researchleap.com
ରାଉରକେଲା: ସାଇବର ଠକ ପଞ୍ଝାରେ କଲେଜ ଛାତ୍ର ଓ ବେକାରୀ ଯୁବକ ଯୁବତୀ। ‘କୌନ୍ ବନେଗା କରୋଡ ପତି’, ଫେସ୍ବୁକ୍ରେ ବନ୍ଧୁତା, ଏଟିଏମ୍ କାର୍ଡ ଅପ୍ଡେଟ୍ ହେଉ ଅବା ଭାଗ୍ୟଶାଳୀ ବିଜେତା ନାଁରେ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ସୁନ୍ଦରଗଡ଼ ଜିଲ୍ଲାରେ ଗତ ଏକ ମାସ ମଧ୍ୟରେ କଲେଜ ଅଧ୍ୟକ୍ଷ ଠାରୁ ଆରମ୍ଭ କରି ସ୍କୁଲ ଶିକ୍ଷକ ଓ ବ୍ୟବସାୟୀ ଏମିତି ପାଖାପାଖି ୫୦ରୁ ଅଧିକ ଲୋକ ସାଇବର ଠକଙ୍କ ପଞ୍ଝାରେ ପଡିସାରିଛନ୍ତି। ବାରମ୍ବାର ଏଭଳି ଘଟଣା ଘଟୁଥିଲେ ହେଁ ଲୋକମାନେ ସଚେତନ ହେଉ ନାହାନ୍ତି। ପୁଣି ଜଣେ କଲେଜ ଛାତ୍ର ସାଇବର ଠକଙ୍କ ପଞ୍ଝାରେ ପଡିଛନ୍ତି। ଭାଗ୍ୟଶାଳୀ ବିଜେତା ଲୋଭ ଦେଖାଇ ଠକି ନେଇଛି ୪୧ ହଜାର ୧୮୧ ଟଙ୍କା। ଛାତ୍ର ଜଣକ ଏ ସଂକ୍ରାନ୍ତରେ ରାଜଗାଙ୍ଗପୁର ଥାନାରେ ଲିଖିତ ଏତଲା ଦେଇଛନ୍ତି।
ଲିଖିତ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଚଳାଇଛି। କାଂଶବାହାଲ ଢ଼େଲୁ୍ଆ ଗାଁର ରହନ୍ତି କଲେଜ ଛାତ୍ର ନବୀନ ଖାଖା। ତାଙ୍କୁ ପୂର୍ବାହ୍ନ ପ୍ରାୟ ୧୧ଟାରେ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା। ନବୀନ କଲ୍ ରିସିଭ୍ କଲାମାତ୍ରେ ଅଜ୍ଞାତ ଯୁବକ ଜଣକ ତାଙ୍କୁ ଭାଗ୍ୟଶାଳୀ ବିଜେତାର ଲୋଭ ଦେଖାଇଥିଲେ। ୫୦ ହଜାର ଟଙ୍କା ପୁରସ୍କାର ଜିତିଛନ୍ତି ବୋଲି କହିଥିଲେ। ଲୋଭରେ ବଶବର୍ତ୍ତୀ ହୋଇ ନବୀନ ପୁରସ୍କାର ଅର୍ଥ ରାଶି ପାଇବାକୁ କ’ଣ କରିବାକୁ ହେବ ବୋଲି ଅଜ୍ଞାତ ଯୁବକ ଜଣକୁ କହିଥିଲେ। ଅଜ୍ଞାତ ଯୁବକ ଜଣକ ସଙ୍ଗେ ସଙ୍ଗେ ନବୀନଙ୍କ ୱାଟ୍ସ ଆପ୍ ନମ୍ବରକୁ ଲିଙ୍କ୍ ପଠାଇଥିଲେ। ଲିଙ୍କଟିକୁ ଡାଉନ୍ଲୋଡ କରିବାକୁ ନବୀନଙ୍କୁ କହିଥିଲେ। ନବୀନ ଅଜ୍ଞାତ ଯୁବକଙ୍କ କହିବାକୁଯାୟୀ ମୋବାଇଲ ନମ୍ବରକୁ ଆସିଥିବା ଲିଙ୍କ୍ଟିକୁ ଡାଉନ୍ଲୋଡ୍ କରି ଦେଇଥିଲେ। ପରେ ଅଜ୍ଞାତ ଯୁବକ ଜଣକ ପୁଣି ନବୀନକୁ କଲ୍ କରିଥିଲେ। ମୋବାଇଲ ନମ୍ବରକୁ ଯାଇଥିବା ଓଟିପି ନମ୍ବର ମାଗିଥିଲେ।
ନବୀନ ୫୦ ହଜାର ଟଙ୍କା ପାଇବା ଲୋଭରେ ଓଟିପି ନମ୍ବର ଦେଇଦେଇଥିଲେ। ଓଟିପି ନମ୍ବର ପାଇବା ପରେ ଅଜ୍ଞାତ ଯୁବକ ଜଣକ ଆକାଉଣ୍ଟକୁ ହ୍ୟାକ୍ କରି ପ୍ରଥମ କିସ୍ତିରେ ୩୨ ହଜାର ଟଙ୍କା ନିଜ ଆକାଉଣ୍ଟ ନମ୍ବରକୁ ଟ୍ରାନ୍ସଫର କରି ଦେଇଥିଲେ। ଏମିତି ଭାବେ ୫ କିସ୍ତରେ ମୋଟ ୪୧ ହଜାର ୧୮୧ ଟଙ୍କା ଠକି ନେଇଥିଲେ। କିଛି ସମୟ ପରେ ଆକାଉଣ୍ଟରୁ ୪୧ ହଜାର ୧୮୧ ଟଙ୍କା କଟି ଯାଇଥିବା ନେଇ ନବୀନଙ୍କ ମୋବାଇଲକୁ ମେସେଜ୍ ଆସିଥିଲା। ସଙ୍ଗେ ସଙ୍ଗେ ଅଜ୍ଞାତ ଯୁବକର ମୋବାଇଲ୍ ନମ୍ବରକୁ କଲ୍ କରିଥିଲେ। ଅଜ୍ଞାତ ଯୁବକ ନବୀନଙ୍କ କଲ୍ ଆଦୌ ଉଠାଇ ନଥିଲେ। ଶେଷରେ ନବୀନ ଠକାମିର ଶିକାର ହୋଇଥିବା ଜାଣିବା ପରେ ଥାନାର ଦ୍ବାରସ୍ଥ ହୋଇଥିଲେ।
Follow Us