୧୧ ହଜାର ପିଏଫ୍‌ ପାଇଁ ୪୬ ବର୍ଷର ସଂଘର୍ଷ

Advertisment
୧୧ ହଜାର ପିଏଫ୍‌ ପାଇଁ ୪୬ ବର୍ଷର ସଂଘର୍ଷ

ରାଉରକେଲା: ମାତ୍ର ୧୧ ହଜାର ଟଙ୍କା ପିଏଫ୍‌ ପାଇଁ ୪୬ ବର୍ଷ ଧରି ସଂଘର୍ଷ ଜାରି ରଖିଛନ୍ତି ରାଉରକେଲାର ପିସି ଜୈନ। ସେ ଆର୍‌ଏସ୍‌ପି ଷ୍ଟିଲ ମେଲ୍‌ଟିଂ ସପ୍‌ରେ ଚାକିରି କରୁଥିଲେ। ତାଙ୍କ କହିବାନୁଯାୟୀ ହାଇକୋର୍ଟ ଓ ପିଏଫ୍‌ କମିସନର ତାଙ୍କ ପକ୍ଷରେ ରାୟ ଦେଇଛନ୍ତି। ତଥାପି ତାଙ୍କୁ ବକେୟା ପିଏଫ୍‌ ଦିଆଯାଉ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ଶ୍ରୀ ଜୈନ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି, ଗତ ୨୦୨୨ ନଭେମ୍ବର ୧୧ରେ ଆଞ୍ଚଳିକ ଫିଏଫ୍‌ କମିସନର ଅଶ୍ବିନୀ କୁମାର ବାରିକ୍‌ ଆର୍‌ଏସ୍‌ପି ବିଭାଗୀୟ ଅଧିକାରୀଙ୍କୁ ବକେୟା ପିଏଫ୍‌ ଓ ସୁଧ ଏମିତି ମୋଟ ୧୦ ଲକ୍ଷ ୧୨ ହଜାର ୪୧୭ ଟଙ୍କା ଦେବାକୁ ନୋଟିସ ଦେଇଥିଲେ। ଆର୍‌ଏସ୍‌ପି କର୍ତ୍ତୃପକ୍ଷ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଏହାର ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ପି.ସି .ଜୈନ ଆହୁରି ମଧ୍ୟ କହିଛନ୍ତି, ତାଙ୍କୁ ଆର୍‌ଏସ୍‌ପିରେ ଟ୍ରେନି ଭାବେ ନିଯୁକ୍ତି ମିଳିଥିଲା। ଗତ ୧୯୭୬ ଜାନୁଆରି ୨୧ରେ ବିନା କାରଣରେ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିଲା। ସେତେବେଳେ ତାଙ୍କୁ ପିଏଫ୍‌ ବାବଦରେ ୧୬ ହଜାର ୧୮୪ ଟଙ୍କା ଥିଲା। ବିଭାଗ ପକ୍ଷରୁ ୧୯୭୬ ମେ ୧୧ରେ ୫ ହଜାର ଟଙ୍କା ଦେଇଥିଲେ। ଅବଶିଷ୍ଟ ୧୧ ହଜାର ୧୮୪ ଟଙ୍କା ବାକି ଥିଲା। ବକେୟା ପିଏଫ୍‌ ନ ମିଳିବାରୁ ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ।

ଆଞ୍ଚଳିକ ପିଏଫ୍‌ ଆୟୁକ୍ତ ଗତ ୨୦୦୬ ଜୁନ୍‌ ୨୫ରେ ଆର୍‌ଏସ୍‌ପି ବିଭାଗୀୟ ଅଧିକାରୀଙ୍କୁ ସମସ୍ୟାର ସମାଧାନ କରିବାକୁ ଚିଠି ଲେଖିଥିଲେ। ୨୦୧୯ ଜୁଲାଇ ୧୨ରେ କୋର୍ଟ ଫଇସଲା ଶୁଣାଇଥିଲେ। ତାଙ୍କୁ ୩ ଲକ୍ଷ ୯୭ ହଜାର ୭୭୦ ଟଙ୍କା ଦେବାକୁ ଆର୍‌ଏସ୍‌ପି ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଥିଲା। କିଛି ସୁଫଳ ନ ମିଳିବାରୁ ଶ୍ରୀ ଜୈନ୍‌ ଆଞ୍ଚଳିକ କମିସନର ଅଶ୍ବିନୀ କୁମାର ବାରିକଙ୍କୁ ମାମଲାର ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ। ୨୦୨୨ ନଭେମ୍ବର ୧୧ ରେ ପି.ସି. ଜୈନଙ୍କୁ ୧୦ ଲକ୍ଷ ୧୨ ହଜାର ୪୧୭ ଟଙ୍କା ଦେବାକୁ ଆର୍‌ଏସ୍‌ପି ବିଭାଗୀୟ ଅଧିକାରୀଙ୍କୁ ଆଞ୍ଚଳିକ ପିଏଫ୍‌ ଆୟୁକ୍ତ ଚିଠି ଲେଖିଛନ୍ତି। ଆଜି ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ସମସ୍ୟାର ସମାଧାନ ପାଇଁ ସେ ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe