ବଲାଙ୍ଗୀର: ଗତ ୨୦ ତାରିଖ ବଲାଙ୍ଗୀର ସଂସଦୀୟ କ୍ଷେତ୍ରରେ ମତଦାନ ସମାପ୍ତ ହୋଇଛି। କିଛି ମାମୁଲି ଘଟଣାକୁ ଛାଡ଼ିଦେଲେ ଜିଲ୍ଲାରେ ଭୋଟ୍ ପ୍ରାୟତଃ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। କେତେକ ମତଦାନ କେନ୍ଦ୍ରରେ ଭୋଟିଂ ମେସିନ ଅଚଳ ହେବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମତଦାନ ହୋଇଥିଲା। ତେବେ, ଜିଲ୍ଲାରେ ପ୍ରାୟ ୪ ଲକ୍ଷ ଭୋଟର୍ ଭୋଟ୍ ଦେଇନଥିବା ଏକ ପରିସଂଖ୍ୟାନକୁ ଜଣାପଡ଼ିଛି।
ପ୍ରଶାସନର ରିପୋର୍ଟ ମୁତାବକ, ବଲାଙ୍ଗୀର ସଂସଦୀୟ କ୍ଷେତ୍ରରେ ସମୁଦାୟ ୧୮,୦୧,୭୪୪ ଜଣ ମତଦାତା ଥିବାବେଳେ ୧୩,୯୬,୭୧୯ ଜଣ ଭୋଟ୍ ଦେଇଛନ୍ତି। ଅର୍ଥାତ୍ ପାଖାପାଖି ୪ ଲକ୍ଷ ଭୋଟର୍ ମତଦାନ କରିନାହାନ୍ତି। ସଂସଦୀୟ କ୍ଷେତ୍ରରେ ଏଥର ୭୭.୭୩ ପ୍ରତିଶତ ମତଦାନ ହୋଇଛି। ଯାହା ୨୦୧୯ ଅପେକ୍ଷା ୩ ପ୍ରତିଶତ ଅଧିକ। ମତଦାତାଙ୍କ ମଧ୍ୟରେ ପୁରୁଷଙ୍କ ସଂଖ୍ୟା ୭ ଲକ୍ଷ ୫ହଜାର ୭୮ ରହିଥିବା ବେଳେ ମହିଳା ମତଦାତାଙ୍କ ସଂଖ୍ୟା ୬ଲକ୍ଷ ୯୧ ହଜାର ୫୭୬ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢ଼ୁଥିବା କଣ୍ଟାବାଞ୍ଜି ବିଧାନସଭା ଆସନରେ ସଂସଦୀୟ କ୍ଷେତ୍ରର ସବୁଠୁ କମ୍ ୭୩.୪୧ ପ୍ରତିଶତ ମତଦାନ ହୋଇଥିବା ବେଳେ ସୋନପୁରରେ ସବୁଠୁ ଅଧିକ ୮୩.୨୧ ମତଦାନ ରେକର୍ଡ କରାଯାଇଛି।
ବଲାଙ୍ଗୀର ବିଧାନସଭା କ୍ଷେତ୍ରରେ ୭୬.୩୩, ଟିଟିଲାଗଡ଼ରେ ୭୯.୪୨, ପାଟଣାଗଡ଼ରେ ୭୩.୪୪, ଲୋଇସିଂହାରେ ୭୬.୬୨, ସୋନପୁରରେ ୮୩.୨୧ ଓ ବୀରମହାରାଜପୁରରେ ୮୧.୬୮ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ୨୦୧୯ ଅପେକ୍ଷା ବଲାଙ୍ଗୀରରେ ୩ ପ୍ରତିଶତ, କଣ୍ଟାବାଞ୍ଜିରେ ୬ ପ୍ରତିଶତ, ଟିଟିଲାଗଡ଼ରେ ୭ ପ୍ରତିଶତ, ପାଟଣାଗଡ଼ରେ ୨ ପ୍ରତିଶତ, ଲୋଇସିଂହାରେ ୧ ପ୍ରତିଶତ, ବୀରମହାରାଜପୁରରେ ୧ ପ୍ରତିଶତ ଓ ସୋନପୁରରେ ପାଖାପାଖି ୨ ପ୍ରତିଶତ ମତଦାନ ହାର ବଢ଼ିଥିବା ଦେଖାଯାଇଛି। ସେହିପରି ସ୍ଥାନୀୟ ସମସ୍ୟାକୁ ନେଇ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଦେଓଗାଁ ବ୍ଲକ୍ର କୁହିମୁଣ୍ଡା, ଲୋଇସିଂହା ବ୍ଲକ୍ର ବରଡ଼ୋଲ, ହୀରାପୁର, ସଇନ୍ତଲା ବ୍ଲକ୍ର ଦାବଜୁରି, ଭଣ୍ଡାରବାଞ୍ଜି, ଭିର୍କାପଡ଼ା, ଆଗଲପୁର ବ୍ଲକ୍ର କଣ୍ଠିପାଲି, ପାଟଣାଗଡ଼ ବ୍ଲକ୍ର କହ୍ନେଇଟାଲ, ମୁରିବାହାଲ ବ୍ଲକ୍ର ପାରାବନ୍ଧ ଗ୍ରାମବାସୀ ଭୋଟ୍ ବର୍ଜନ କରିଥିଲେ।
Follow Us