞ୍ଚି ପାରିଲାନି ପୁଅ, ଛାତ ଉପରେ ଟଳିପଡ଼ିଲେ ବୃଦ୍ଧ

ଗରଦପୁର/ଆଳି: ରାଜ୍ୟରେ ଗ୍ରୀଷ୍ମ ପବ୍ରାହ ଜାରି ଥିବା ବେଳେ ଆଜି ଅପରାହ୍‌ଣରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି। ମୃତକମାନେ ହେଲେ ଶିବ ପ୍ରସାଦ ସାହୁ (୬୫), ଆଶୁତୋଷ ଜେନା(୧୭), ପୁଣ୍ଡିଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଛାଟୋଇ (୭୦) ଓ  ଅନିଲ ବେହେରା(୩୬)।

publive-image

ଆଜି ଅପରାହ୍ନରେ ହୋଇଥିବା ବଜ୍ରପାତରେ ତଳକୁସୁମା ପଂଚାୟତର ବାରୁଣା ଗ୍ରାମର ଶିବ ପ୍ରସାଦ ସାହୁଙ୍କର ମୁଗ ବିଲରେ କାମ କରୁଥିଲେ। ଏହି ସମୟରେ କାଳବୈଶାଖି ଜନିତ ଝଡ଼ ବର୍ଷା ସହିତ ଘନଘନ ବଜ୍ରପାତ ହୋଇଥିଲା। ବଜ୍ରପାତରେ ଶିବ ପ୍ରସାଦ ବିଲରେ ଟଳି ପଡ଼ିଥିଲେ। ଗ୍ରାମବାସୀ ତାଙ୍କ ୪ ପୁଅ ବାହାରେ ରହୁଥିବାରୁ ଶିବ ପ୍ରସାଦଙ୍କୁ ପାଟକୁରା ମେଡ଼ିକାଲକୁ ଆଣଇଥିଲେ। ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତଳକୁସୁମା ପଂଚାୟତର ବଙ୍ଗାରୀ ଗ୍ରାମର ଆଶୁତୋଷ ଜେନା ଓ ପୁଣ୍ଡିଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଛାଟୋଇ ସନ୍ଧ୍ୟା ୫ଟା ବେଳେ ହୋଇଥିବା କାଳବୈଶାଖି ଝଡ଼ ବର୍ଷା ଓ ବଜ୍ରପାତର ଶିକାର ହୋଇଥିଲେ। ଆଶୁତୋଷ ନିକଟସ୍ଥ ଲୋକନାଥ ମହାବିଦ୍ୟାଳୟର ଯୁକ୍ତ ୨ ଶେଷ ବର୍ଷ ଛାତ୍ର ଥିଲେ। ଏବେ ଯୁକ୍ତ ୨ କଳାରେ ପରୀକ୍ଷା ଦେଇଥିଲେ। ତାଙ୍କ ଘର ସମ୍ମୁଖରେ ପରିସ୍ରା ଯାଇଥିବାବେଳେ ବଜ୍ରପାତ ହୋଇଥିଲା। ଘର ଦୁଆର ମୁହଁରେ ତାଙ୍କ ମା ମଧ୍ୟ ଉପସ୍ଥିତ ଥିଲେ। ମା ପୁଅକୁ ଘରକୁ ପଳାଇ ଆସିବାକୁ ଡ଼ାକୁଥିବାବେଳେ ବଜ୍ରପାତରେ ଆଶୁତୋଷଙ୍କ ବାମ ପଟ ଜଳି ଯାଇଥିଲା। ସେ ସେହିଠାରେ ଟଳି ପଡ଼ିଥିଲେ । ସେହିପରି ପୁଣ୍ଡିଲୋ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଛାଟୋଇ ଛାତ ଉପରେ ଶୁଖୁଥିବା ଲୁଗା ଆଣିବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ଛାତ ଉପରେ ବଜ୍ରପାତ ହେବାରୁ ସେ ମଧ୍ୟ ଅକାଳ ମୃତ୍ୟୁର ସମ୍ମୁଖୀନ ହୋଇଥିଲେ। ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପାଟକୁରା ମେଡ଼ିକାଲକୁ ଅଣାଯାଇଥିଲା। ବିଶେଷଜ୍ଞ ଡ଼ ହିମାଂଶୁ ଭୁଷଣ ଷଡ଼ଙ୍ଗୀ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ।

publive-image

ସେହିପରି ଆଜି ଅପରାହ୍ନ ୪ଟା ସମୟରେ ହଠାତ୍ କଳାହାଣ୍ଡିଆ ମେଘ, ପବନ, କୁଆପଥର ମାଡ଼ ସହିତ କାଳବୈଶାଖୀ ତାଣ୍ଡବ ରଚିଥିଲା। ଏଥି ସହିତ ପାଖାପାଖି ୪୦ ମିନିଟ୍ ଧରି ପ୍ରଚଣ୍ଡ ଘଡ଼ଘଡ଼ି ସହିତ ଲଗାତାର ବଜ୍ରପାତ ହୋଇଥିଲା। ଏହି ବଜ୍ରପାତରେ ଆଳିଥାନା ଶାଳିଅଞ୍ଚ ଗ୍ରାମ ନିବାସୀ ବିଷ୍ଣୁ ଚରଣ ବେହେରାଙ୍କ ପୁଅ ଅନିଲ ବେହେରାଙ୍କ ମୃତ୍ୟୁ ଘଟିଥିବା ବେଳେ ବଡଆଙ୍କୋ ଗ୍ରାମ ନିବାସୀ ଗୁରୁଚରଣ ମଲିକ ଗୁରୁତର ଅବସ୍ଥାରେ ଆଳି ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପବନରେ ବୈଦମାଳ ଗ୍ରାମର ଭରତ ସେଠୀଙ୍କ ଘର ଉପରେ ଗଛପଡି ୪ ବଖରା ଆଜବେଷ୍ଟସ ଘର ଭାଙ୍ଗି ଛାରଖାର ହୋଇଥିବା ବେଳେ ଅରେହିକଣା ଗ୍ରାମର ଅମୂଲ୍ୟ ଦାଶଙ୍କ ୫ବଖରା ଘର ସମେତ ସମସ୍ତ ଆସବାବପତ୍ର ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି।

publive-image

ସେହିପରି ବିଭିନ୍ନ ଗ୍ରାମରେ ୧୦ରୁ ଊର୍ଦ୍ଧ୍ବ ଘର ଓ ବହୁ ଗଛବୃକ୍ଷ ଭାଙ୍ଗି ଥିବାର ଜଣାପଡିଛି। ବଜ୍ରାଘାତରେ ମୃତାହତଙ୍କ ପରିବାର ସୂତ୍ରରୁ ଜଣାପଡିଛି ଯେ, ଅନିଲ ମାଛ ଚାଷ କରି ପରିବାର ପ୍ରତିପୋଷଣ କରନ୍ତି। ସେ ଗାଁ ପଛପଟ ପୋଖରୀକୁ ମାଛଦାନା ଖୋଇବା ପାଇଁ ଯାଇଥିଲେ। ଏହି ସମୟରେ ବଜ୍ରପାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା।ସେହିପରି ଗୁରୁଚରଣ ଗ୍ରାମ ନିକଟସ୍ଥ ନଦୀକୁ ମାଛ ଧରିବା ପାଇଁ ଯାଇଥିବା ବେଳେ ବଜ୍ରାଘାତରେ ଆହତ ହୋଇ ସଜ୍ଞାହୀନ ହୋଇ ପଡିଥିଲେ। ଗ୍ରାମବାସୀ ଓ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆଳି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଗୁରୁଚରଣ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ମୃତ ଅନୀଲଙ୍କର ପତ୍ନୀଙ୍କ ସମେତ ଦୁଇଟି ଛୋଟଛୋଟ ଝିଅ ଅଛନ୍ତି। ଅନିଲଙ୍କ ଅକାଳ ବିୟୋଗରେ ତାଙ୍କର ପରିବାର ସଂପୂର୍ଣ୍ଣ ବେସାହାରା ହୋଇ ଯାଇଥିବାରୁ ଏହି ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି। କାଳବୈଶାଖୀର ତାଣ୍ଡବରେ ବ୍ୟାପକ କ୍ଷୟକ୍ଷତି ସହିତ କୁଆପଥର ମାଡ଼ରେ ମୁଗ, ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ବହୁ ସ୍ଥାନରେ ବିଦ୍ୟୁତ ଖୁଣ୍ଟି ଓ ତାର ଛିଡି ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe