ସରକାରୀ ଆଶ୍ରମ ବିଦ୍ୟାଳୟରେ ଛାତ୍ର ମୃତ୍ୟୁ ନେଇ ଉତ୍ତେଜନା, କର୍ତ୍ତୃପକ୍ଷଙ୍କ ଅବହେଳାରୁ ମୃତ୍ୟୁ ଅଭିଯୋଗ

Advertisment
ସରକାରୀ ଆଶ୍ରମ ବିଦ୍ୟାଳୟରେ ଛାତ୍ର ମୃତ୍ୟୁ ନେଇ ଉତ୍ତେଜନା, କର୍ତ୍ତୃପକ୍ଷଙ୍କ ଅବହେଳାରୁ ମୃତ୍ୟୁ ଅଭିଯୋଗ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ରାସବେଡା ପଞ୍ଚାୟତର ନନ୍ଦିନୀଗୁଡା ଠାରେ ରହିଥିବା ସରକାରୀ ଆଶ୍ରମ ବିଦ୍ୟାଳୟର ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ ହେବା ପରେ ପରିବାର ଲୋକେ ଆଶ୍ରମ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରିଛନ୍ତି। ଘଟଣା ଅନୁଯାୟୀ କୋରକୋଣ୍ଡା ବ୍ଲକର ନାକାମାମୁଡି ପଞ୍ଚାୟତର ନିଲାପାରି ଗ୍ରାମର ରାଜୁ ଖେମୁଡୁଙ୍କ ପୁଅ ଶ୍ରୀଧର ଖେମୁଡୁ(୯) ନନ୍ଦିନୀଗୁଡା ଆଶ୍ରମ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିଲା। ଏଥିସହ ଏଠାରେ ଥିବା ଶହେ ଶଯ୍ୟା ବିଶିଷ୍ଟ ଛାତ୍ରାବାସରେ ରହୁଥିଲେ।

ତେବେ ଗତକାଲି ହଠାତ୍ ରାତି ଆଠଟା ବେଳେ ଶ୍ରୀଧରକୁ ଛାତି ଯନ୍ତ୍ରଣା ହେବା ସହ ପେଟ ବ୍ୟଥା ହୋଇଥିଲା। ସାଥୀ ଛାତ୍ର ତାକୁ କିଛି ଔଷଧ ଦେଇ ଶୋଇବାକୁ କହିଥିଲେ।ତେବେ ରାତିରେ କୌଣସି ଅଧିକାରୀ ବିଦ୍ୟାଳୟରେ ନଥିଲେ। ଏପରିକି ହଷ୍ଟେଲ ସୁପରିଟେଣ୍ଡେଣ୍ଟ ମଧ୍ୟ ନଥିଲେ। ତେବେ ଶ୍ରୀଧର କିନ୍ତୁ ରାତି ସାରା ଯନ୍ତ୍ରଣାରେ ଛଟପଟ ହେଉଥିଲା। ତାକୁ କେହି ପ୍ରାଥମିକ ଚିକିତ୍ସା ପାଇଁ ମେଡିକାଲ ନେଇନଥିଲେ। କିମ୍ବା ଏହି ଖବର ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇନଥିଲା। ରାତି ତମାମ ଯନ୍ତ୍ରଣାରେ ଛଟପଟ ହୋଇ ରାତି ୩ଟା ବେଳେ ସେ ସବୁଦିନ ପାଇଁ ଶୋଇଯାଇଥିଲା। ସେତେବେଳେ ବିଦ୍ୟାଳୟର ପିଅନ ଏବଂ କିଛି ଛାତ୍ର ତତ୍ପରତା ଦେଖାଇ ଆମ୍ବୁଲେନସକୁ ଫୋନ କରିଥିଲେ। ତୁରନ୍ତ ଖଇରପୁଟ ମେଡିକାଲକୁ ନେବା ପରେ ସେଠାରେ ଡାକ୍ତର ତାଂକୁ ମୃତ୍ୟୁ ଘୋଷଣା କରିଥିଲେ।

ଏହାପରେ ସକାଳେ ଏହି ଖବର ପ୍ରଚାର ହେବା ପରେ ପରିବାର ଲୋକେ ହସପିଟାଲରେ ପହଞ୍ଚିବା ସହ ବିଦ୍ୟାଳୟର କର୍ତ୍ତୃପକ୍ଷମାନେ ମଧ୍ୟ ହସପିଟାଲରେ ପହଞ୍ଚିଥିଲେ। ଏବେ ନିଜ ନିଜର ଦୋଷ ଛଡାଇବାକୁ ଯାଇ ଜଣେ ଅନ୍ୟ ଜଣକ ଉପରେ ଦୋଷ ଲଦିବା ଦେଖିବାକୁ ମିଳିଛି। ହଷ୍ଟେଲ ସୁପରିଟେଣ୍ଡେଣ୍ଟ ନିଜ ଘର କୁଡୁମୁଲୁଗୁମ୍ମା ଯାଇ ରହୁଥିଲେ। ପିଲାମାନେ ନିଜ ଭରସାରେ ହଷ୍ଟେଲରେ ପଡି ରହିଥିଲେ। ସକାଳୁ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀ ଏବଂ ପୁଲିସ ସେଠାରେ ପହଞ୍ଚି ଶବକୁ ଜବତ କରିବା ପରେ ବ୍ୟବଛେଦ କରାଇଥିଲେ।

ସ୍ଥାନୀୟ ବିଡିଓ, ତହସିଲଦାର ସମେତ ଜିଲ୍ଲା ଅଧିକାରୀମାନେ ମଧ୍ୟ ପହଞ୍ଚି ଘଟଣାର ତଦନ୍ତ ନେଇ ନିର୍ଦେଶ ଦେଇଥିବା ଜଣାପଡିଛି। ତେବେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ହିଁ ପୁଅର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଜାଣି ଶୁଣି ପିଲାକୁ ମାରିଦେଲେ ବୋଲି ମୃତ ଶ୍ରୀଧରର ମାମୁଁ ଅଭିଯୋଗ କରିଥିଲେ। ରାତି ତମାମ ଯନ୍ତ୍ରଣାରେ ଶ୍ରୀଧର ଛଟପଟ ହେଉଥିଲେ ମଧ୍ୟ ତାଂକୁ ମାତ୍ର ତିନି ଚାରି କିଲୋମିଟର ଦୂରରେ ରହିଥିବା ଖଇରପୁଟ ମେଡିକାଲକୁ କାହିଁକି ନିଆଗଲା ନାହିଁ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଶବ ବ୍ୟବଛେଦ ପରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ରେଡକ୍ରସ ତରଫରୁ ୧୦ ହଜାର ଟଂକା ପ୍ରଦାନ କରାଯାଇଥିବା ଜଣାପଡିଛି।

ହଷ୍ଟେଲରେ କିପରି ପିଲାମାନେ ରହୁଛନ୍ତି ଏହା ହେଉଛି ତାହାର ଜ୍ବଳନ୍ତ ଉଦାହରଣ।ହୋଷ୍ଟେଲଗୁଡିକରେ କେହି ରାତିରେ ରହୁନଥିବାରୁ ପିଲାମାନେ ଭଗବାନଙ୍କ ଭରସାରେ ପଡି ରହୁଛନ୍ତି।ଏହା କେବଳ ଏହି ଗୋଟିଏ ହଷ୍ଟେଲରେ ଘଟଣା ନୁହେଁ ବରଂ ଜିଲ୍ଲାର ଅର୍ଧାଧିକ ହୋଷ୍ଟେଲରେ ଏଭଳି ଅବସ୍ଥା ରହିଥିବା ଅଭିଯୋଗ କରାଯାଇଥିଲା। ଏନେଇ ଡିଡବ୍ଲୁଓ କୃପାସିନ୍ଧୁ ବେହେରାଙ୍କୁ ପଚାରିବାରୁ ସେ ଏନେଇ ଖବର ପାଇବା ସହ ତୁରନ୍ତ ଏଦିଗରେ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ। ତେବେ ସ୍କୁର ପ୍ରଧାନ ଶିକ୍ଷକ ଛୁଟିରେ ଥିବା ସେ କହିବା ସହ ହୋଷ୍ଟେଲରେ ଜଣେ ମହିଳା ରହୁଥିବା ଉତ୍ତର ଦେଇଥିଲେ।କିନ୍ତୁ ଅନ୍ୟଦିଗରେ ହୋଷ୍ଟେଲରେ କେହି ମହିଳା କିମ୍ବା ପୁରୁଷ ନଥିଲେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ତେବେ ବିଭାଗୀୟ ଅଧିକାରୀ ଏବଂ ସ୍କୁଲ କର୍ତ୍ତୃପକ୍ଷ ମିଳିମିଶି ଏହି ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଏହାର ସତ୍ୟାସତ୍ୟ ବାହାର କରି ଦୋଷୀ ଶିକ୍ଷକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe