Photograph: (sambad.in)
ଭୁବନେଶ୍ବର: ୩୭ତମ ସଂସଦୀୟ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଅବସରରେ ସଂସଦ ସଚିବାଳୟର ପାର୍ଲିଆମେଣ୍ଟାରି ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସିଜ୍ (ପ୍ରାଇଡ୍) ତରଫରୁ ୧୨ଟି ଦେଶର ୪୦ ଜଣ ବିଦେଶୀ ପ୍ରତିନିଧି ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ପ୍ରତିନିଧିମାନଙ୍କୁ ସ୍ବାଗତ କରିବା ସହ ଓଡ଼ିଶାର ଦୃଢ଼ ଗଣତାନ୍ତ୍ରିକ ପରମ୍ପରା ଏବଂ ବିଧାନସଭାର ୮୯ବର୍ଷର ଉତ୍ସର୍ଗୀକୃତ ଜନସେବାର ଐତିହ୍ୟ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ଓଡ଼ିଶା ରାଜ୍ୟ ବିଧାନସଭାର ସଂସଦୀୟ କାର୍ଯ୍ୟ ପ୍ରଣାଳୀ ଭାରତର ଅନ୍ୟତମ ସର୍ବଶ୍ରେଷ୍ଠ। ୨୦୨୪ ଜୁନ୍ରୁ ୨୦୨୫ ଜୁନ୍ ମଧ୍ୟରେ ଓଡ଼ିଶା ବିଧାନସଭାରେ ୬୨ଟି ବୈଠକ ପରିଚାଳନା କରିଛି ଏବଂ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍, ୨୦୨୪ ଉପରେ ରେକର୍ଡ ୧୨ ଘଣ୍ଟା ୨୫ ମିନିଟ୍ ବିତର୍କ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହାସହ ଓଡ଼ିଶା ବିଧାନସଭାର ବିଭିନ୍ନ ସଫଳତା ବିଷୟରେ ମୁଖ୍ୟମନ୍ତ୍ରୀ କହିଥିଲେ। ଓଡ଼ିଶାର ସାଂସ୍କୃତିକ ସମୃଦ୍ଧି ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ପୂର୍ବ ଭାରତର ସାଂସ୍କୃତିକ କେନ୍ଦ୍ର ଭାବେ ବର୍ଣ୍ଣନା କରିଥିଲେ। ବିଦେଶୀ ପ୍ରତିନିଧିମାନେ ପୂର୍ବରୁ ପୁରୀ, କୋଣାର୍କ, ଧଉଳି ଓ ଅନ୍ୟାନ୍ୟ ଐତିହ୍ୟସ୍ଥଳୀ ପରିଦର୍ଶନ କରିଥିଲେ। ସେମାନେ ଓଡ଼ିଶାର ଐତିହ୍ୟ ଓ ଆତିଥ୍ୟର ଉଚ୍ଚ ପ୍ରଶଂସା କରିଥିଲେ।
ଏହି ଅବସରରେ ରାଜ୍ୟସଭା ସାଂସଦ ସୁଜିତ କୁମାର ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପ୍ରତିନିଧିତ୍ବ କରୁଥିବା ତୁର୍କମେନିସ୍ତାନର ମଜଲିସ୍ (ସଂସଦ) ସଦସ୍ୟ କରିମଗୁଲି ଗୁରବାଙ୍ଗୁଲିଭିଚ୍ ଗେଲଡିୟେଭ ଗଣତନ୍ତ୍ରରେ ସ୍ୱଚ୍ଛତା ଓ ଡିଜିଟାଲ୍ ସଂସ୍କାର ପ୍ରତି ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ସଚିବ (ସଂସଦୀୟ ବ୍ୟାପାର) ସୁରେନ୍ଦ୍ର କୁମାର, ବିଧାନସଭାର ସଚିବ ସତ୍ୟବ୍ରତ ରାଉତ, ପ୍ରାଇଡ୍ର ନିର୍ଦ୍ଦେଶକ ପ୍ରଶାନ୍ତ ମଲ୍ଲିକ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
Follow Us