ଭୁବନେଶ୍ବର : ୪ର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସୁରୁଖୁରୁରେ ସମାପ୍ତ ହୋଇଛି । ଏହି ପର୍ଯ୍ୟାୟରେ ପ୍ରାୟ ୭୩ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି । ତେବେ ଏହି ପର୍ଯ୍ୟାୟର ଉଲ୍ଲେଖନୀୟ ଘଟଣା ହେଲା ପ୍ରାୟ ୨୦ ବର୍ଷ ପରେ ଗୋଟିଏ ଗାଁର ଲୋକେ ଭୋଟ ଦେଇଛନ୍ତି ।
୪ର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ଯେ, ଆଜି ମୋଟ ୨୭ଟି ଜିଲ୍ଲାର ୬୩ଟି ବ୍ଲକର ୧୨୫୪ଟି ଗ୍ରାମ ପଞ୍ଚାୟତରେ ୧୬୩ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୭୦୮୯ଟି ବୁଥରେ ଶାନ୍ତିପୂର୍ଣ୍ଣ ଭାବେ ଭୋଟଗ୍ରହଣ ସଂପନ୍ନ ହୋଇଛି । ତେବେ ୪-୫ଟି ସ୍ଥାନରେ ନିର୍ବାଚନ ପ୍ରକ୍ରିୟାରେ ସମସ୍ୟା ଦେଖାଦେଇଛି । ସେ ସଂପର୍କରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରିପୋର୍ଟ ତଲବ କରାଯାଇଛି ।
ତେବେ ଏହି ପର୍ଯ୍ୟାୟ ଭୋଟ ଗ୍ରହଣର ଉଲ୍ଲେଖନୀୟ କଥା ହେଉଛି ପ୍ରାୟ ୨୦ ବର୍ଷ ପରେ ରାଜ୍ୟର ଗୋଟିଏ ଗାଁର ଲୋକେ ଭୋଟ ଦେଇଛନ୍ତି । ଏହି ଗାଁଟି ହେଲା କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁସିତ ଅଂଚଳ ଲାଂଜିଗଡ଼ ବ୍ଲକ ନିୟମଗିରି ପାହାଡ଼ ତଳେ ଥିବା ତ୍ରିଲୋଚନପୁର । ଦୂର୍ଗମ ଅଞ୍ଚଳ ଓ ରାସ୍ତାଘାଟ ନଥିବାରୁ ଗାଁ ଲୋକେ ଗତ ୨୦ ବର୍ଷ ହେଲା ଭୋଟ ଦେଇପାରୁନଥିଲେ । କିନ୍ତୁ ଏଥର ସେଠାକାର ଲୋକମାନେ ଭୋଟ ଦେଇଛନ୍ତି । ସେଠାରେ ପ୍ରାୟ ୮୦ ପ୍ରତିଶତ ମତଦାନ ହୋଇଛି । ଅନ୍ୟପକ୍ଷରେ ରାଜ୍ୟର ଆଉ ଏକ ପଛୁଆ ଅଂଚଳଭାବେ ଜଣାଶୁଣା ଯାଜପୁର ଜିଲ୍ଲାର ନଗଡ଼ାରେ ୮୩ ପ୍ରତିଶତ ମତଦାନ ହୋଇଛି ।
Follow Us