the Text Talk
ଭୁବନେଶ୍ବର: ରାଜ୍ୟରେ ଖୁବ୍ ଶୀଘ୍ର ୪୫ଟି ନୂଆ ଫାଷ୍ଟ ଟ୍ରାକ୍ କୋର୍ଟ ଖୋଲାଯିବ। ଏହା ମଧ୍ୟରୁ ୨୧ଟି କୋର୍ଟରେ କେବଳ ମହିଳାଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ମାମଲାର ବିଚାର ହେବ। ଆଜି ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ଅବଶିଷ୍ଟ ୨୪ଟି କୋର୍ଟରେ ପୋକ୍ସୋ ଆଇନ୍-୨୦୧୨ ଅଧୀନରେ ଆସୁଥିବା ମାମଲାର ବିଚାର କରାଯିବ। ଏହି ୨୪ଟି କୋର୍ଟ ପ୍ରତିଷ୍ଠା ହୋଇସାରିଛି ଓ ଖୁବ୍ ଶୀଘ୍ର ସେଗୁଡ଼ିକ କାର୍ଯ୍ୟକ୍ଷମ ହେବ।
ଓଡ଼ିଶା ସମେତ ସାରା ଦେଶରେ ଦୁଷ୍କର୍ମ ମାମଲା ବଢ଼ୁଥିବାରୁ ସରକାରଙ୍କ ପାଇଁ ତାହା ଚିନ୍ତାର କାରଣ ହୋଇଛି। ଦୁଷ୍କର୍ମ ମାମଲାଗୁଡ଼ିକର ତୁରନ୍ତ ବିଚାର କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନରେ ବିଳମ୍ବ ହେଉଥିବାରୁ ଅପରାଧୀମାନେ ଚେତୁ ନାହାନ୍ତି ବୋଲି ଅଭିଯୋଗ ହେଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଏକାଥରେ ୪୫ଟି ଫାଷ୍ଟ୍ ଟ୍ରାକ୍ ଖୋଲାଯିବା ଘଟଣା ବେଶ୍ ଗୁରୁତ୍ବ ବହନ କରୁଛି। ମହିଳା ଓ ନାବାଳିକାଙ୍କ ସୁରକ୍ଷା ଓ ନ୍ୟାୟ ପ୍ରଦାନରେ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ହାଇକୋର୍ଟରେ ୧୪ଟି ବିଚାରପତି ପଦବି ଖାଲି ପଡ଼ିଥିବାରୁ ବିଚାର ପ୍ରକ୍ରିୟାରେ ବିଳମ୍ବ ହେଉଥିବା କୁହାଯାଉଛି। ଏହି ପଦବି ପୂରଣ ହେଲେ ନ୍ୟାୟ ପ୍ରଦାନ ପ୍ରକ୍ରିୟା ତ୍ବରାନ୍ବିତ ହୋଇପାରିବ ବୋଲି ଆଇନ୍ ମନ୍ତ୍ରୀ କହିଛନ୍ତି।
Follow Us