୪ ନକଲି ଶିକ୍ଷା ସହାୟକ ଠାବ, ଅନୁଗୁଳରୁ ୨, ବଅଁରପାଳ ଓ ଛେଣ୍ଡିପଦାରୁ ଜଣେ ଲେଖାଏଁ ଚିହ୍ନଟ

ବାହାର ବିଶ୍ବବିଦ୍ୟାଳୟ ନାଁରେ ସାର୍ଟିଫିକେଟ୍ ଆଣି କରିଛନ୍ତି ଚାକିରି

୪ ନକଲି ଶିକ୍ଷା ସହାୟକ ଠାବ, ଅନୁଗୁଳରୁ ୨, ବଅଁରପାଳ ଓ ଛେଣ୍ଡିପଦାରୁ ଜଣେ ଲେଖାଏଁ ଚିହ୍ନଟ

OrissaPOST

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ନକଲି ଶିକ୍ଷକଙ୍କ ତାଲିକା ଲମ୍ବା। ପ୍ରଥମେ ୧୨ଜଣ ନକଲି କ୍ରୀଡ଼ା ଶିକ୍ଷକଙ୍କୁ ଠାବ କରାଯାଇଥିଲା। ସେମାନଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ବ୍ଲକ୍‌ ଗ୍ରାଣ୍ଟ୍‌ ହାଇସ୍କୁଲ୍‌ ଶିକ୍ଷକ କେମିତି ଜାଲ୍‌ ସାର୍ଟିଫିକେଟ୍ ଦେଇ ଚାକିରି କରିଛନ୍ତି, ତା’ର ମଧ୍ୟ ଖୋଳତାଡ଼ ହୋଇଥିଲା। ଏବେ ଏହି ଧାରାରେ ଶିକ୍ଷା ସହାୟକମାନେ ପଡ଼ିଛନ୍ତି। ୨୦୧୮ ମସିହାରେ ଯେଉଁମାନେ ଶିକ୍ଷା ସହାୟକ ଭାବେ ନିୟୋଜିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କ ସାର୍ଟିଫିକେଟ୍ ନକଲି ବୋଲି ବିଶ୍ବବିଦ୍ୟାଳୟ ସ୍ପଷ୍ଟ କରିଛି। ଏହି ଚାରି ଜଣଙ୍କ ମଧ୍ୟରୁ ଦୁଇ ଜଣ ଏବେ ଅନୁଗୁଳ ବ୍ଲକ୍‌ରେ ଚାକିରି କରୁଥିବା ବେଳେ ଜଣେ ଛେଣ୍ଡିପଦା ଏବଂ ଅନ୍ୟ ଜଣକ ବଅଁରପାଳ ବ୍ଲକ୍‌ରେ ଚାକିରି କରୁଥିବା ଅନୁଗୁଳ ଜିଲ୍ଲା ଶିକ୍ଷା ବିଭାଗ କାର୍ଯ୍ୟାଳୟରୁ ସ୍ପଷ୍ଟ ହୋଇଛି।

ସୂଚନା ମୁତାବକ, ଏହି ଧରପଗଡ଼ ପାଇଁ ଗଲା ନଭେମ୍ବର ମାସରେ ସବୁ ଶିକ୍ଷକମାନଙ୍କଠାରୁ ତଥ୍ୟ ମଗାଯାଇଥିଲା। ଗୁଗୁଲ୍‌ ଫର୍ମରେ ନିଜର ବ୍ୟକ୍ତିଗତ ଏବଂ ଶିକ୍ଷାଗତ ବିବରଣୀ ଦେବାକୁ କୁହାଯାଇଥିଲା। ସେହି ବିବରଣୀକୁ ନେଇ ଜିଲ୍ଲା ଶିକ୍ଷା ବିଭାଗ ଅସଲି ଓ ନକଲି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଥିଲା। କ୍ରୀଡ଼ା ଶିକ୍ଷକ କ୍ଷେତ୍ରରେ ଅସଲି ଭଳି ଦେଖାଯାଉଥିବା ସାର୍ଟିଫିକେଟ୍‌ଗୁଡ଼ିକ ନକଲି ବୋଲି ଯାଞ୍ଚ କଲା ପରେ ଶିକ୍ଷା ବିଭାଗ ଜାଣିବାକୁ ପାଇଥିଲା। ତେଣୁ, ଯେଉଁମାନେ ବାହାର ରାଜ୍ୟର ବିଶ୍ବବିଦ୍ୟାଳୟରୁ ବିଇଡି କରିଛନ୍ତି ବୋଲି ଦର୍ଶାଇଥିଲେ, ଶିକ୍ଷା ବିଭାଗ ସେହି ସାର୍ଟିଫିକେଟ୍‌ଗୁଡ଼ିକୁ ନଜରରେ ରଖିଥିଲା। ସମ୍ପୃକ୍ତ ବିଶ୍ବବିଦ୍ୟାଳୟକୁ ଚିଠି ଲେଖି ଏହି ସାର୍ଟିଫିକେଟ୍‌ର ସତ୍ୟତା କ’ଣ ବୋଲି ପ୍ରଶ୍ନ କରିଥିଲା। ନିକଟରେ ସେଥିମଧ୍ୟରୁ କିଛି କିଛି ସାର୍ଟିଫିକେଟ୍ ଉପରେ ବିଶ୍ବବିଦ୍ୟାଳୟ ଅନୁଗୁଳ ଜିଲ୍ଲା ଶିକ୍ଷା ବିଭାଗକୁ ଚିଠି ଲେଖି ଉତ୍ତର ଜଣାଇଛି।

ଅନୁଗୁଳ ବ୍ଲକ୍‌ରେ ଚାକିରି କରୁଥିବା ଦୁଇ ଜଣ ଶିକ୍ଷକ ଏବଂ ଛେଣ୍ଡିପଦା, ବଅଁରପାଳ ବ୍ଲକ୍‌ର ଜଣେ ଲେଖାଏ ଶିକ୍ଷକଙ୍କ ବିଇଡି ସାର୍ଟିଫିକେଟ୍ ଜାଲ୍ ବୋଲି ଯାଞ୍ଚ ସମୟରେ ସ୍ପଷ୍ଟ ହୋଇଛି। ଏନେଇ ଶିକ୍ଷା ବିଭାଗ ପକ୍ଷରୁ ବ୍ଲକ୍‌ ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଲେଖି ଜଣାଇବା ପରେ ଏହି ଜାଲ୍ ଶିକ୍ଷକମାନଙ୍କ ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଶିକ୍ଷକମାନେ ୨୦୧୮ମସିହାରୁ ଶିକ୍ଷା ସହାୟକ ଭାବେ ଚାକିରି କରି ଆସୁଥିଲେ। ଆଉ ଦୁଇ ବର୍ଷ ପରେ ସ୍ଥାୟୀ ନିଯୁକ୍ତି ପାଇଥା’ନ୍ତେ। ଏହା ପୂର୍ବରୁ ଏ ପ୍ରକାର ଧରପଗଡ଼ କେବଳ ସମ୍ପୃକ୍ତ ଜାଲ୍‌ ଶିକ୍ଷକଙ୍କୁ ଭୟଭୀତ କରାଇ ନାହିଁ, ବରଂ ଏ ଯାଞ୍ଚ ଆହୁରି କଡ଼ାକଡ଼ି ହେବାକୁ ଯାଉଥିବାରୁ ଅନ୍ୟ ଶିକ୍ଷାସହାୟକଙ୍କର ଚିନ୍ତା ବଢ଼ିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe