କଳାବଜାର ରୋକିବାକୁ ବ୍ଲକସ୍ତରରେ ସ୍କ୍ବାଡ଼୍ ଗଠନ; ହେକ୍ଟର୍ ପିଛା ୪୪ କ୍ବିଣ୍ଟାଲ୍ ଧାନ ଅମଳ ଲକ୍ଷ୍ୟ

Advertisment

୨୩ ଏମ୍‌ଟି ୟୁରିଆ ମହଜୁଦ୍

୨୩ ଏମ୍‌ଟି ୟୁରିଆ ମହଜୁଦ୍

କଳାବଜାର ରୋକିବାକୁ ବ୍ଲକସ୍ତରରେ ସ୍କ୍ବାଡ଼୍ ଗଠନ; ହେକ୍ଟର୍ ପିଛା ୪୪ କ୍ବିଣ୍ଟାଲ୍ ଧାନ ଅମଳ ଲକ୍ଷ୍ୟ

ଛତ୍ରପୁର: ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ଚାଷୀଙ୍କୁ ସାର ବଣ୍ଟନରେ ବିଳମ୍ବ ଦେଖାଦେଇଛି। ଅନିୟମିତ ମୌସୁମୀ ବର୍ଷା ପାଇଁ ଚଳିତବର୍ଷ ଖରିଫ୍ ଚାଷ କାମ ପଛାଇଥିବା ବେଳେ ସାର ବଣ୍ଟନରେ ବିଳମ୍ବ ଚିନ୍ତା ସୃଷ୍ଟି କରିଛି। ହେଲେ ଗତ କିଛି ଦିନ ହେଲା ବର୍ଷା ଯୋଗୁଁ ଚାଷ କାମ ତ୍ବରାନ୍ବିତ ହେବାରେ ଲାଗିଛି। ଏବେ ସୁଦ୍ଧା ଜିଲ୍ଲାରେ ୧୦ ପ୍ରତିଶତ ଜମିରେ ରୁଆ ସରିଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି।

ସେହିପରି ଚଳିତ ବର୍ଷ ଜିଲ୍ଲାର ଚାଷୀଙ୍କୁ ୬୭ ହଜାର ମେଟ୍ରିକ୍ ଟନ୍ ସାର ଯୋଗାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ୨୩ ହଜାର ମେଟ୍ରିକ୍ ଟନ୍ ସାର ମହଜୁଦ୍ ଥିବା ବେଳେ ଆଜି ୧୯୦୦ ମେଟ୍ରିକ୍ ଟନ୍ ସାର ରେକ୍ ମାଧ୍ୟମରେ ପହଞ୍ଚିଛି। ଆଗକୁ ଆହୁରି ୩ଟି ସାର ରେକ୍ ଜିଲ୍ଲାରେ ପହ‌ଞ୍ଚିବ। ଜିଲ୍ଲାକୁ ଏଥର ୭ଟି ବିଭିନ୍ନ କମ୍ପାନି ସାର ପହଞ୍ଚାଇବେ। ହେଲେ ବର୍ତ୍ତମାନ ସୁଦ୍ଧା ଇଫକୋ, ପିପିଏଲ୍, ଏନ୍ଏଫ୍ଏଲ୍ ଏବଂ କେଏଫ୍ଏଲ୍ ୪ଟି କମ୍ପାନି ଜିଲ୍ଲାକୁ ସାର ଯୋଗାଇଛନ୍ତି ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ ଜିଲ୍ଲାରେ ଘରୋଇ ଓ ସରକାରୀ ଭାବେ ୩୫୪ଟି ସାର ବିକ୍ରୟ କେନ୍ଦ୍ର ରହିଛି। ତେବେ ଦର ତାଲିକା ନଝୁଲାଇବା, ସାଇନ୍‌ ବୋର୍ଡ଼ ନମାରିବା ଓ ବିଭିନ୍ନ ଦସ୍ତାବିଜ୍ ଅପଡେଟ୍ ହୋଇ ନଥିବାରୁ ୩୦ଟି ବିକ୍ରୟ କେନ୍ଦ୍ରକୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା ସୂଚନା ମିଳିଛି। ଏହାସହ ସମସ୍ତ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କଳାବଜାରକୁ ରୋକିବା ଲାଗି ବ୍ଲକସ୍ତରୀୟ ସ୍କ୍ବାଡ଼୍‌ରେ ତହସିଲଦାର, ସହକାରୀ କୃଷି ଅଧିକାରୀ ଓ ବ୍ଲକ୍ କୃଷି ଅଧିକାରୀ ରହିଛନ୍ତି। ଆବଶ୍ୟକସ୍ଥଳେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଓ ଜିଲ୍ଲା କୃଷି ଅଧିକାରୀ ଏହି ସ୍କ୍ବାଡ଼୍‌ରେ ସାମିଲ ହେବେ। ସୂଚନା ପାଇବା ମାତ୍ରେ ସାର ବିକ୍ରୟ କେନ୍ଦ୍ର ଗୁଡ଼ିକ ଉପରେ ଅଚାନକ ଚଢ଼ଉ କରାଯିବ। ବର୍ତ୍ତମାନ ପରିସ୍ଥିତିରେ ସେବା ସମବାୟ ସମିତି ଗୁଡ଼ିକରୁ ଚାଷୀମାନେ ସୁଲଭ ଦରରେ ସାର ପାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେବା ସମବାୟ ସମିତି ଗୁଡିକରେ ୟୁରିଆ ସାର ବସ୍ତା(୫୦) ପିଛା ୨୬୬.୫୦ ଟଙ୍କା ବିକ୍ରି କରିବା ପାଇଁ ଧାର୍ଯ୍ୟ କରାଯାଇଛି। ଜିଲ୍ଲାରେ ଜୁନ୍‌ମାସରୁ କମ୍ପ୍ଲେକ୍ସ୍ ସାର ବଣ୍ଟନ କାର୍ଯ୍ୟ ଆରମ୍ଭ ହୋଇଛି। ଏବେ ସୁଦ୍ଧା ୧୧ ହଜାରରୁ ଅଧିକ ମେଟ୍ରିକ୍ ଟନ୍ ସାର ବଣ୍ଟନ କରାଯାଇଛି ବୋଲି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦୁର୍ଯ୍ୟୋଧନ ପତଙ୍ଗ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଗତବର୍ଷ ସାର ବଣ୍ଟନକୁ ନେଇ ବିଭିନ୍ନ ଜାଗାରେ ସମସ୍ୟା ଦେଖାଦେଇଥିଲା। କିନ୍ତୁ ଚଳିତ ବର୍ଷ ଚାଷୀଙ୍କୁ ସାର ଯୋଗାଣ ବ୍ୟବସ୍ଥାକୁ ବ୍ୟବସ୍ଥିତ କରାଯାଇଛି। ବିଭିନ୍ନ କମ୍ପାନି ପକ୍ଷରୁ ପ୍ରାଇଭେଟ୍ ଡିଲରମାନଙ୍କୁ ସାର ବିକ୍ରି କରିବାକୁ ଦିଆଯାଇଛି। ସେମାନେ ଚାଷୀଙ୍କୁ କେତେ ଦରରେ ସାର ବିକ୍ରି କରୁଛନ୍ତି ଓ ରେକର୍ଡ଼ପତ୍ର ନେଇ ବ୍ଲକସ୍ତରୀୟ ସ୍କ୍ବାଡ଼୍ ଯାଞ୍ଚ କରିବେ।

ଜୁଲାଇରେ ସାଧାରଣତଃ ୨୨୦.୮ ମିମି ବର୍ଷା ହେବା କଥା। କିନ୍ତୁ ଆଜିସୁଦ୍ଧା ୨୧୨.୦୧ ମିମି ବର୍ଷା ହୋଇଛି। ତେବେ ଆଗାମୀ ଦିନରେ ଅଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଗତ ୪ ଦିନର ବର୍ଷା ରିପୋର୍ଟକୁ ଅନୁମାନ କଲେ, ଗତ ୨୧ ତାରିଖରେ ଜିଲ୍ଲାରେ ୩୦.୯୬ ମିମି ବର୍ଷା ହୋଇଥିଲା। ଯାହାକି ଚଳିତମାସରେ ସର୍ବାଧିକ। ସେହିପରି ୨୨ରେ ୧୩.୨୫ ମିମି, ୨୩ରେ ୭.୩୨ ମିମି ଏବଂ ଆଜି ୭.୦୨ ମିମି ବର୍ଷା ହୋଇଛି। ଫଳରେ ଚାଷ କାମ ତ୍ବରାନ୍ବିତ ହୋଇଛି। ସେହିପରି ଆଗକୁ ପାଗ ଅନୁକୂଳ ରହିଲେ ଜିଲ୍ଲାରେ ହେକ୍ଟର୍ ପିଛା ୪୪ କ୍ବିଣ୍ଟାଲ୍ ଧାନ ଅମଳ ହେବ ବୋଲି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ପତଙ୍ଗ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe