କଂଟାବାଞ୍ଜି/ଟିଟିଲାଗଡ଼ : ତେଲେଙ୍ଗାନାର ଏକ ଇଟାଭାଟିରେ ଫସି ରହିଥିବା ଓଡ଼ିଆ ଶ୍ରମିକମାନଙ୍କୁ ଟିଟିଲାଗଡ଼ ଥାନା ପୁଲିସ ଉଦ୍ଧାର କରିଛି। ଏହି ଶ୍ରମିକମାନେ ତେଲେଙ୍ଗାନାର ଇଟାଭାଟିରେ କାମ କରିବା ପାଇଁ ଯାଇଥିଲେ। ଦାଦନ ସର୍ଦ୍ଦାର ଓ ଇଟାଭାଟି ମାଲିକ ସେଠାରେ ଏମାନଙ୍କୁ ରଖି ନିର୍ଯାତନା ଦେଇଥିଲେ। ଶ୍ରମିକମାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲା ହୋଇଥିଲା। ଏହି ଶ୍ରମିକମାନଙ୍କୁ କେମିତି ଉଦ୍ଧାର କରାଯାଇପାରିବ ସେ ନେଇ ବଲାଙ୍ଗୀର ଏସପି ନିତିନ କୁଶଲକରଙ୍କ ତତ୍ତ୍ୱାବଧାନ ଓ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ରନାଥ ଶତପଥୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏହି ଦଳ ତେଲେଙ୍ଗାନାର ଇଟାଭାଟିରୁ ଏକ ଗାଡ଼ି କରି ସମସ୍ତ ଶ୍ରମିକଙ୍କୁ ମଙ୍ଗଳବାର ଉଦ୍ଧାର କରିଥିଲେ। ଶ୍ରମିକମାନେ ବୁଧବାର ଟିଟିଲାଗଡ଼ ପହଞ୍ଚିବା ପରେ ସମସ୍ତଙ୍କୁ ନିଜ ନିଜ ଘରକୁ ପଠାଇ ଦିଆଯାଇଥିଲା। ଉଦ୍ଧାର ଶ୍ରମିକମାନଙ୍କ ମଧ୍ୟରେ ମୋଟ ୪୭ ଜଣ ଥିଲେ। ସେମାନଙ୍କ ମଧ୍ୟରେ ୨୦ରୁ ଅଧିକ ଶିଶୁ ବି ରହିଥିଲେ। ଏମାନେ ଟିଟିଲାଗଡ଼, ସିକେର ମୁରିବାହାଲ ଏବଂ ଆଖପାଖ ଅଂଚଳର ବୋଲି ଏସ୍ଡିପିଓ ଶ୍ରୀ ଶତପଥୀ କହିଛନ୍ତି। ଏହି ଉଦ୍ଧାର ସମୟରେ ଚାଇଲଡ୍ ଲାଇନ ସଦସ୍ୟ ଶିବାନନ୍ଦ ବେହେରା, ଶ୍ରମ ଅଧିକାରୀ ପ୍ରଶାନ୍ତ ସୁନା, ଉପଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତଥିଲେ।
ତେଲେଙ୍ଗାନାରୁ ଉଦ୍ଧାର ହେଲେ ୪୭ ଦାଦନ ଶ୍ରମିକ
Advertisment
Follow Us