ଡିପିସି କରିନଥିବା ଅଧିକାରୀଙ୍କୁ ଦଣ୍ଡ, ପ୍ରଥମ ପର୍ଯ୍ୟାୟ ଅଦାଲତରେ ୪୦୨ଟି ମାମଲା ଫଇସଲା

ସ୍ୟାଟ୍ ଉଚ୍ଛେଦ ପରେ ୭୦ ହଜାର ମାମଲା ପଡ଼ିରହିଛି

ଡିପିସି କରିନଥିବା ଅଧିକାରୀଙ୍କୁ ଦଣ୍ଡ, ପ୍ରଥମ ପର୍ଯ୍ୟାୟ ଅଦାଲତରେ ୪୦୨ଟି ମାମଲା ଫଇସଲା

ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ବୈପ୍ଲବିକ ସଂସ୍କାର ଆସିବ। ପଦୋନ୍ନତି ଅଦାଲତ ଜରିଆରେ ସମସ୍ତଙ୍କୁ ନ୍ୟାୟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଚଳିତମାସରେ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ୩ ଦିନ ବ୍ୟାପି ପଦୋନ୍ନତି ଅଦାଲତ ଆରମ୍ଭ ହୋଇଛି। ଆଜି ମୁଖ୍ୟ ଶାସନ ସଚିବଙ୍କ ସମେତ ୬ ଜଣ ବରିଷ୍ଠ ଅଧିକାରୀଙ୍କ ଅଧ୍ୟକ୍ଷତାରେ ୧୪ଟି ବିଭାଗର ପଞ୍ଜୀକୃତ କରିଥିବା ୪୦୨ଜଣ କର୍ମଚାରୀଙ୍କ ଅଭିଯୋଗ ଶୁଣାଣି କରାଯାଇ ନିଷ୍ପତ୍ତି ନିଆଯାଇଛି। ପ୍ରଶାସନିକ ସଂସ୍କାର କ୍ଷେତ୍ରରେ ସରକାର ଆରମ୍ଭ କରିଥିବା ଏହି ପଦୋନ୍ନତି ଅଦାଲତ ସଫଳ ସାବ୍ୟସ୍ତ ହେଲେ ଆଗକୁ ଏହାକୁ ଆଇନଗତ ରୂପ ଦିଆଯିବ ବୋଲି ସରକାର ଯୋଜନା କରିଛନ୍ତି। ଏହାସହିତ ଯେଉଁ ବିଭାଗରେ ବିଭାଗୀୟ ପଦୋନ୍ନତି କମିଟି ବୈଠକ ବସିନାହିଁ, ସେ ସମ୍ପର୍କରେ ତର୍ଜମା କରାଯିବ ଓ ସମ୍ପୃକ୍ତ ବିଭାଗୀୟ ମୁଖ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ଥିର ହୋଇଛି।

ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଥିଲେ, ଜାନୁଆରି ୨୮, ୨୯ ଓ ୩୧ ତାରିଖ ୩ ଦିନ ଧରି ପଦୋନ୍ନତି ଅଦାଲତ କରିବାକୁ ନିଷ୍ପତ୍ତି ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଅଦାଲତ ପାଇଁ ଚଳିତମାସ ୨୩ ତାରିଖ ସୁଦ୍ଧା ୯ ହଜାର ଆବେଦନ ପତ୍ର ମି​ଳିଥିଲା। ସେଥିରୁ ୨ ହଜାର ଆବେଦନ ପତ୍ରକୁ ଚୟନ କରାଯାଇଥିଲା। ସେ ନିଜେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମେତ ଯୋଜନା ଓ ସଂଯୋଜନ ବିଭାଗର ୧୧୭ଟି ଆବେଦନର ଶୁଣାଣି କରିଛନ୍ତି। ସେହିପରି ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଉଚ୍ଚଶିକ୍ଷା, ବିଜ୍ଞାନ ଓ କାରିଗରୀ ଓ ସାଧାରଣ ଉଦ୍ୟୋଗ ବିଭାଗର ୧୦୧ଟି, କୃଷି ଭବନରେ କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ କୁମାର ମହାପାତ୍ର ଯୋଗାଣ ବିଭାଗ, ବାଣିଜ୍ୟ ଓ ପରିବହନ, ଭିନ୍ନକ୍ଷମ ଓ ସାମାଜିକ ସୁରକ୍ଷା ବିଭାଗର ୩୦ଟି, କଳିଙ୍ଗ ଷ୍ଟାଡିଅମ୍‌ କନଫରେନ୍‌ସ ହଲରେ ଇସ୍ପାତ୍‌ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍‌.କେ ଶର୍ମା ମହିଳା ଓ ଶିଶୁ ବିକାଶ, ଅର୍ଥ ବିଭାଗର ୫୦ଟି, ଏସ୍‌ଆଇଆର୍‌ଡି କନ୍‌ଫରେନ୍‌ସ ହଲ୍‌ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କୃଷି ଓ ସଂସଦୀୟ ବ୍ୟାପାର ବିଭାଗର ୩୯ଟି ଏବଂ ଇଡ୍‌କୋ କନଫରେନ୍‌ସ୍ ହଲରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ, ଆଇନ ବିଭାଗର ୬୫ଟି ଦରଖାସ୍ତ ଶୁଣାଣି କରି ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ କରିଥିଲେ।

ଅଦାଲତ ପାଇଁ ୨ ହଜାର ଆବେଦନକୁ ଚୟନ କରାଯାଇଛି
ସଫଳତା ମିଳିଲେ ଏହି ଅଦାଲତକୁ ମିଳିବ ଆଇନଗତ ମାନ୍ୟତା

ଶ୍ରୀ ତ୍ରିପାଠୀ କହିଥିଲେ, ପଦୋନ୍ନତି ଅଦାଲତରେ ବହୁ କଥା ଶିଖିବାକୁ ମିଳୁଛି। କେତେକ ବର୍ଗର ସରକାରୀ କର୍ମଚାରୀଙ୍କ ଗତ ୫ ବର୍ଷର ଚରିତ୍ର ପଞ୍ଜିକା ସନ୍ତୋଷଜନକ ନୁହେଁ କିମ୍ବା ମିଳୁନାହିଁ। ଏଣିକି ଏହାକୁ ନିୟମିତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଚରିତ୍ର ପଞ୍ଜିକା ଲିପିବଦ୍ଧ କରିବାରେ ଥିବା ଜଟିଳତାକୁ ଦୂର କରି ଏଣିକି ଯୋଗ୍ୟ ଓ ଅଯୋଗ୍ୟ ଦୁଇଟି ତାଲିକା ପ୍ରସ୍ତୁତ କରିବାକୁ ସରକାର ଯୋଜନା କରୁଥିବା ଶ୍ରୀ ତ୍ରିପାଠୀ କହିଥିଲେ। ୩୧ ତାରିଖରେ ପଦୋନ୍ନତି ଅଦାଲତ ସରିବା ପରେ ଆସନ୍ତାମାସରେ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ହାଇକୋର୍ଟରେ ଚାଲିଥିବା ମାମଲାକୁ ପଦୋନ୍ନତି ଅଦାଲତରେ ବିଚାରକୁ ନିଆଯିବନି। ସେହିପରି ଓଡ଼ିଶା ପ୍ରାଶାସନିକ ନ୍ୟାୟାଧୀକରଣ (ସ୍ୟାଟ୍) ଉଚ୍ଛେଦ ପରେ ୭୦ ହଜାର ମାମଲା ପଡ଼ିରହିଥିଲା। ସେଥିରୁ ହାଇକୋର୍ଟ ଯାଇନଥିବା ମାମଲାଗୁଡ଼ିକର ବିଚାର ପଦୋନ୍ନତି ଅଦାଲତରେ କରିବାକୁ ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍‌ ଜାଭେରୀ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଜଷ୍ଟିସ୍‌ ଜାଭେରୀଙ୍କ ପରାମର୍ଶ ଅନୁଯାୟୀ ସରକାର ପଦୋନ୍ନତି ଅଦାଲତ ଜରିଆରେ ଅଧିକାଂଶ ମାମଲା ବିଚାର କରି ଫଇସଲା କରିବାକୁ ଯୋଜନା କରିଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe