ଚତୁର୍ଥ କରୋନା ଆକ୍ରାନ୍ତ ଏବେ ଏସସିବି ସ୍ବତନ୍ତ୍ର ଆଇସୋଲେସନରେ, ସାମ୍ନାକୁ ଆସିଲା ଗସ୍ତ ସଂପର୍କିତ ସୂଚନା

Advertisment
ଚତୁର୍ଥ କରୋନା ଆକ୍ରାନ୍ତ ଏବେ ଏସସିବି ସ୍ବତନ୍ତ୍ର ଆଇସୋଲେସନରେ, ସାମ୍ନାକୁ ଆସିଲା ଗସ୍ତ ସଂପର୍କିତ ସୂଚନା

ଭଦ୍ରକ/କଟକ: ଗତକାଲି ରାତିରେ ଭଦ୍ରକରୁ ଚିହ୍ନଟ ହୋଇଥିବା ରାଜ୍ୟର ଚତୁର୍ଥ କରୋନା ଆକ୍ରାନ୍ତଙ୍କୁ କଟକ ଏସସିବିକୁ ଅଣାଯାଇ ସ୍ବତନ୍ତ୍ର ଆଇସୋଲେସନ୍ ୱାର୍ଡରେ ରଖାଯାଇଥିବା ସୂଚନା ମିଳିଛି। ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଛି। ତେବେ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ବାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି। ତେବେ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ। ଭଦ୍ରକ ଜିଲ୍ଲାର ସଂପୃକ୍ତ ଯୁବକଙ୍କୁ ଏସ୍ସିବି ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିବା ଲାଗି ଭଦ୍ରକ ଜିଲ୍ଲାପାଳଙ୍କୁ ସ୍ବାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ପରାମର୍ଶ ଦେବା ପରେ ଗତ ରାତିରେ ତାଙ୍କୁ ଭଦ୍ରକରୁ କଟକ ଅଣାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାର ଜଣେ ୨୯ ବର୍ଷୀୟ ଯୁବକ ଜଣକ ଗତ ୧୮ ତାରିଖରେ ଦୁବାଇରୁ ଫେରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ବିଦେଶ ଫେରାନ୍ତାଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଥିବାରୁ ସେ ଏଥିରେ ପଂଜୀକରଣ ମଧ୍ୟ କରିଥିଲେ। ତେବେ ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥିଲା। ମାତ୍ର ଗତକାଲି ତାଙ୍କ ନମୁନା ପରୀକ୍ଷା ହେବା ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେବେ ସଂପୃକ୍ତ ଯୁବକ ଜଣକ କେଉଁ କେଉଁ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ଖୋଳତାଡ଼ ଆରମ୍ଭ ହୋଇଛି।

ପ୍ରାପ୍ତ ସୂଚନା ଅନୁସାରେ, ସେ ୧୮ ତାରିଖ ଦିନ ଦୁବାଇରୁ କୋଲକାତା ଏମିରେଟସ୍  ବିମାନରେ ଆସିଥିଲେ। ଏହାପ‌ରେ କୋଲକାତା ବିମାନବନ୍ଦରରୁ ଏକୁଟିଆ ଟ୍ୟାକ୍ସି ଯୋଗେ ହାଓଡା ଷ୍ଟେସନ ଆସିଥିଲେ। ସେଠାରୁ ଇଷ୍ଟକୋଷ୍ଟ ଏକ୍ସପ୍ରେସର ଏସ୍-୧୧ କମ୍ପାଟମେଣ୍ଟରେ  ଭଦ୍ରକ ଆସିଥିଲେ। ଭଦ୍ରକ ରେଳ ଷ୍ଟେସନ‌ରୁ ଏକ ଅଟୋରେ ସେ ତାଙ୍କ ପୁରୁଣା ବଜାର ଘରକୁ ଆସିଥିଲେ। ଏହାପରେ ସେ ହୋମ୍ କ୍ବାରେଣ୍ଟାଇନରେ ରହିବା ସହ ଗତ ୩୦ ତାରିଖରେ ତାଙ୍କର ସ୍ବାବ୍ ନମୁନା ପରୀକ୍ଷା ଲାଗି ନିଆ ଯାଇଥିଲା ଓ ୩୧ରେ ପଜିଟିଭ୍ ଆସିଥିଲା।

କୁହାଯାଇଛି ଯେ, ସଂପୃକ୍ତ ଯୁବକଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳି ନଥିଲା। ତେଣୁ ଯେଉଁମାନେ ବିଦେଶରୁ ଫେରିଛନ୍ତି, ଅଥଚ ତାଙ୍କ ନିକଟରେ କୌଣସି କରୋନାର ଲକ୍ଷଣ ନାହିଁ ସେମାନେ ଆତ୍ମସନ୍ତୁଷ୍ଟ ହେବାଉଚିତ ନୁହେଁ। ତେଣୁ ସେମାନେ ୨ସପ୍ତାହ ପାଇଁ ସଙ୍ଗରୋଧ ବା କ୍ବାରାଣ୍ଟିନ୍ରେ ରହିବା ସହିତ ପରବର୍ତୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ନିଜ ସ୍ବାସ୍ଥ୍ୟର ତଦାରଖ କରିବା ଉଚିତ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe