ପ୍ରଶ୍ନର ଉତ୍ତର ଦେଇ ପାରିଲେନି ବୋଲି ଶିକ୍ଷକଙ୍କ ମାଡ଼ରେ ୪ ଛାତ୍ରୀ ଗୁରୁତର, ୧୦ ଆହତ

Advertisment
ପ୍ରଶ୍ନର ଉତ୍ତର ଦେଇ ପାରିଲେନି ବୋଲି ଶିକ୍ଷକଙ୍କ ମାଡ଼ରେ ୪ ଛାତ୍ରୀ ଗୁରୁତର, ୧୦ ଆହତ

Counterpoint

ବାସୁଦେବପୁର : ଜ୍ୟାମିତି ପ୍ରଶ୍ନର ଉତ୍ତର ଦେଇନପାରିବାରୁ ଛାତ୍ରଛାତ୍ରୀଙ୍କୁ ନିର୍ଘାତ ମାଡ଼ ମାରିଛନ୍ତି ଶିକ୍ଷକ। ଏମିତି ମାଡ଼ ଯେ ପିଲାଙ୍କ ପିଠିରେ ନୋଳା ଫାଟିଯାଇଛି। ଏଥିରେ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ୪ ଜଣ ଛାତ୍ରୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ବେଳେ ଅନ୍ୟ ୧୦ ଜଣ ମଧ୍ୟ ଆହତ ହୋଇଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଗୋପବନ୍ଧୁନଗର ପଞ୍ଚାୟତ ସୁନାମୁହିଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଅଭାବନୀୟ ଘଟଣାକୁ ନେଇ ଆଜି ଦିନତମାମ୍‌ ସେଠାରେ ଉତ୍ତେଜନା ଦେଖାଦେଇଛି। ମାଡ଼ ମାରିଥିବା ଶିକ୍ଷକଙ୍କୁ କଶିଆ ସାମୁଦ୍ରିକ ଥାନାରେ ଅଟକ ରଖିଛି ପୁଲିସ। ଖବର ଲେଖା ହେବା ଯାଏ ଅଭିଭାବକମାନଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ଅଭିଯୋଗ ହୋଇନଥିଲେ ମଧ୍ୟ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ।

ଛାତ୍ରଛାତ୍ରୀଙ୍କ କହିବା ମୁତାବକ, ସୁନାମୁହିଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ କଳ୍ପତରୁ ମଲ୍ଲିକ ଆଜି ଅଷ୍ଟମ ଶ୍ରେଣୀରେ ଜ୍ୟାମିତି ପଢ଼ାଉଥିବା ବେଳେ ଏକ ପ୍ରଶ୍ନ ପଚାରିଥିଲେ। ତେବେ ପିଲାମାନେ କିଛି ଉତ୍ତର ରଖିବା ଆଗରୁ ଶିକ୍ଷକ ଶ୍ରୀ ମଲ୍ଲିକ ହଠାତ ଉତ୍‌କ୍ଷିପ୍ତ ହୋଇ ପିଲାମାନଙ୍କୁ ବାଡ଼ିରେ ପିଟିବା ଆରମ୍ଭ କରିଥିଲେ। ଏମିତିକି ବାଡ଼ିଟି ଭାଙ୍ଗିଯିବା ପରେ ମଧ୍ୟ ଚାପୁଡା, ବିଧା ମାରି ଚାଲିଥିଲେ। ଶ୍ରେଣୀ କକ୍ଷରେ ପିଲାମାନଙ୍କର କାନ୍ଦବୋବାଳି ଶୁଣି ବିଦ୍ୟାଳୟର ଅନ୍ୟ ଶିକ୍ଷକମାନେ ଧାଇଁ ଆସି ଛଡ଼ାଇବାରୁ ସେମାନେ ବର୍ତ୍ତି ଯାଇଥିବା ଛାତ୍ରୀମାନେ ପ୍ରକାଶ କରିଛନ୍ତି। ଗୁରୁତର ଆହତ ୪ ଜଣ ଛାତ୍ରୀଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ନେଇ ଅଭିଭାବକମାନେ ଚିକିତ୍ସା କରିଥିବା ଜଣାପଡ଼ିଛି। ମାଡ଼ ଖାଇଥିବା ଅନ୍ୟ ୧୦ ଜଣ ମଧ୍ୟ ସେହି ଅଷ୍ଟମ ଶ୍ରେଣୀର ଛାତ୍ର। ଘଟଣାଟି ନିଆଁ ଭଳି ବ୍ୟାପିଯିବା ପରେ ଅଭିଭାବକମାନେ ବିଦ୍ୟାଳୟରେ ପହଞ୍ଚି ଶିକ୍ଷକଙ୍କୁ ଘେରିଥିଲେ। ହେଲେ ସେ ଓଲଟା ନାଲି ଆଖି ଦେଖାଇଥିବା ଅଭିଯୋଗ ହୋଇଛି।

publive-image

ସ୍ଥିତି ଉତ୍ତେଜନା ଆଡ଼କୁ ଗତି କରିବାରୁ ଘଟଣାସ୍ଥଳରେ କଶିଆ ସାମୁଦ୍ରିକ ଥାନା ପୁଲିସ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ଶିକ୍ଷକ ଶ୍ରୀ ମଲ୍ଲିକଙ୍କୁ ଥାନାକୁ ନେଇ ଯାଇଥିବା ଜଣାପଡ଼ିଛି। ଏ ସଂକ୍ରାନ୍ତରେ ସ୍କୁଲର ପ୍ରଧାନଶିକ୍ଷକ ବିଇଓ ଓ ସିଆରସିଙ୍କୁ ଜଣାଇଥିବା ବେଳେ ସୋମବାର ଘଟଣାର ବିଧିବଦ୍ଧ ତଦନ୍ତ ହେବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର ଏ ସଂପର୍କରେ କିଛି ଜାଣିନଥିବା ଏବଂ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି।

ପ୍ରକାଶଥାଉକି, ଦୁଇ ସପ୍ତାହ ତଳେ ଭଣ୍ଡାରିପୋଖରୀ ବ୍ଳକ ଅରେଇକଣା ୟୁଜିଏମ୍‌ଇ ସ୍କୁଲରେ ଜଣେ ଛାତ୍ରୀଙ୍କୁ ମାଡ଼ ମାରିବା ଯୋଗୁଁ ଗ୍ରାମବାସୀ ସ୍କୁଲ ଆଗରେ ଧାରଣା ଦେବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହି ଘଟଣାରେ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe