ପୁରୀରେ ଲାଗିଲା ୪୮ ଘଣ୍ଟିଆ କର୍ଫ୍ୟୁ, ବଡ଼ଦାଣ୍ଡରେ ପୁଲିସର ଫ୍ଲାଗ୍‌ମାର୍ଚ୍ଚ

୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ରହିବ କଟକଣା, ଘର ଉପରେ ଡ୍ରୋନ୍‌ ରଖିବ ନଜର

ଶ୍ରୀମନ୍ଦିର ପରିଚାଳନା କମିଟିକୁ ନେଇ ସରଗରମ ଚର୍ଚ୍ଚା, ସେବାୟତଙ୍କ ଦାବି, ନୂଆ ମୁହଁ ଆସୁ

ପୁରୀ : ବାହୁଡ଼ା ଯାତ୍ରା ପାଇଁ ସୋମବର ରାତି ୮ଟାରୁ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି ହୋଇଛି। ପୁଲିସ ପକ୍ଷରୁ ସୋମବାର ରାତିରେ ବଡ଼ଦାଣ୍ଡରେ ଫ୍ଲାଗ୍‌ମାର୍ଚ୍ଚ କରାଯାଇଛି। ପ୍ରାୟ ୧୫ଟି ପିସିଆର୍ ଭ୍ୟାନ୍‌ ସାଇରନ୍‌ ବଜାଇ ବଡ଼ଦାଣ୍ଡର ଗୁଣ୍ଡିଚା ମନ୍ଦିରଠାରୁ ସିଂହଦ୍ବାର ପର୍ଯ୍ୟନ୍ତ ଏହି ଫ୍ଲାଗ୍‌ମାର୍ଚ୍ଚରେ ସାମିଲ ହୋଇଛନ୍ତି।

ସୋମବାର ରାତି ୮ଟାରୁ ଜିଲ୍ଲା ପ୍ରଶାସନ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଲଗାଇଛି। ବଡ଼ଦାଣ୍ଡ ପାର୍ଶ୍ବରେ ଥିବା ହୋଟେଲ, ଲଜ୍‌, ଧର୍ମଶାଳା ଓ ମଠ ଆଦିକୁ ୪ ଦିନ ପାଇଁ ବନ୍ଦ ଘୋଷଣା କରିଛି। ଏହି ଚାରି ଦିନ କୌଣସି ପର୍ଯ୍ୟଟକ ବଡ଼ଦାଣ୍ଡ କଡ଼ରେ ଥିବା ହୋଟେଲ, ଲଜ୍‌, ଧର୍ମଶାଳା ଓ ମଠମାନଙ୍କରେ ରହିପାରିବେ ନାହିଁ। ବଡ଼ଦାଣ୍ଡ ସଂଲଗ୍ନ ଘରଗୁଡ଼ିକରେ ରହୁଥିବା ପରିବାର ସଦସ୍ୟଙ୍କ ତାଲିକା ପ୍ରସ୍ତୁତି ସରିଛି। ବଡ଼ଦାଣ୍ଡ‌ କଡ଼ରେ ରହୁଥିବା ବାସିନ୍ଦାମାନେ ସେମାନଙ୍କ ଘରୁ ବାହାରି ରଥଯାତ୍ରା ଦର୍ଶନରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। କେହି ବି ଛାତ ଉପରୁ ଅବା ବାଲ୍‌କୋନିରୁ ରଥଯାତ୍ରା ଦେଖିପାରିବେ ନାହିଁ। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁଲିସ ଫୋର୍ସ ସହ ଡ୍ରୋନ୍ କ୍ୟାମେରା ଘର ଉପରେ ନଜର ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବାହୁଡ଼ାଯାତ୍ରାରେ କେବଳ ଜରୁରୀକାଳୀନ ସେବାକୁ ବାଦ୍‌ଦେଲେ ବଡ଼ଦାଣ୍ଡରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ବଡ଼ଦାଣ୍ଡରେ ରହିଥିବା ହୋଟେଲ, ଲଜ୍‌, ଧର୍ମଶାଳା, ଗେଷ୍ଟ ହାଉସ୍‌ ଆଦି ଗତକାଲିଠାରୁ ବନ୍ଦ ଘୋଷଣା କରାଯାଇଥିଲା। ହୋଟେଲ, ଲଜ୍‌ ମାଲିକଙ୍କୁ ସ୍ଥାନୀୟ ଥାନାକୁ ଡକାଇ ଏନେଇ ଚୁକ୍ତିନାମା ଲେଖାଇ ନିଆଯାଇଛି। ପୁରୀ ପୁଲିସ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ପୌରସଂସ୍ଥାର ସହ‌ଯୋଗରେ ବଡ଼ଦାଣ୍ଡ ସଂଲଗ୍ନ ଘରେ ରହୁଥିବା ପରିବାର ସଦସ୍ୟଙ୍କ ତାଲିକା ପ୍ରସ୍ତୁତି କରାଯାଇଛି। କର୍ଫ୍ୟୁ ସମୟରେ ଯଦି କୌଣସି ଘରେ ପରିବାର ସଦସ୍ୟଙ୍କ ବାଦ୍‌ ଅନ୍ୟ କୌଣସି ବ୍ୟକ୍ତି ରହିଥିବା ନଜରକୁ ଆସେ ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍‌ପି ଡା. କେ. ବିଶାଳ ସିଂହ ଗତକାଲି ଚେତାବନୀ ଦେଇଛନ୍ତି। ସମସ୍ତଙ୍କ ବିରୋଧରେ ମାମଲା ରୁଜୁ ହେବ ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ଔଷଧ ଦୋକାନ ସହ ଅନ୍ୟାନ୍ୟ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ବି ସୋମବାର ରାତି ୮ଟାରୁ ଜୁଲାଇ ୨୧ ତାରିଖ ରାତି ୮ଟା ପର୍ଯ୍ୟନ୍ତ ବନ୍ଦ ‌ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

publive-image ରଥଯାତ୍ରା ଭଳି ବାହୁଡ଼ାଯାତ୍ରାରେ ବି କର୍ଫ୍ୟୁର ୪୮ ଘଣ୍ଟା ଜିଲ୍ଲାର ୮ ପ୍ରମୁଖ ପ୍ରବେଶ ପଥରେ ନାକାବନ୍ଦୀ କରାଯାଇଛି। ବାହାର ଜିଲ୍ଲା ଲୋକଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏହାବାଦ୍‌ ପୁରୀର ତିନି ପ୍ରମୁଖ ପ୍ରବେଶ ପଥ ବାଟଗାଁ ଛକ, ମଙ୍ଗଳାଘାଟ ଛକ ଓ ଗ୍ରିଡ୍‌ ଷ୍ଟେସନ୍‌ ଛକକୁ ବି ସିଲ୍‌ କରି ଦିଆଯାଇଛି। ୬୦ରୁ ଅଧିକ ପ୍ଲାଟୁନ୍‌ ଫୋର୍ସ ଓ ୩ଶହରୁ ଅଧିକ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି। ଜିଲ୍ଲାର ୮ଟି ଜାଗାରେ ନାକାବନ୍ଦୀ ଆରମ୍ଭ ହୋଇଛି। ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଳ ସିଂହ ନାକା ପଏଣ୍ଟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲ୍ଲା ଭିତର ଲୋକେ ବି ପୁରୀ ସହର ଭିତରକୁ ପ୍ରବେଶ କରିପାରିବେନି ବୋଲି ନି‌ଷ୍ପତ୍ତି ହୋଇଛି। ପୁରୀ ସହର ବାହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କୋଭିଡ୍‌ ନିୟମ ବଳବତ୍ତର ରହିବ। ସେଠାରେ କର୍ଫ୍ୟୁ କଟକଣା ରହିବନି ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି। ଯେଉଁମାନେ ଏହି ନିୟମକୁ ଉଲ୍ଲଂଘନ କରିବେ ଆଇପିସି ଧାରା ୧୮୮, ସେକ୍ସନ୍‌ ୫୧ରୁ ୬୦, ଜିଲ୍ଲା ମାଜିଷ୍ଟ୍ରେଟ୍‌ ଆଇନ,୨୦୦୫ ଏବଂ କୋଭିଡ୍‌ ନିୟମ-୨୦୨୦ ‌ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ଜିଲ୍ଲା ପ୍ରଶାସନର ଏହି ଆଦେଶକୁ କାର୍ଯ୍ୟକାରୀ ପାଇଁ ସିଟି ଡିଏସପି ଜନାର୍ଦ୍ଦନ ପାଢ଼ୀଙ୍କୁ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe