ବଙ୍ଗଳାଗୁଡ଼ା ଅସ୍ଥାୟୀପୋଲ ଉପରେ ୪ ଫୁଟ ପାଣି: କୋରାପୁଟ-ରାୟଗଡ଼ା ଯାତାୟାତ ପ୍ରଭାବିତ

Advertisment

ଉଭୟ ପାର୍ଶ୍ବରେ ଅଟକିଛି ଶହଶହ ଗାଡ଼ି

ଉଭୟ ପାର୍ଶ୍ବରେ ଅଟକିଛି ଶହଶହ ଗାଡ଼ି

ବଙ୍ଗଳାଗୁଡ଼ା ଅସ୍ଥାୟୀପୋଲ ଉପରେ ୪ ଫୁଟ ପାଣି: କୋରାପୁଟ-ରାୟଗଡ଼ା ଯାତାୟାତ ପ୍ରଭାବିତ

କୋରାପୁଟ/ଦଶମନ୍ତପୁର: ୩୨୬ ନମ୍ବର ଜାତୀୟ ରାଜପଥର ବଙ୍ଗଳାଗୁଡ଼ା ପୋଲ ଉପରେ ୪ ଫୁଟ ପାଣି ପ୍ରବାହିତ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। କୋରାପୁଟ-ଲକ୍ଷ୍ମୀପୁର-ରାୟଗଡ଼ା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ରାଜପଥର ଉଭୟ ପାର୍ଶ୍ବରେ ଅଟକି ରହିଛନ୍ତି ଶହଶହ ଗାଡ଼ି। ସନ୍ଧ୍ୟାରେ ଜଳସ୍ତର କମିବା ପରେ ରାଜପଥରେ ଯାତାୟାତ ସ୍ବାଭାବିକ ହୋଇଥିଲା। ତେବେ କୋରାପୁଟରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାରୁ ବାରମ୍ବାର ନଦୀର ଜଳସ୍ତର ବଢ଼ୁଥିବାରୁ ଯାତାୟାତ ନେଇ ସୁରକ୍ଷିତ ମଣୁନାହାନ୍ତି ଯାତ୍ରୀ।

କୋରାପୁଟ-ରାୟଗଡ଼ାକୁ ସଂଯୋଗ ହୋଇଥିବା ଜାତୀୟ ରାଜପଥର ବଙ୍ଗଳାଗୁଡ଼ା ନିକଟରେ ପ୍ରବାହିତ ହୋଇଛି ଛମାରୀ ନଦୀ। ନଦୀ ଉପରେ ନିର୍ମାଣ ହୋଇଥିବା ବ୍ରିଟିଶ୍ ଅମଳର ପୋଲ ୨୦୨୨ ମସିହାରେ ଭାଙ୍ଗି ଯାଇଥିଲା। ବ୍ରିଜ୍‌ର ଏଣ୍ଡସ୍ପାନ ଖସି ପଡ଼ିବା ପରେ ଜାତୀୟ ରାଜପଥ ପକ୍ଷରୁ ଏକାଧିକ ହ୍ୟୁମ୍‌ ପାଇପ୍‌ ମାଧ୍ୟମରେ ଅସ୍ଥାୟୀ ରାସ୍ତା ଓ ବ୍ରିଜ୍ ନିର୍ମାଣ କରାଯାଇଥିଲା। ଆଜି ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ଫୁଲିଥିଲା ଛମାରୀ ନଦୀ। ପୂର୍ବାହ୍‌ଣ ୧୧ଟାରୁ ମଧ୍ୟାହ୍‌ଣ ୨ଟା ଯାଏଁ ପ୍ରବଳ ବର୍ଷା ହେବା ପରେ ପାଣିର ବେଗ ବଢ଼ିବା ସହ ଅସ୍ଥାୟୀ ପୋଲ ଉପରେ ୪ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହୋଇଥିଲା। ଫଳରେ ଉଭୟ ପାର୍ଶ୍ବରେ ଅଟକି ରହିଥିଲା ଗାଡ଼ି। ଅପରାହ୍ନ ସାଢ଼େ ୫ଟାରେ ଜଳସ୍ତର କମିବା ଆରମ୍ଭ ହେବା ପରେ ୬ଟା ବେଳକୁ ସ୍ୱାଭାବିକ ହୋଇଥିଲା ଯାତାୟାତ। ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ବ୍ରିଜର ଉଭୟ ପାର୍ଶ୍ବରେ କୋରାପୁଟ ସଦର ପୁଲିସ ଓ ଲକ୍ଷ୍ମୀପୁର ପୁଲିସ୍‌ ମୁତୟନ ରହିଥିଲେ। ସ୍ଥାୟୀ ବ୍ରିଜ୍ ନିର୍ମାଣ ପାଇଁ ୭କୋଟି ୯୨ ଲକ୍ଷର ଡିପିଆର୍‌ ସହ ତିନି ଥର ଟେଣ୍ଡର ଡକାଯାଇଛି। କିନ୍ତୁ ପୋଲ ନିର୍ମାଣ ଆରମ୍ଭ ହୋଇପାରୁନି।

ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲାରେ ୫୨୭ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ହାରାହାରି ଭାବେ ୩୭.୬୪ ମିମି ବର୍ଷା ହୋଇଛି। ବୈପାରିଗୁଡ଼ାରେ ସର୍ବାଧିକ ୬୮ ମିମି, ସେମିଳିଗୁଡ଼ାରେ ୬୩ ମିମି, ବନ୍ଧୁଗାଁରେ ୨ ମିମି, ବୋରିଗୁମ୍ମାରେ ୩୦.୪ ମିମି, ଦଶମନ୍ତପୁରରେ ୪୯ ମିମି, ଜୟପୁରରେ ୩.୪ ମିମି, କୋରାପୁଟରେ ୧୧.୮ ମିମି, କୋଟପାଡ଼ରେ ୩୮ ମିମି, କୁନ୍ଦୁରାରେ ୩୧.୨ ମିମି, ଲମତାପୁଟରେ ୫୫.୨ ମିମି, ଲକ୍ଷ୍ମୀପୁରରେ ୨୨.୪ ମିମି, ନନ୍ଦପୁରରେ ୫୯ମିମି, ନାରାୟଣପାଟଣାରେ ୨୭.୪ ମିମି, ପଟାଙ୍ଗିରେ ୩୩.୨ ମିମି ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସନ୍ତୋଷ କୁମାର ସାହୁ କହିଛନ୍ତି, ମୌସୁମୀ ଯୋଗୁଁ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। କୋଟପାଡ଼ ବ୍ଲକରେ କାଁ ଭାଁ ସ୍ଥାନରେ ଘର ଭାଙ୍ଗିଥିବା ସୂଚନା ମିଳିଛି। ପ୍ରତି ବ୍ଲକକୁ କ୍ଷୟକ୍ଷତି ରିପୋର୍ଟ ମଗାଯାଇଛି। ଏଥି ସହ ପଟାଙ୍ଗି ଅଞ୍ଚଳରେ ଭୂସ୍ଖଳନକୁ ଦୃଷ୍ଟିରେ ରଖାଯାଇଛି। ସବୁପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe