ସ୍ଥାନାନ୍ତର ହେବ ୪୨ ବର୍ଷର ହୁଣ୍ଡି: ନାଟମଣ୍ଡପରେ ଚାଲିଛି ଜାଗା ଖୋଜା

ଶ୍ରୀମନ୍ଦିର ନାଟ ମଣ୍ଡପରେ ସ୍ଥାପନ ହୋଇଥିବା ହୁଣ୍ଡି ସ୍ଥାନାନ୍ତର ହେବ। ଧାଡ଼ି ଦର୍ଶନରେ ଏହା ବାଧା ଉପୁଜାଇବା ଆଶଙ୍କା କରି ଏହାକୁ ହଟାଇବାକୁ ସ୍ଥିର ହୋଇଛି। ଏଥିପାଇଁ ନାଟମଣ୍ଡପରେ ଜାଗା ଖୋଜା ଚାଲିଛି।

temple

Photograph: (Wikipedia, the free encyclopedia)

ପୁରୀ: ଶ୍ରୀମନ୍ଦିର ନାଟ ମଣ୍ଡପରେ ସ୍ଥାପନ ହୋଇଥିବା ହୁଣ୍ଡି ସ୍ଥାନାନ୍ତର ହେବ। ଧାଡ଼ି ଦର୍ଶନରେ ଏହା ବାଧା ଉପୁଜାଇବା ଆଶଙ୍କା କରି ଏହାକୁ ହଟାଇବାକୁ ସ୍ଥିର ହୋଇଛି। ଏଥିପାଇଁ ନାଟମଣ୍ଡପରେ ଜାଗା ଖୋଜା ଚାଲିଛି। ଧାଡ଼ି ଦର୍ଶନ ଆରମ୍ଭ ହେଲେ ଭକ୍ତମାନେ ଧାଡ଼ିରେ ବାରିକେଡ୍‌ ଦେଇ ଯିବେ। ଅର୍ଥାତ୍‌ ନାଟମଣ୍ଡପରେ ବାରିକେଡ୍‌ ବ୍ୟତିରେକ ଅନ୍ୟ କୌଣସି ସ୍ଥାନକୁ ଯାଇ ପାରିବେନି ଭକ୍ତ। ସାତପାହାଚ ଦେଇ ପ୍ରବେଶ କରିବେ ଏବଂ ଘଣ୍ଟି କିମ୍ବା ପଣ୍ଡାଦ୍ବାର ଦେଇ ବାହାରିବେ। ଏପରିକି ଗରୁଡ଼ସ୍ତମ୍ଭକୁ ମଧ୍ୟ ଛୁଇଁ ପାରିବେ ନାହିଁ। ଏଣୁ ଧାଡ଼ିରେ ବାରିକେଡ୍‌ ଦେଇ ଯିବା ବେଳେ ଭକ୍ତଙ୍କ ହାତ ପାହାନ୍ତାରେ ଯେଭଳି ହୁଣ୍ଡି ରହିବ ତାହା ନିଶ୍ଚିତ ହେବା ଜରୁରି। ନଚେତ୍‌ ଅନେକ ଭକ୍ତ ମହାପ୍ରଭୁଙ୍କୁ ଦାନ କରିବାରୁ ବଞ୍ଚିତ ହେବେ। ସେଥିପାଇଁ ଏକ ସ୍ବତନ୍ତ୍ର ଜାଗା ଖୋଜା ଚାଲିଛି। ଯେଉଁଠି ଏହି ହୁଣ୍ଡି ପ୍ରତ୍ୟେକ ଭକ୍ତଙ୍କ ହାତପାହାନ୍ତାରେ ରହିବ ଏବଂ ସାଧାରଣ ଦର୍ଶନରେ କୌଣସି ବିଶୃଙ୍ଖଳା ହେବ ନାହିଁ। ଉଭୟ ଏଏସ୍‌ଆଇ ଓ ଶ୍ରୀମନ୍ଦିର ପ୍ରଶାସନ ମିଳିତ ଭାବେ ଦୁଇଟି ଜାଗା ଚିହ୍ନଟ କରିଛନ୍ତି। ଏଥିରୁ ଗୋଟିଏ ଜାଗା ସ୍ଥିର କରାଯିବ ବୋଲି ଜଣାପଡ଼ିଛି।

ନାଟମଣ୍ଡପରେ ଚାଲିଛି ଜାଗା ଖୋଜା
୪୨ ବର୍ଷରେ ଆଦାୟ ହୋଇଛି, ୯୪ କୋଟି ଟଙ୍କା, ୧୮ କେଜି ସୁନା
କୁଆଡ଼େ ଗଲା ୨ କିଲୋ ସୁନା?

୧୯୮୩ ମସିହାରେ ସ୍ଥାପନ ହୋଇଥିବା ଏହି ହୁଣ୍ଡି ୪୨ ବର୍ଷ ପରେ ପ୍ରଥମ ଥର ପାଇଁ ସ୍ଥାନାନ୍ତର ହେବାକୁ ଯାଉଛି। ହୁଣ୍ଡିରୁ ଅଦ୍ୟାବଧି ପ୍ରାୟ ୯୪ କୋଟି ଟଙ୍କା ସଂଗ୍ରହ ହୋଇଥିବା ବେଳେ ୧୮ କେଜି ସୁନା ପାଇଛି ଶ୍ରୀମନ୍ଦିର ପ୍ରଶାସନ। ୨୦୧୭-୧୮ ଆର୍ଥିକ ବର୍ଷରେ ସର୍ବାଧିକ ୯ କୋଟି ୬୩ ଲକ୍ଷ ଟଙ୍କା ହୁଣ୍ଡିରୁ ଆଦାୟ ହୋଇଥିବା ରେକର୍ଡ ରହିଛି। ସେହିଭଳି ୨୦୦୯-୧୦ ଆର୍ଥିକ ବର୍ଷରେ ୧.୩୯୩ କେଜି ସୁନା ହୁଣ୍ଡିରୁ ମିଳିଥିବା ଦର୍ଶାଯାଇଛି। ତା ଛଡ଼ା ୨୦୧୦-୧୧ରେ ୧.୨୬୭ କେଜି, ୨୦୧୪-୧୫ରେ ୧.୧୭୪ କେଜି ଓ ୧୯୮୮-୮୯ରେ ୫୫୯ଗ୍ରାମ୍‌ ସୁନା ହୁଣ୍ଡିରୁ ସଂଗ୍ରହ କରାଯାଇଛି। ୧୮ କେଜି ସୁନାରୁ ୧୪ କେଜି ୫୬୦ ଗ୍ରାମ୍‌ ଷ୍ଟେଟ୍‌ବ୍ୟାଙ୍କ ଲକର୍‌ରେ ରହିଛି। ବାକି ୪ କେଜି ମଧ୍ୟରୁ ୨ କେଜିରୁ ଊର୍ଦ୍ଧ୍ବ ହିସାବ ମିଳୁ ନଥିବା ଅଭିଯୋଗ ହୋଇଛି। 

ଏବେ ହୁଣ୍ଡି ସ୍ଥାନାନ୍ତର ହେଲେ ଯଦି ଲୋକଙ୍କ ହାତ ପାହାନ୍ତାରେ ନରୁହେ ତେବେ ଦାନ ପରିମାଣ କମିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ତେବେ ଅନ୍‌ଲାଇନ୍‌ରେ ହୁଣ୍ଡିକୁ ଦାନ ବ୍ୟବସ୍ଥା ହୋଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ କହୁଛି। କିନ୍ତୁ ଅନେକ ଭକ୍ତ ଏହି ଜ୍ଞାନକୌଶଳ ସହ ଅଭ୍ୟସ୍ତ ନୁହନ୍ତି। ଅନ୍ୟପଟେ ଅନ୍‌ଲାଇନ୍‌ରେ କେବଳ ଅର୍ଥ ହିଁ ହୁଣ୍ଡିକୁ ଦାନ କରାଯାଇ ପାରିବ, ସୁନାରୁପା ନୁହେଁ। କିନ୍ତୁ ଅନେକ ଭକ୍ତ ମହାପ୍ରଭୁଙ୍କୁ ସୁନା ଦାନ କରିବାକୁ ମାନସିକ କରିଥାନ୍ତି। କାନରୁ ସୁନାଫୁଲ କିମ୍ବା ହାତରୁ ଚୁଡ଼ି ଓହ୍ଲାଇ ହୁଣ୍ଡିରେ ପକାଇବା ନଜିର ରହିଛି। ଏଣୁ ହୁଣ୍ଡିର ସ୍ଥାନ ପରିବର୍ତ୍ତନ ବେଳେ ଏ ସବୁ ଦିଗକୁ ଧ୍ୟାନ ଦେବା ଜରୁରି ବୋଲି ଅଧିକାଂଶ ଭକ୍ତ ମତବ୍ୟକ୍ତ କରିଛନ୍ତି। 

ଗତ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ପ୍ରଶାସନ ଇ-ହୁଣ୍ଡି ପ୍ରଚଳିତ କରିବାକୁ ଯୋଜନା କରିଥିଲା। କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରି ତୁରନ୍ତ ହୁଣ୍ଡିକୁ ଦାନ କରିବା ବ୍ୟବସ୍ଥା ଥିଲା। ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଏନେଇ ଗଣମାଧ୍ୟମରେ ସୂଚନା ଦେଇଥିଲେ। ଏହାକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବା ଯୋଜନା ମଧ୍ୟ ‌ଥିଲା। କିନ୍ତୁ ନିର୍ଦ୍ଦିଷ୍ଟ ବ୍ୟାଙ୍କ ସହ ଧାର୍ଯ୍ୟ ଅନୁବନ୍ଧିତ ସମସ୍ୟା ହେବାରୁ ଏହା ସ୍ଥଗିତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe