419 kg ganja seizure case: Two acquitted Photograph: (sambad.in)
ଗୁଣପୁର: ରାୟଗଡ଼ା ଜିଲା ଗୁଣପୁର ଏଡିଜେ କୋର୍ଟରେ ଗଞ୍ଜେଇ ଚାଲାଣ ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ସାକ୍ଷ୍ୟ ପ୍ରମାଣ ଅଭାବରୁ ଦୁଇ ଜଣ ଅଭିଯୁକ୍ତଙ୍କୁ ଏଡିଜେ ଦେବଦତ୍ତ ପଟ୍ଟନାୟକ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମାମଲା ଅନୁସାରେ, ୨୦୨୪ ଫେବ୍ରୁୟାରି ୫ ତାରିଖରେ ଗୁଡାରି ପୁଲିସ ପକ୍ଷରୁ ଗୁମୁଡା ଅଞ୍ଚଳରେ ପାଟ୍ରୋଲିଂ କରାଯାଉଥିଲା।
ଗୁଡାରି ଛକରେ ମ୍ୟାକ୍ସ ପିକଅପ ଭ୍ୟାନ୍ ରହିଥିବା ଦେଖି ପୁଲିସ ଏହାକୁ ଅଟକ ରଖି ଯାଞ୍ଚ୍ କରିଥିଲେ। ଯାଞ୍ଚ୍ ସମୟରେ ଗାଡ଼ିରେ ବସିଥିବା ଦୁଇ ଜଣ ବ୍ୟକ୍ତି ସଠିକ ଉତ୍ତର ଦେଇ ନଥିଲେ। ପୁଲିସର ସନ୍ଦେହ ହେବାରୁ ଗାଡ଼ିକୁ ଖାନ୍ତଲାସୀ କରିଥିଲେ। ତନଖି ସମୟରେ ଗାଡିର ଡାଲାରେ ୧୨ ଟି ଜରି ବ୍ୟାଗ୍ ଥିବା ଦେଖିଥିଲେ।
ଜରି ବ୍ୟାଗ୍ ତନଖି କରିବାରୁ ସେଥିରୁ ଗଞ୍ଜେଇ ବାହାରି ଥିଲା। ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୪୧୯.୨୬୦ କେଜି ଗଞ୍ଜେଇ ସହ ଗାଡ଼ିକୁ ଜବତ କରିଥିଲେ। ଏଥି ସହ ଦୁଇ ଜଣ ଅଭିଯୁକ୍ତ ଗଞ୍ଜାମ ଜିଲା ସରଡା ଥାନା ଅଧିନ ଖିଲବାଡି ଗ୍ରାମର ସଞ୍ଜୟ ରଇତ ଏବଂ ଗଜପତି ଜିଲା ଅଡବା ଥାନା ଅଧିନ ପାଲକୁଆ ଗ୍ରାମର ଅଜିତ ରଇତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।
ଏହି ମାମଲାର ବିଚାର ଗୁଣପୁର ଏଡିଜେ କୋର୍ଟରେ ହୋଇଥିଲା। ବିଚାର ସମୟରେ ୮ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି କୋର୍ଟ ସେମାନଙ୍କୁ ଦୋଷ ମୁକ୍ତ କରି ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ସରକାରଙ୍କ ପକ୍ଷରୁ କୃଷ୍ଣ ଚନ୍ଦ୍ର ସେନାପତି ଏବଂ ଅଭିଯୁକ୍ତମାନଙ୍କ ପକ୍ଷରୁ ଭାଗିରଥି ବାଙ୍ଗାରି ମାମଲା ପରିଚାଳନା କରିଥିଲେ।
Rayagada
Follow Us