Image Courtesy of Times of India
ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ରେଳବାଇ ଦୋହରୀକରଣ କାର୍ଯ୍ୟରେ ନିୟୋଜିତ ଜେସିବି ଓ ହାଇୱା ଜାଳିଦେବା ଘଟଣାରେ ଜଲଡେଗା ପୁଲିସ ୪ ପିଏଲ୍ଏଫ୍ଆଇ ସଦସ୍ୟକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଜାଗେଶ୍ବର ସିଂହ ଓରଫ ଜାଗେ, କାନାରୋଗା ବରଖେଡାଟୋଲିର ଦୀପକ ଟପ୍ନୋ, ରାଜାଟୋଲିର କିଶୋର ସୁରିନ ଓ ଜଲଡେଗା ଥାନା ଅନ୍ତର୍ଗତ ବିଙ୍ଗାଟୋଲିର ଜୋନ୍ ସୁରିନ୍। ଗିରଫ ପିଏଲ୍ଏଫ୍ଆଇ ବ୍ୟବହାର କରିଥିବା ମୋଟରବାଇକ୍କୁ ମଧ୍ୟ ଜବତ କରାଯାଇଛି। ଏମାନେ ଅନ୍ୟ କେଉଁ କେଉଁ ହିଂସାକାଣ୍ଡରେ ସମ୍ପୃକ୍ତ ଅଛନ୍ତି, ପୁଲିସ ତା’ର ତଦନ୍ତ ଚଳାଇଛି। ଉଲ୍ଲେଖଯୋଗ୍ୟ, ଗତ ୧୮ ତାରିଖ ବିଳମ୍ବିତ ରାତିରେ ବୀରମିତ୍ରପୁର ଠାରୁ ପ୍ରାୟ ୧୫ କି.ମି ଦୂର ରେଳ ଲାଇନ ଦୋହରୀକରଣ କାମରେ ନିୟୋଜିତ ଜେସିବି, ପାଣି ଟାଙ୍କି ଓ ହାଇୱାକୁ ପିଏଲ୍ଏଫ୍ଆଇ ସଦସ୍ୟମାନେ ନିଆଁ ଲଗାଇ ଜାଳି ଦେଇଥିଲେ। ସେମାନେ ଘଟଣାସ୍ଥଳରେ ଧମକପୂର୍ଣ୍ଣ ପୋଷ୍ଟର ମଧ୍ୟ ଛାଡି ଯାଇଥିଲେ।
ପିଏଲ୍ଏଫ୍ଆଇ ସଙ୍ଗଠନ କର୍ମକର୍ତ୍ତାଙ୍କ ଆଲୋଚନା ବିନା ରେଳ ଲାଇନ ଦୋହରୀକରଣ କାମ ହୋଇପାରିବ ନାହିଁ, ଯଦି ଜୋରଜବରଦସ୍ତ ଠିକା ସଂସ୍ଥା ପକ୍ଷରୁ କାମ କରାଯାଏ, ପରିସ୍ଥିତି ଭୟାବହ ହେବ ବୋଲି ଉକ୍ତ ପୋଷ୍ଟରରେ ଉଲ୍ଲେଖ ରହିଥିଲା। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟରବାତାବରଣ ସୃଷ୍ଟି ହୋଇଥିଲା। ଓଡଗାଁ ଷ୍ଟେସନ ନିକଟରେ ରେଳବାଇ ଦୋହରୀକରଣ କାମ ଚାଲିଥିଲା। ବିହାରର ଏକ ଠିକାସଂସ୍ଥା ପକ୍ଷରୁ ରେଳଲାଇନ ବିଛା ହେଉଥିଲା। ବିଳମ୍ବିତ ରାତିରେ ପିଏଲ୍ଏଫ୍ଆଇ କିଛି ସଦସ୍ୟ ଅସ୍ତ୍ରଶସ୍ତ୍ର ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। କାର୍ଯ୍ୟସ୍ଥଳରେ ଉପସ୍ଥିତ ଥିବା ସୁପରଭାଇଜରଙ୍କୁ ବଟି ମାଗିଥିଲେ ଓ ଠିକାସଂସ୍ଥାର ମାଲିକଙ୍କ ସହ କଥା ହୋଇଥିଲେ। ଠିକା ସଂସ୍ଥାର ମାଲିକ ଦାବି ମୁତାବକ ବଟି ଦେବାକୁ ଅରାଜି ହେବାରୁ ପିଏଲ୍ଏଫ୍ଆଇ ସଦସ୍ୟମାନେ ଘଟଣାସ୍ଥଳରେ କାମ ବନ୍ଦ କରିଥିଲେ। ସୁପରଭାଇଜରଙ୍କୁ ଧମକ ଦେଇ ସେଠାରୁ ବିଦା କରିଦେଇଥିଲେ। ପରେ ରେଳ ଲାଇନ ବିଛା କାମରେ ନିୟୋଜିତ ଜେସିବି, ହାଇୱା ଓ ପାଣି ଟାଙ୍କିରେ ନିଆଁ ଲଗାଇ ଫେରାର ହୋଇଯାଇଥିଲେ।
Follow Us