ଅଧରାତିରେ ହଷ୍ଟେଲ ଛାଡ଼ିଲେ ୪୫ ଛାତ୍ର; ୨୦ କିମି ଚାଲିଲେ, ବୁଝାସୁଝା ପରେ ଫେରିଲେ

ଅଧରାତିରେ ହଷ୍ଟେଲ ଛାଡ଼ିଲେ ୪୫ ଛାତ୍ର; ୨୦ କିମି ଚାଲିଲେ, ବୁଝାସୁଝା ପରେ ଫେରିଲେ

ପାରଳାଖେମୁଣ୍ଡି : କେହି ଶୁଣିଲେନି, ଜିଲ୍ଲାପାଳଙ୍କୁ ଅଭିଯୋଗ କରିବେ ବୋଲି ନିଷ୍ପତ୍ତି ନେଲେ। ହଷ୍ଟେଲ୍‌ ସମସ୍ୟା ସମ୍ପର୍କରେ କହିବେ। ପିଇବା ପାଣି ଠାରୁ ଆରମ୍ଭ କରି ଖାଇବା ଅବ୍ୟବସ୍ଥା ସମ୍ପର୍କରେ ଗୋଟି ଗୋଟି କରି ଜିଲ୍ଲାପାଳଙ୍କ ନିକଟରେ ନିଜ ଅଭିଯୋଗ ବଖାଣିବେ। ଏହି ଲକ୍ଷ୍ୟନେଇ ରା. ଉଦୟଗିରି ବ୍ଳକ୍‌ ମହେନ୍ଦ୍ରଗଡ଼ ସ୍ଥିତ କାର୍ତ୍ତିକ ଗମାଙ୍ଗ ଆବାସିକ ବିଦ୍ୟାଳୟରୁ ୪୫ ଜଣ ଛାତ୍ର ରାତି ଅଧରେ ହ‌ଷ୍ଟେଲ୍‌ ଛାଡ଼ି ପଳାଇଥିଲେ। ମହେନ୍ଦ୍ରଗଡ଼ରୁ ପାରଳାଖେମୁଣ୍ଡି ୭୦ କିଲୋମିଟର ଦୂରତା ହୋଇଥିବାବେଳେ ଛାତ୍ରମାନେ ୨୦ କିଲୋମିଟର ଜଙ୍ଗଲ, ନାଳ ପର ହୋଇ ଚାଲି ଚାଲି ରାମଗିରିରେ ପହଞ୍ଚିଥିଲେ। ସେଠାରୁ ପୁଣି ୫୦ କିଲୋମିଟର ବସ୍‌ରେ ପାରଳାଖେମୁଣ୍ଡି ପହଞ୍ଚି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ହେଲେ, ଖବର ପାଇ ପ୍ରଶାସନ ବୁଝାସୁଝା କରି ପୁଣି ୪ଟି ସ୍ୱତନ୍ତ୍ର ଗାଡ଼ିରେ ସମସ୍ତଙ୍କୁ ହଷ୍ଟେଲ୍‌କୁ ଫେରାଇ ଆଣିଛନ୍ତି।

ଛାତ୍ରମାନଙ୍କ ଅଭିଯୋଗ ହେଉଛି, ସରକାରଙ୍କ ପକ୍ଷରୁ ମିଳୁଥିବା ସୁବିଧା ସୁଯୋଗ ସେମାନଙ୍କ ପାଇଁ ଉପଲବ୍ଧ ହେଉନାହିଁ। ମାଗଣାରେ ବହିପତ୍ର ଯୋଗାଣା ବ୍ୟବସ୍ଥା ଥିଲେ ମଧ୍ୟ ଏଥିପାଇଁ ଶିକ୍ଷକମାନେ ଟଙ୍କା ଦାବି କରୁଛନ୍ତି। ହ‌ଷ୍ଟେଲ୍‌ ସାମଗ୍ରୀକୁ ବାହାରେ ବିକ୍ରି କରାଯାଉଛି। ପ୍ରତିବାଦ କଲେ ସେମାନଙ୍କୁ ଗାଳିଗୁଲଜ ସହ ଧମକଚମକ ଦିଆଯାଉଛି। ଏହିସବୁ ସମସ୍ୟା ବି ଏବେକାର ନୁହେଁ, ବହୁଦିନ ଧରି ଲାଗିରହିଛି। ଜିଲ୍ଲାପାଳଙ୍କୁ ଭେଟି ଏହିସବୁ ସମସ୍ୟା ଜଣାଇବା ପାଇଁ ହଷ୍ଟେଲ୍‌ ଛାଡ଼ିଥିବା କହିଛନ୍ତି। ଏ ସମ୍ପର୍କରେ ଖବର ପାଇ ଜିଲ୍ଲା ମଙ୍ଗଳ ଅଧିକାରୀ ଓ ପ୍ରାଶାସନିକ ଅଧିକାରୀମା‌ନେ ଆଇଟିଡିଏ ସମ୍ମିଳନୀ କକ୍ଷକୁ ଛାତ୍ରଙ୍କୁ ନେଇ ବସାଇ ସବୁ ସମସ୍ୟା ଶୁଣିବା ସହ ବୁଝାସୁଝା କରିବା ପରେ ହ‌ଷ୍ଟେଲକୁ ଫେରାଇ ଅଣାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe