ଗୁପ୍ତେଶ୍ୱର ପୀଠର ବିକାଶ ହେବ; ପରିଦର୍ଶନ କଲେ ୪ ବିଧାୟକ

Advertisment
ଗୁପ୍ତେଶ୍ୱର ପୀଠର ବିକାଶ ହେବ; ପରିଦର୍ଶନ କଲେ ୪ ବିଧାୟକ

ବୈପାରିଗୁଡ଼ା: ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱର ପରିଦର୍ଶନ କରିଛନ୍ତି ୪ ବିଧାୟକ ଏବଂ ଜିଲ୍ଲା ସଭାପତି। କୋରାପୁଟ ଜିଲ୍ଲା ବିଜେଡ଼ି ସଭାପତି ଈଶ୍ୱର ପାଣିଗ୍ରାହୀ, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପାଡାଲ, ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ ଗୁପ୍ତେଶ୍ୱର ଠାରେ ପହଞ୍ଚି ଏହି ପୀଠର ସର୍ବାଙ୍ଗୀନ ଉନ୍ନତି ସହ ରାଜ୍ୟର ଅନ୍ୟତମ ପର୍ଯ୍ୟଟନ କେନ୍ଦ୍ର ରୂପେ ପର୍ଯ୍ୟଟନ ବିଭାଗର ମାନଚିତ୍ରରେ ସ୍ଥାନୀତ କରିବା ପାଇଁ ଆଲୋଚନା କରିଥିଲେ।

ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଶୈବପୀଠ ଗୁପ୍ତେଶ୍ୱର ଦୀର୍ଘ ବର୍ଷ ଧରି ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢ଼ୁଆଳରେ ରହିଆସିଥିବା ବେଳେ ଆବଶ୍ୟକତା ଅନୁଯାୟୀ ଏହାର କୌଣସି ବିକାଶ ଘଟି ପାରିନାହିଁ। ବର୍ଷ ସାରା ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ଭିଡ଼ ରହୁଥିଲେ ମଧ୍ୟ ଏହି ପୀଠର ଆନୁସାଙ୍ଗିକ ବିକାଶ ହୋଇପାରି ନାହିଁ। ରାସ୍ତା, ପାନୀୟ ଜଳ, ବିଦ୍ୟୁତିକରଣ ସହ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ସର୍ବନିମ୍ନ ସୁବିଧା ଯୋଗାଇ ଦିଆଯାଇପାରି ନାହିଁ। ଏସଂପର୍କରେ ଚଳିତ ବିଧାନସଭାରେ ପ୍ରଶ୍ନ ମଧ୍ୟ ଉପସ୍ଥାପନ କରାଯାଇଥିଲା। ତେବେ ଆଜି ୪ ଜଣ ବିଧାୟକ ଗୁପ୍ତେଶ୍ୱର ଠାରେ ପହଞ୍ଚି ଏହି ପୀଠକୁ ରାଜ୍ୟର ଅନ୍ୟତମ ପର୍ଯ୍ୟଟନ କେନ୍ଦ୍ର କରିବା ପାଇଁ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଫଳରେ ଆଲୋଚନା ବ୍ଲକବାସୀଙ୍କ ମନରେ ନୂତନ ଆଶା ସଂଚାର କରିଛି।

publive-image

ଏସଂପର୍କରେ ଜିଲ୍ଲା ବିଜେଡ଼ି ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ସାମ୍ବାଦିକଙ୍କୁ କହିଛନ୍ତି ଯେ, ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଶୈବପୀଠ ଗୁପ୍ତେଶ୍ୱରକୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଆଗତ କରାଯିବ। ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କ ସର୍ବନିମ୍ନ ସୁବିଧା ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ। ବର୍ଷସାରା ଯାତ୍ରୀଙ୍କର ଯାତାୟାତ ରହିଥିବା ତଥା ବିଶେଷ କରି ଶ୍ରାବଣ ମାସରେ ହଜାର ହଜାର ସଂଖ୍ୟାରେ ରାଜ୍ୟର ବିଭିନ୍ନ ଅଂଚଳରୁ କାଉଡ଼ିଆ ପହଞ୍ଚୁ ଥିବାରୁ ଏକ ବିଶେଷ ଯୋଜନା ହାତକୁ ନିଆଯାଇଛି। ବାଲିଗାଁ ଛକ ଠାରୁ ଗୁପ୍ତେଶ୍ୱର ଯାଏ  ଘାଟି କଟାଯାଇ ରାସ୍ତା ରାସ୍ତା ପ୍ରଶସ୍ତିକରଣ କରି ଗମନାଗମନକୁ ସୁଗମ କରାଯିବାକୁ ସ୍ବତନ୍ତ୍ର ଅର୍ଥ ବ୍ୟବସ୍ଥା କରାଯିବା ସହ ଏହି କାମ ଆଗେଇ ଚାଲିଛି। ଶତାଧିକ ଯାନବାହନ ଗୁପ୍ତେଶ୍ୱର ଅଭିମୁଖେ ଆସୁଥିବାରୁ ସେଥିପାଇଁ ସ୍ବତନ୍ତ୍ର ଭାବେ ପାର୍କିଂ ବ୍ୟବସ୍ଥା କରାଯିବ। ସମସ୍ତ ଯାତ୍ରୀଙ୍କ ସୁବିଧା ପାଇଁ ଶୌଚାଳୟ ନିର୍ମାଣ କରାଯିବ। ପାନୀୟ ଜଳ ଏବଂ ବିଦ୍ୟୁତିକରଣ ପାଇଁ ବିଶେଷ ଧ୍ୟାନ ଦିଆଯିବ। ପର୍ବପର୍ବାଣୀ ତଥା ଶ୍ରାବଣ ମାସରେ ହଜାର ହଜାର ଭକ୍ତଙ୍କ ସମାଗମ ହେତୁ ଚିକିତ୍ସା ପାଇଁ ଏବଂ ଜରୁରୀ ସେବା ପାଇଁ ଚିକିତ୍ସା ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ। ଗୁପ୍ତେଶ୍ୱର ପୀଠର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ। ବ୍ୟବସାୟୀଙ୍କ ପାଇଁ ୩୦୦ ଦୋକାନ ଗୃହ ନିର୍ମାଣ କରାଯିବ ବୋଲି ମଧ୍ୟ ଶ୍ରୀ ପାଣିଗ୍ରାହୀ କହିଛନ୍ତି। କାର୍ଯ୍ୟକ୍ରମକୁ ବୈପାରିଗୁଡା ବିଜେଡ଼ି ଆବାହକ ହେମନ୍ତ କୁମାର ମହାପାତ୍ର ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe