ବଜ୍ର ନେଲା ୪ ମହିଳାଙ୍କ ଜୀବନ

Advertisment
ବଜ୍ର ନେଲା ୪ ମହିଳାଙ୍କ ଜୀବନ

Medium

ପାତ୍ରପୁର/ଦିଗପହଣ୍ଡି/ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ପାତ୍ରପୁର, ଖଲ୍ଲିକୋଟ ଓ ଦିଗପହଣ୍ଡି ବ୍ଲକ, ତହସିଲ ଇଲାକାରେ ଆଜି ବଜ୍ରାଘାତରେ ୪ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଗାଈ ଓ ବଳଦ ପ୍ରାଣ ହରାଇଛନ୍ତି।

ଆଜି ଅପରାହ୍ଣରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସି ଘନ ଘନ ବଜ୍ରପାତ ହୋଇଥିଲା। ପାତ୍ରପୁର ବ୍ଲକ ଖାରିଆଗୁଡ଼ା ଫାଣ୍ତି ନିକଟରେ ପରିବା ବାଡ଼ରେ କାମ କରୁଥିବା ବେଳେ ବଜ୍ରାଘାତରେ ସେହି ଗ୍ରାମର ମାଳତୀ ନାୟକ (୫୦) ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଏହାସହ ସପଙ୍ଗ ଗ୍ରାମର ଦୁର୍ଲଭ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରେ ବଜ୍ରାଘାତ ହେବାରୁ ତାଙ୍କ ଘର ଭାଙ୍ଗିଯାଇଛି। ସେହିପରି ଦିଗପହଣ୍ଡି ବ୍ଲକ କେ.ନୂଆଗାଁ ଥାନା ଖମ୍ବାରିଗାଁ ପଞ୍ଚାୟତ ଶଙ୍କରଖାଳି ଗ୍ରାମରେ ଆଜି ଅପରାହ୍ନ ୩ରେ ବଜ୍ରାଘାତରେ ଉକ୍ତ ଗ୍ରାମର ସୁଦର୍ଶନ ନାଇକଙ୍କ ପତ୍ନୀ ସୁଷମା ନାଇକ (୩୫) ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ବଜ୍ରାଘାତରେ ସୁଷମାଙ୍କ ଶରୀରର ଅଧିକାଂଶ ଭାଗ ଜଳିଯାଇଥିଲା। ତାଙ୍କୁ ୧୦୮ ଆମ୍ବୁଲାନସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲେ ବି ଡାକ୍ତର ମୃତ ଘୋଷଣା କରିଥିଲେ। ସେହିପରି ଖଲ୍ଲିକୋଟ ତହସିଲ ଅଧୀନ ବଡ଼ରାମପଲ୍ଲୀ ଗ୍ରାମରେ ବଜ୍ରାଘାତରେ ଚିଙ୍ଗୁଡ଼ିଘାଇ ଗ୍ରାମର ରବି ବେହେରାଙ୍କ ପତ୍ନୀ ପାଣ୍ଡି ବେହେରା (୩୫) ତାଙ୍କ ବାପଘର ବଡ଼ରାମପଲ୍ଲୀ ଗ୍ରାମ‌କୁ ଯାଇ ଜମିରେ ଚାଷ କାମ କରୁଥିବା ବେଳେ ହଠାତ୍ ବଜ୍ରାଘାତ ହୋଇଥିଲା। ସଂଗେ ସଂଗେ ତାଙ୍କୁ ଅଚେତ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ପାତ୍ରପୁର ବ୍ଲକ କେଲୁଆ ପାହାଡ଼ ନିକଟରେ ବଜ୍ରାଘାତରେ ୧୦ଟି ଗାଈ ଓ ବଳଦଙ୍କ ମୃତ୍ୟୁ ହୋଇଛି। ସେହିପରି ପାତ୍ରପୁର ବ୍ଲକ ତୁରୁବୁଡ଼ି ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରେ ଆଜି ବଜ୍ରାଘାତରେ ଜଣେ ମଇଁଷି ଜଗୁଆଳୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ରଘୁନାଥ ଗୌଡ଼। ରଘୁନାଥ ମଇଁଷି ଚରାଇବାକୁ ଯାଇ ଆଉ ଫେରି ନଥିଲେ। କଣ୍ଟାକୁମୁଝରୀ ଗ୍ରାମ ମହୁଲ ଗଛ ନିକଟରୁ ରାତିରେ ତାଙ୍କ ଶବ ମିଳିଥିଲା। ବଜ୍ରାଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe