ମଲ୍‌ଟି ସ୍କିଲ ତାଲିମ କାର୍ଯ୍ୟକ୍ରମ: ୪୦ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ

Advertisment
ମଲ୍‌ଟି ସ୍କିଲ ତାଲିମ କାର୍ଯ୍ୟକ୍ରମ: ୪୦ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଯୁବକ ଯୁବତୀମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ନିଯୁକ୍ତି ଉପଯୋଗୀ ତାଲିମ ଦେଇ ସେମାନଙ୍କ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ରାଉରକେଲା ବିପିୟୁଟି କ୍ୟାମ୍ପସରେ ଥିବା ‘ସିପେଟ’ଠାରେ ମାଗଣାରେ ‘ମଲ୍ଟି ସ୍କିଲ ତାଲିମ କାର୍ଯ୍ୟକ୍ରମ’ରେ (ଏମଏସଟିପି) ତାଲିମ ନେଇଥିବା ମୋଟ ୪୦ ଜଣ ପ୍ରାର୍ଥୀଙ୍କୁ ସାର୍ଟିଫିକେଟ୍ ଓ ନିଯୁକ୍ତିପତ୍ର ସହିତ ସ୍ଵତନ୍ତ୍ର କିଟ୍ ପ୍ରଦାନ କରାଯାଇଛି। ଏଥିପାଇଁ ଗୁରୁବାର ଦିନ ସିପେଟଠାରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପଵନ କଲ୍ୟାଣ ଯୋଗଦେଇ ପ୍ରାର୍ଥୀମାନଙ୍କୁ ସାର୍ଟିଫିକେଟ୍ ଓ ନିଯୁକ୍ତିପତ୍ର ସହ କିଟ୍ ପ୍ରଦାନ କରିଥିଲେ।

ତାଲିମପ୍ରାପ୍ତ ୪୦ ଜଣ ପ୍ରାର୍ଥୀ ବିଭିନ୍ନ କମ୍ପାନିରେ ନିଯୁକ୍ତି ପାଇଥିବାରୁ ଏହି ଅବସରରେ ଜିଲ୍ଲାପାଳ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ସହଯୋଗ ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ରାଉରକେଲା ସିପେଟ୍ କେନ୍ଦ୍ରରେ ମଲ୍ଟି ସ୍କିଲ ତାଲିମ କାର୍ଯ୍ୟକ୍ରମ ଚାଲିଛି। ଏହା ଅଧୀନରେ ପ୍ରାର୍ଥୀମାନଙ୍କୁ ପ୍ଲମ୍ବିଂ, ୱେଲଡିଂ, ଇଲେକ୍ଟ୍ରିକାଲ ସହିତ ସୋଲାର ପିଭି ଇନଷ୍ଟଲେସନ ଆଦି ବିଷୟ ଉପରେ ତାଲିମ ଦିଆଯାଉଛି। ଏହି ୬ ମାସିଆ ତାଲିମ କାର୍ଯ୍ୟକ୍ରମରେ ମୋଟ ୪୦ ଜଣ ପ୍ରାର୍ଥୀ ତାଲିମ ନେଇଥିଲେ।

ଏହି ପାଠ୍ୟକ୍ରମ ଲାଗି ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକର ପ୍ରାର୍ଥୀମାନଙ୍କୁ ଅଗ୍ରାଧିକାର ଦିଆଯାଉଛି। ପ୍ରାର୍ଥୀମାନଙ୍କ ତାଲିମ ବାବଦ ଖର୍ଚ୍ଚ ସହିତ ସେମାନଙ୍କ ହଷ୍ଟେଲ, ଖାଇବା, ୟୁନିଫର୍ମ ଏବଂ ଆବଶ୍ୟକ କିଟ୍ ଆଦି ଲାଗି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।ରାଉରକେଲାସ୍ଥିତ ସିପେଟଠାରେ ୬ ମାସିଆ ମଲ୍ଟି ସ୍କିଲ ଟ୍ରେନିଙ୍ଗ ପ୍ରୋଗ୍ରାମ (ଏମଏସଟିପି) ସହିତ ମେସିନ ଅପରେଟର ପ୍ଲାଷ୍ଟିକ୍ସ ପ୍ରୋସେସିଂ (ଏମଓପିପି) ପାଠ୍ୟକ୍ରମ ମଧ୍ୟ ରହିଛି। ଏମଏସଟିପି ପାଠ୍ୟକ୍ରମରେ ପ୍ରାର୍ଥୀମାନଙ୍କୁ ରାଉରକେଲା କେନ୍ଦ୍ରଠାରେ ପ୍ରଥମ ୪ ମାସ ଥିଓରି ତାଲିମ ପରେ ସିପେଟର ଭୁବନେଶ୍ଵର କେନ୍ଦ୍ରଠାରେ ଦୁଇ ମାସ ଧରି ଅତିରିକ୍ତ ତାଲିମ ଦିଆଯାଇଥିଲା। ସାର୍ଟିଫିକେଟ୍ ଓ ନିଯୁକ୍ତିପତ୍ର ପ୍ରଦାନ ବେଳେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ନିୟୋଜନ ଅଧିକାରୀ ଜ୍ୟୋତି ପ୍ରକାଶ ସେଠୀ, ସିପେଟ, ଭୁବନେଶ୍ୱରର ନିର୍ଦ୍ଦେଶକ ଭଞ୍ଜ ପ୍ରସାଦ ପାତ୍ର ଏବଂ ଡିଏମଏଫର ଜୀବିକା ବିଶେଷଜ୍ଞ ଅଞ୍ଜନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ସିପେଟ ସହ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ଖଣି ପ୍ରଭାବିତ ୬ଟି ବ୍ଲକ - କୋଇଡ଼ା, ଲହୁଣୀପଡ଼ା, କୁଆରମୁଣ୍ଡା, ରାଜଗାଙ୍ଗପୁର, କୁତ୍ରା ଓ ହେମଗିରର ଅନୁସୂଚିତ ଜାତି ଓ ଜନଜାତି ତଥା ଆର୍ଥିକ ଅନଗ୍ରସର ବର୍ଗର ପିଲାମାନଙ୍କୁ ପ୍ଲାଷ୍ଟିକ ଟେକ୍ନୋଲୋଜିରେ ତାଲିମ ଦେବା ସହିତ ସେମାନଙ୍କୁ ରୋଜଗାରକ୍ଷମ କରାଇବା ଲାଗି ସରକାରଙ୍କ ପକ୍ଷରୁ ଏହି ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe