ବଲାଙ୍ଗୀର : ଟ୍ରକ୍‌ରୁ ୫ ବସ୍ତା କଫ୍‌ସିରପ୍‌ ଜବତ!

Advertisment
କଫ୍‌ ସିରପ ଜବତ ମାମଲା: ହିମାଚଳ ପ୍ରଦେଶରେ କଂପାନିର ଆକାଉଣ୍ଟ ଫ୍ରିଜ୍ କଲା ପୁଲିସ

News18 Hindi

ବଲାଙ୍ଗୀର : ନିଶା କାରବାର ବଢ଼ିଛି। ବେଆଇନ ମଦ କାରବାରରୁ ନେଇ କଫସିରପ ନିଶା ବେପାରୀ ଏବେ ସକ୍ରିୟ। ଲକ୍‌ଡାଉନ୍‌ ସୁଯୋଗରେ ଚଢ଼ା ଦରରେ ନିଶା ଦ୍ରବ୍ୟ ବିକ୍ରି କରି ମାଲେମାଲ ମାଫିଆ। ପୁଲିସ-ନିଶା ମାଫିଆଙ୍କ ଛକାପଞ୍ଝା ବି ଜୋରଦାର ହୋଇଛି। ଏସବୁ ଭିତରେ ଏବେ ଧରାପଡ଼ିଛି କଫ୍‌ସିରପ୍ ବୋଝେଇ ହୋଇ ଯାଉଥିବା ଏକ ମିନିଟ୍ରକ୍‌(୪୦୭ ପିକ୍‌ଅପ୍‌)। ସେଥିରୁ ମାତ୍ର ୫ ବସ୍ତା କଫ୍‌ସିରପ୍‌ (୧୬୦୦ବୋତଲ) ଜବତ କରିଛି ପୁଲିସ। ଡ୍ରାଇଭର ସମେତ ୩ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫଙ୍କ ମଧ୍ୟରେ ଡ୍ରାଇଭର ବିଶିକେସନ ପୁଟେଲ(୨୧), ପୀତବାସ ସାହୁ(୨୮), ବିମଳ ପୋଢ(୨୩) ରହିଛନ୍ତି। ତେବେ ମିନିଟ୍ରକ ନୟାଗଡ଼ରୁ ଆସୁଥିବା ବେଳେ ମାତ୍ର ୫ ବସ୍ତା କଫସିରପ ଜବତ ହେବା ପୁଲିସ ତଦନ୍ତରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଘଟଣାରୁ ପ୍ରକାଶ ଯେ, ବଲାଙ୍ଗୀର ଏସ୍‌ପିଙ୍କ ନିର୍ଦ୍ଦେଶରେ ସଦର ଥାନା ପୁଲିସ ଖୁଣ୍ଟପାଲିଠାରେ ଏକ ମିନିଟ୍ରକ ଉପରେ ଚଢ଼ଉ କରିଥିଲା। ୧୯ ତାରିଖ ଦିନ ଚଢ଼ଉ କରିବା ସହ ମିନିଟ୍ରକକୁ ଥାନାକୁ ଆଣିଥିଲା। ସେଥିରେ କଫ୍‌ସିରପ୍‌ ବୋଝେଇ ହୋଇଥିବା ନେଇ ସୂଚନା ମିଳିବା ପରେ ଗଣମାଧ୍ୟମ ପ୍ରତିନିଧି ଥାନାଧିକାରୀ ତୋଫାନ ବାଗଙ୍କୁ ଯୋଗାଯୋଗ କରିଥିଲେ। ହେଲେ ସେ ବଲାଙ୍ଗୀର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ସୂଚନା ଦେବେ ବୋଲି କହିଥିଲେ। ଏସଡିପିଓଙ୍କୁ ଯୋଗାଯୋଗ କଲେ ବି ସେ ଫୋନ୍‌ ରିସିଭ କରିନଥିଲେ। ଜୁଆଆଡାରେ ପୁଲିସ ଚଢ଼ଉ କରିଥିବାର ସବିଶେଷ ସୂଚନା ଏସ୍‌ଡିପିଓ ଦେଇଥିଲେ ହେଁ ସଦର ଥାନା କଫସିରପ ଜବତ ଘଟଣାରେ ନିରବ ରହିଥିଲେ।

ଚଢ଼ଉ ଖବର ପ୍ରକାଶିତ ହେବା ପରେ ସୋମବାର ୨୦ ତାରିଖ ପୁଲିସ ସବିଶେଷ ସୂଚନା ଗଣମାଧ୍ୟମକୁ ଦେଇଛି। ସେଥିରେ ମିନିଟ୍ରକରୁ ୫ ବସ୍ତା କଫସିରପ ଜବତ କରାଯାଇଥିବା ପୁଲିସ କହିଛି। ତେବେ କଫସିରପ ନୟାଗଡ଼ରୁ ଆସୁଥିଲା ଓ ପାଟଣାଗଡ଼ ଅଭିମୁଖେ ଯାଉଥିବା ପୁଲିସ କହିଛି। ଲକ୍‌ଡାଉନ୍‌ ସମୟରେ କୋଭିଡ ପାସ ହାତେଇ ଏକ ମିନିଟ୍ରକ ଏହି କାରବାରରେ ବ୍ୟବହୃତ ହୋଇଛି। ମିନିଟ୍ରକ ନୟାଗଡ଼ରୁ ପ୍ରକୃତରେ କେତେ ପରିମାଣର କଫସିରପ ଆଣିଥିଲା ତାହା ପୁଲିସ ସ୍ପଷ୍ଟ କରିନି। ୫ ବସ୍ତା କଫସିରପ ପାଇଁ ମିନିଟ୍ରକ ବ୍ୟବହାର ହେବା ଅନେକ ପ୍ରଶ୍ନ ଛିଡ଼ା କରୁଛି। ଏଣୁ ପୁଲିସ ଏହି ଘଟଣାର ଅଧିକ ତଦନ୍ତ କରି ରହସ୍ୟ ଉନ୍ମୋଚନ କରୁ ବୋଲି ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe