southreelnews.com
ଚମ୍ପୁଆ : ପୁଅ ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। କାର୍ଡ ବଣ୍ଟାଯାଇ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବାଜାବାଣ ପାଇଁ ଅଗ୍ରୀମ ଟଙ୍କା ଦିଆଯାଇଥିଲା। ହେଲେ କରୋନା ପାଇଁ ଲକ୍ଡାଉନ୍ ଅବଧି ବୃଦ୍ଧି ପାଇବା ପରେ ସବୁ ପ୍ରସ୍ତୁତି ଫସର ଫାଟିଛି। ସ୍ଥଗିତ ରହିଲା ବାହାଘର। କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ରଙ୍ଗାମାଟିଆ ପଞ୍ଚାୟତ ରରୁଆଁଗୋଡ଼ା ଗ୍ରାମରୁ ଏଭଳି ଖବର ଆସିଛି।
ଏହି ଗ୍ରାମର ଧନେଶ୍ବର ନାଏକଙ୍କ ପୁଅ ରୋହିତଙ୍କ ବିବାହ ଘଟଗାଁ ବ୍ଲକ୍ କୁଣ୍ଡାପିଠ ଗ୍ରାମର ରତନୀ ପଇଦାଙ୍କ ଝିଅ ତଅପୋଇ ସହ ସ୍ଥିର ହୋଇଥିଲା। ଲକ୍ଡାଉନ୍ ପୂର୍ବରୁ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। କରୋନା ସଂକ୍ରମଣ ରୋକିବା ପାଇଁ ସରକାର ଲକ୍ଡାଉନ୍ ଘୋଷଣା କରିବା ସହ ବିବାହ, ବ୍ରତ ସମେତ ସମସ୍ତ ସାମାଜିକ କାର୍ଯ୍ୟ ଉପରେ କଟକଣା ଲଗାଇଥିଲେ। ଉଭୟ ପକ୍ଷଙ୍କ ନିଷ୍ପତ୍ତିକ୍ରମେ ଏପ୍ରିଲ ୧୫ ତାରିଖରେ ଲକ୍ଡାଉନ୍ ଶେଷ ହେବା ପରେ ୧୭ ତାରିଖରେ ବାହାଘର ହେବ ବୋଲି ସ୍ଥିର ହୋଇଥିଲା। ବାହାଘର ପାଇଁ ଉଭୟ ପକ୍ଷ ପ୍ରସ୍ତୁତି ଆରମ୍ଭ କରିଥିଲେ। ବରପକ୍ଷ ବାଜାବାଣ, ଟେଣ୍ଟବାଲାକୁ ଅଗ୍ରୀମ ଟଙ୍କା ପଇଠ କରିଥିଲେ। କାର୍ଡ ଛାପି ବନ୍ଧୁବାନ୍ଧବଙ୍କୁ ବାଣ୍ଟିଥିଲେ। କନ୍ୟାପକ୍ଷ ମଧ୍ୟ ସମସ୍ତ ଯାନିଯୌତୁକ ଯୋଗାଡ଼ କରିଥିଲେ। ଝିଅ ପାଇଁ ସବୁକିଛି କିଣାକିଣି ସରିଥିଲା। ଲକ୍ଡାଉନ୍ ଶେଷ ହେବା ପରେ କେବଳ ବାହାଘର ହୋଇଥାନ୍ତା। ହେଲେ ଏହା ପୂର୍ବରୁ ପ୍ରଥମେ ରାଜ୍ୟ ସରକାର ଏପ୍ରିଲ ୩୦ ତାରିଖ ଓ କେନ୍ଦ୍ର ସରକାର ମେ ୩ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ଅବଧିକୁ ବୃଦ୍ଧି କରିବାକୁ ଘୋଷଣା କରିବା ପରେ ବାହାଘର ଅଟକି ଯାଇଛି। ଏହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଉଭୟ ବର ଓ କନ୍ୟାପକ୍ଷ।
ଏନେଇ ବରପିତା ଧନେଶ୍ବର କହିଛନ୍ତି, ବାହାଘର ପାଇଁ ବାଜାବାଣ, ଗାଡ଼ି ଓ ଟେଣ୍ଟବାଲାକୁ ଅଗ୍ରୀମ ଟଙ୍କା ଦିଆଯାଇଥିଲା। ଲକ୍ଡାଉନ୍ ଅବଧି ବୃଦ୍ଧି ଯୋଗୁଁ ସବୁ ଟଙ୍କା ବେକାର ଗଲା। କନ୍ୟାଙ୍କ ମା' ରତନୀ ପଇଦା କହିଛନ୍ତି, ବାହାଘର ସ୍ଥଗିତ ଯୋଗୁଁ ପରିବାର ଲୋକେ ନିରାଶ ହୋଇଛନ୍ତି। ଲକ୍ଡାଉନ୍ ଶେଷ ହେବା ପରେ ବାହାଘର ପାଇଁ ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି। ସେହିପରି ପର୍ଶଳା ଗ୍ରାମରେ ଚଳିତ ମାସ ୨୫, ୨୬, ମେ ମାସର ୨ ଓ ୪ ତାରିଖରେ ୪ଜଣ ଝିଅଙ୍କ ବାହାଘର ସ୍ଥିର ହୋଇଥିଲା। ଲକ୍ଡାଉନ୍ ଅବଧି ବଢ଼ିବା ପରେ ବିବାହ ଉତ୍ସବକୁ ସ୍ଥଗିତ ରଖାଯାଇଛି।
Follow Us