‘ପରମ୍‌ଗୁରୁ’ କଳାଧନ ଉପରେ ପୁଲିସ ପ୍ରହାର: ପୁଲିସ ଖୋଲିଲା ନିଶା ବେପାରିର ବ୍ୟାଙ୍କ୍‌ ଲକର

୪୦୦ଗ୍ରାମ୍‌ ସୁନାଗହଣା ଜବତ, ବ୍ୟାଙ୍କ୍‌ ଏକାଉଣ୍ଟ୍ ଫ୍ରିଜ୍‌

‘ପରମ୍‌ଗୁରୁ’ କଳାଧନ ଉପରେ ପୁଲିସ ପ୍ରହାର: ପୁଲିସ ଖୋଲିଲା ନିଶା ବେପାରିର ବ୍ୟାଙ୍କ୍‌ ଲକର

ଖୋର୍ଦ୍ଧା: ଆକ୍ସନ ମୁଡ଼୍‌ରେ ଖୋର୍ଦ୍ଧା ଜିଲ୍ଲା ପୁଲିସ। ବ୍ରାଉନ୍‌ସୁଗାର, ବନ୍ଧୁକ, ଗୁଳି କାରବାର ଭଳି ସଂଗଠିତ ଅପରାଧିକ କଳା କାରବାରକୁ ଖୋର୍ଦ୍ଧା ଜିଲ୍ଲାରୁ ସମାପ୍ତ କରିବା ପାଇଁ ନୂଆ ବର୍ଷରୁ ପୁଲିସ ଆରମ୍ଭ କରିଛି ନୂଆ ଉଦ୍ୟମ। ଏହି କ୍ରମରେ ଆଜି ବ୍ରାଉନ୍‌ସୁଗାର, ବନ୍ଧୁକ ଓ ଗୁଳି କାରବାରର ମାଫିଆ ଶ୍ରୀବତ୍ସ ପରମ୍‌ଗୁରୁର ବ୍ୟାଙ୍କ୍‌ ସମ୍ପତ୍ତି ଜବତ ହୋଇଛି। ଖୋର୍ଦ୍ଧାକୁ ଗୁଳି ସେ କେଉଁଠାରୁ ଆଣିଥିଲା ପୁଲିସ ତା’ର ତନାଘନା ଜାରି ରଖିଛି।

ସୂଚନା ମୁତାବକ, ଗତ ଜାନୁଆରି ପହିଲା ଦିନ ଶ୍ରୀ ପରମ୍‌ଗୁରୁକୁ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୁଲିସ ଗିରଫ କରିଥିଲା। ତା’ ନାଁରେ ଅଭିଯୋଗ ଥିଲା ବନ୍ଧୁକ ଓ ଗୁଳି ବେପାର। ପୁଲିସ୍‌ର କହିବା ମୁତାବକ, ଶ୍ରୀ ପରମ୍‌ଗୁରୁ ନାଁରେ ୫ଗୋଟି ମାମଲା ଥିଲା। ତନ୍ମଧ୍ୟରୁ ତିନି ଗୋଟି ମାମଲା ବ୍ରାଉନସୁଗାର କାରବାର ହୋଇଥିବା ବେଳେ ଅନ୍ୟ ଦୁଇଟି ଥିଲା ବନ୍ଧୁକ ଓ ଗୁଳିର। ୨୦୧୮ ମସିହାରୁ କଳା ସାମ୍ରାଜ୍ୟ ସହିତ ଜଡ଼ିତ ଥିଲା ପରମ୍‌ଗୁରୁ। ଥରକୁ ଥର ପୁଲିସ ହାତରେ ଯଦିଓ ଧରାପଡ଼ୁଥିଲା, କିନ୍ତୁ କଳା ସାମ୍ରାଜ୍ୟ ଛାଡ଼ିନଥିଲା। ୨୦୧୮ ମସିହା ଫେବ୍ରୁଆରି ମାସରେ ବ୍ରାଉନ୍‌ସୁଗାର ମାମଲାରେ ଖୋର୍ଦ୍ଧା ଟାଉନ ଥାନା ପୁଲିସ ହାତରେ ଶ୍ରୀ ପରମ୍‌ଗୁରୁ ଧରାପଡ଼ିଥିବା ବେଳେ ସେହିବର୍ଷ ଜୁନ୍‌ ମାସରେ ତା’ ନାଁରେ ହୋଇଥିଲା ବନ୍ଧୁକ ମାମଲା। ତୃତୀୟ ମାମଲା କରିଥିଲା ବେଗୁନିଆ ଥାନା ପୁଲିସ। ସେଠି ବି ଏକ ବ୍ରାଉନ୍‌ସୁଗାର ମାମଲା ରୁଜୁ ହୋଇଥିବା ବେଳେ ଚତୁର୍ଥ ମାମଲା ୨୦୨୦ ମସିହାରେ ଖୋର୍ଦ୍ଧା ଟାଉନ ଥାନା ପୁଲିସ କରିଥିଲା।

publive-image

ଗଲା ନୂଆବର୍ଷ ଦିନ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୁଲିସ ହାବୁଡ଼ରେ ପୁଣି ଧରାପଡ଼ିଥିଲା ଶ୍ରୀ ପରମ୍‌ଗୁରୁ। ବରୁଣେଇନଗର ସ୍ଥିତ ନିଜ ଘରେ ଗୁଳି, ମାଗାଜିନ୍‌ ଏବଂ ବନ୍ଧୁକ ରଖିଥିବା ସୂଚନା ପାଇ ପୁଲିସ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ଶ୍ରୀ ପରମ୍‌ଗୁରୁର ସ୍ତ୍ରୀ ଅନିତା ପରମ୍‌ଗୁରୁ ଫେରାର୍‌ ହୋଇଯାଇଥିଲା। ଅନିତାଙ୍କ ନାଁରେ ମଧ୍ୟ ୨୦୧୮ ମସିହାରେ ଖୋର୍ଦ୍ଧା ଥାନାରେ ପୁଲିସ ଏକ ମାମଲା ରୁଜୁ କରିଥିଲା।

ଅନିତା ସିନା ଫେରାର୍‌ ହୋଇଗଲା, କିନ୍ତୁ ଘର ତଲାସି ପରେ ପୁଲିସ ତାଙ୍କ ଘରୁ ଦୁଇଟି ଜୀବନ୍ତ ଗୁଳି ଏବଂ ମାଗାଜିନ୍‌ ଜବତ କରିଥିଲା। ଅନିତା ଗୋଟିଏ ବନ୍ଧୁକ ନେଇ ଫେରାର୍‌ ହୋଇଯାଇଥିବା ପୁଲିସ ଆଶଙ୍କା କରୁଛି। ତେବେ ଶ୍ରୀ ପରମ୍‌ଗୁରୁ ପାଖକୁ ଏ ଗୁଳି ଆସିଲା କେଉଁଠୁ? ସେ କାହାକୁ ଗୁଳି ବିକ୍ରି କରିଥାନ୍ତା? ଏ ରୢାକେଟ୍‌ରେ ଆଉ କାହାର ସମ୍ପୃକ୍ତି ଅଛି? ସେଥିପାଇଁ ପୁଲିସ ଶ୍ରୀ ପରମ୍‌ଗୁରୁକୁ ଦୁଇ ଦିନିଆ ରିମାଣ୍ଡରେ ଗତକାଲି ଆଣିଥିଲା। ପଚରା ଉଚରା ବେଳେ ଶ୍ରୀ ପରମ୍‌ଗୁରୁରର କଳାଧନ ଉପରେ ପୁଲିସର ନଜର ପଡ଼ିଛି। ନିଶା ବେପାରି ଶ୍ରୀ ପରମ୍‌ଗୁରୁର କାନାରା ବ୍ୟାଙ୍କ୍‌ ସ୍ଥିତ ଲକରକୁ ପୁଲିସ ଆଜି ଖୋଲିଛି। ଲକରରୁ ପ୍ରାୟ ୪୦୦ଗ୍ରାମ୍‌ର ସୁନାଗହଣା ସହିତ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ କିଛି ଟଙ୍କା ବି ଜବତ କରାଯାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ସୁନାହାର, ସୁନା ମୁଦି, ସୁନା ଚୁଡ଼ି ସହିତ ବହୁତ କିଛି ଗହଣା ଏ ଲକରରୁ ଠାବ ହୋଇଛି। ଅଭିଯୁକ୍ତ ଶ୍ରୀ ପରମ୍‌ଗୁରୁର ଅର୍ଥନୈତିକ ଅପରାଧିକ ଦିଗର ତଦନ୍ତ ଚାଲିଛି। ଦରକାର ପଡ଼ିଲେ, ଏ ସମ୍ପତ୍ତି ସବୁ ବାର୍ଜାପ୍ତି କରାଯାଇପାରେ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ପ୍ରକାଶ କରିଛନ୍ତି। ଖୋର୍ଦ୍ଧା ଏସ୍‌ଡିପିଓ ଦିଲ୍ଲୀପ ଦାସଙ୍କ ନେତୃତ୍ବରେ ଶିଳ୍ପାଞ୍ଚଳ ଥାନା ଅଧିକାରୀ ବାସୁଦେବ ଜୟସିଂହଙ୍କ ସମେତ ବହୁ ପୁଲିସ ଅଧିକାରୀ ଘଟଣାର ତନାଘନା ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe