Kalinga TV
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାର ଏହାର ପୂର୍ଣ୍ଣ କ୍ଷମତା ୬୩୦ ଫୁଟ୍ରେ ସ୍ଥିର ରହିଛି। ଅତିରିକ୍ତ ଜଳ ନିଷ୍କାସନ ପାଇଁ ଶନିବାର ରାତି ୮ଟାରେ ଆଉ ଏକ ଗେଟ୍ ଖୋଲିବାକୁ ନିର୍ଦ୍ଦେଶ ଦିଆ ଯାଇଥିଲା। ଫଳରେ ରାତିରୁ ବାମ ସ୍ପିଲ୍ୱେ’ର ୪ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ଜଳ ନିଷ୍କାସନ ହେଉଛି। ଶନିବାର ରାତି ୯ଟା ବେଳେ ହୀରାକୁଦ ଜଳଭଣ୍ଡାରକୁ ୧,୦୫,୫୯୯ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା। ୪ଟି ସ୍ଲୁଇସ୍ ଗେଟ୍ ଦେଇ ୬୫,୭୬୦ କ୍ୟୁସେକ୍, ପାୱାର୍ ଚାନେଲ୍ ଦେଇ ୩୪,୯୦୦ କ୍ୟୁସେକ୍, ବରଗଡ଼ ମୁଖ୍ୟ କେନାଲ୍ ଦେଇ ୩,୯୬୫ କ୍ୟୁସେକ୍, ଶାସନ ମୁଖ୍ୟ କେନାଲ ଦେଇ ୬୩୦ କ୍ୟୁସେକ୍, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ଦେଇ ୧୦୮ କ୍ୟୁସେକ୍, ଶିଳ୍ପ ସଂସ୍ଥା ପାଇଁ ୨୩୬ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା।
ଗତ ୨୪ ଘଣ୍ଟା ମଧ୍ୟରେ ଉପର ମୁଣ୍ଡରେ ୪.୫୪ ମିଲିମିଟର୍ ଓ ତଳ ମୁଣ୍ଡରେ ୩.୦୭ ମିମି ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ। ଅପରପକ୍ଷରେ ଗତ ୨୪ ଘଣ୍ଟା (ଗୁରୁବାର ସକାଳ ୮ଟାରୁ ଗୁରୁବାର ସକାଳ ୮ଟା) ମଧ୍ୟରେ ହୀରାକୁଦ ଜଳ ବିଦ୍ୟୁତ୍ େଯାଜନା ଅନ୍ତର୍ଗତ ବୁର୍ଲା ଶକ୍ତି କେନ୍ଦ୍ରରୁ ହାରାହାରି ୨୭୧.୩୭୫ ମେଗାୱାଟ୍ ଓ ଚିପିଲିମା ଶକ୍ତି କେନ୍ଦ୍ରରୁ ୬୨.୭୫୦ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ ହୋଇଥିବା ସୂଚନା ମିଳିଛି।
Follow Us