କରୋନାରେ ଆକ୍ରାନ୍ତ ହେଉଛନ୍ତି ଶିଶୁ, ନୂଆପଡ଼ାରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୪ ଜଣିଆ ଟିମ୍‌

Advertisment
କରୋନାରେ ଆକ୍ରାନ୍ତ ହେଉଛନ୍ତି ଶିଶୁ, ନୂଆପଡ଼ାରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୪ ଜଣିଆ ଟିମ୍‌

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଜଣେ ଶିଶୁର କରୋନାରେ ମୃତ୍ୟୁ ବି ହୋଇଛି। ଏଭଳି ସ୍ଥିତିର ସମୀକ୍ଷା କରିବା ପାଇଁ ଶୁକ୍ରବାର ନୂଆପଡ଼ା ଜିଲ୍ଲା ଗସ୍ତ କରିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ୪ଜଣିଆ ଟିମ୍‌। ଏହି ଟିମ୍‌ରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏଡିପିଏଚ୍‌ ଡା. ପ୍ରମିଳା ବରାଳ, ବଲାଙ୍ଗୀର ଜିଲ୍ଲା କମ୍ୟୁନିଟି ମେଡିସିନ ପ୍ରଫେସର ଡା. ମାନସୀ ପଣ୍ଡା, ବଲାଙ୍ଗୀର ଜିଲ୍ଲା ଶିଶୁ ବିଶେଷଜ୍ଞ ଆସି‌ଷ୍ଟାଣ୍ଟ ପ୍ରଫେସର ଡା. ସୁରଜିତ ନାୟକ, ରାଜ୍ୟ ମାଇକ୍ରୋ ବାୟୋଲୋଜିସ୍‌ଷ୍ଟ (ଆଇଡିଏସ୍‌ପି) ସସ୍ମିତା ମଲ୍ଲିକ ରହିଛନ୍ତି।

ଶୁକ୍ରବାର ମଧ୍ୟାହ୍ନରେ ବୋଡ଼େନ ବ୍ଲକ୍‌ କର୍ଲାକୋଟ ପଞ୍ଚାୟତ ସର୍ଗୀମୁଣ୍ଡା ଗାଁରେ କରୋନାରେ ମୃତ୍ୟୁବରଣ କରିଥିବା ଶିଶୁଙ୍କ ପରିବାର ସହ ଟିମ୍‌ର ସଦସ୍ୟମାନେ ଆଲୋଚନା କରିଥିଲେ। ସେହିପରି ଗାଁର କିଛି ଲୋକଙ୍କ ସହ କୋଭି଼ଡ୍‌ ଉପରେ ଆଲୋଚନା କରି ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। ସନ୍ଧ୍ୟାରେ ଟିମ୍‌ ନୂଆପଡ଼ା ପହଞ୍ଚି ମୁଖ୍ୟ ଡାକ୍ତରଖାନ‌ା ସଭାଗୃହରେ କରୋନା ସଂକ୍ରମଣ ଉପରେ ଆୟୋଜିତ ଜିଲ୍ଲାସ୍ତରୀୟ ବୈଠକରେ ଯୋଗଦେଇ ସମୀକ୍ଷା କରିଥିଲେ। ବୈଠକରେ ନୂଆପଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂହ, ନୂଆପଡ଼ା ସିଡିଏମ୍‌ଓ କାଳୀଚରଣ ବେହେରା, ଜିଲ୍ଲା କୋଭିଡ୍‌ ଅଧିକାରୀ ଗୋପାଳ ଚନ୍ଦ୍ର ମଲ୍ଲିକ, ଏଡିପିଏଚ୍‌ଓ ବିନୋଦ ରଥ, ନୂଆପଡ଼ା ଡିପିଏମ୍‌ଓ ବିଶ୍ବମ୍ବର ବେହେରା, ବୋଡ଼େନ ସିଏଚ୍‌ସି ଅଧିକାରୀ ସଚିନ ନାଏକ ଉପସ୍ଥିତ ରହିଥିଲେ। ଜିଲ୍ଲାର ସମସ୍ତ ବ୍ଲକ୍‌ ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ବରେ ଥିବା ଅଧିକାରୀମାନେ ଭର୍ଚୁଆଲ୍‌ ମୋଡ୍‌ରେ‌ ଉପସ୍ଥିତ ଥିଲେ। ଶିଶୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe