କଳାବାଡ଼ିଆ: ମହାମାରୀ କରୋନା ପାଇଁ ସବୁଥିରେ ଲାଗିଛି କଡ଼ା କଟକଣା। ସୀମିତସଂଖ୍ୟକ ଲୋକଙ୍କୁ ନେଇ ସାମାଜିକ କାର୍ଯ୍ୟକ୍ରମ କରାଯାଉଛି। ଯେମିତିକି ବାହାଘର। ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ ବୋଲି ନିୟମ କରିଛନ୍ତି ସରକାର। ଏହାଛଡ଼ା ପୁଲିସ ପାଖରୁ ଅନୁମତିପତ୍ରକୁ ବାଧ୍ୟତାମୂଳକ କରାଯାଇଛି। ଆଜି ଓ ଆସନ୍ତାକାଲି ବାହାଘର ପାଇଁ ଶୁଭଦିନ ରହିଛି। ତେଣୁ ଲୋକେ ଏଥିପାଇଁ ମୟୂରଭଞ୍ଜର ବାଙ୍ଗିରିପୋଷି ଥାନାରେ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି। ଏଯାବତ ଥାନା ପକ୍ଷରୁ ୪୦ଟି ବାହାଘର ପାଇଁ ଅନୁପତ୍ର ଦିଆସରିଛି। ଅନ୍ୟପଟେ ଅନୁମତିପତ୍ର ଦେବା ପାଇଁ ପୁଲିସ ମଧ୍ୟ ନାକେଦମ୍ ହୋଇଗଲାଣି। କାରଣ କରୋନା କଟକଣା ଉପରେ ନଜର ରଖିବା ତଥା ଅନ୍ୟ କାମ ପାଇଁ ଅଧିକ ସମୟ ଦେଇପାରୁନି। ଥାନାରେ ଅଭିଯୋଗ ନେଇ ଆସୁଥିବା ଲୋକଙ୍କର ଭିଡ଼ ମଧ୍ୟ ଲାଗିରହୁଛି। ବର୍ତ୍ତମାନ କରୋନା ଯେମିତି ଭୟଙ୍କର ଭାବେ ମାଡ଼ିଚାଲିଛି ଓ ଗୋଟିଏ ପରେ ମୁଣ୍ଡ ନେଉଛି, ସେହି ସମୟରେ ଥାନାରେ ଭିଡ଼କୁ ନେଇ ପୁଲିସ କର୍ମଚାରୀ ମଧ୍ୟ ଆତଙ୍କିତ ହୋଇ ପଡ଼ିଛନ୍ତି।
କରୋନା ସତ୍ତ୍ବେ ୨ ଦିନରେ ୪୦ ବିବାହ
Advertisment
Follow Us