ଲୋକାର୍ପଣ ପୂର୍ବରୁ ୫-ଟି ଅଧ୍ୟକ୍ଷଙ୍କ ସମୀକ୍ଷା: ଭକ୍ତଙ୍କୁ ପଚାରିଲେ ପ୍ରକଳ୍ପ ଅନୁଭୂତି

ଲୋକାର୍ପଣ ପୂର୍ବରୁ ୫-ଟି ଅଧ୍ୟକ୍ଷଙ୍କ ସମୀକ୍ଷା: ଭକ୍ତଙ୍କୁ ପଚାରିଲେ ପ୍ରକଳ୍ପ ଅନୁଭୂତି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଗତକାଲି ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଥିଲେ। ଆଜି ପୁଣି ଶ୍ରୀ ପାଣ୍ଡିଆନ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ କରିଛନ୍ତି। ଲୋକାର୍ପଣ ଉତ୍ସବ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଶ୍ରୀମନ୍ଦିରର ଚତୁଃପାର୍ଶ୍ବ ପରିକ୍ରମା କରିବା ସହ ଚାରିଦ୍ବାରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମର ମାନ ପରଖିଛନ୍ତି। ଆଲୋକୀକରଣ ଓ ଅନ୍ୟାନ୍ୟ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗସ୍ତ ପୂର୍ବରୁ କେଉଁ ବାଟରେ ମୁଖ୍ୟମନ୍ତ୍ରୀ ଆସିବେ, କେଉଁଠି କାର୍‌ଗୁଡ଼ିକ ରହିବ, କେଉଁଠି ଫଳକ ଲୋକାର୍ପଣ ହେବ, ସବୁର ଟିକିନିଖି ଅନୁଧ୍ୟାନ କରିଛନ୍ତି। ସଭାସ୍ଥଳ ପ୍ରସ୍ତୁତି ସହ ଶ୍ରୀଦାଣ୍ଡ, ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ, ଶ୍ରୀସେତୁ ହେଲିପ୍ୟାଡ୍‌ ସ୍ଥଳ ଆଦି ବୁଲି ଦେଖିଛନ୍ତି। ପରିକ୍ରମା ପ୍ରକଳ୍ପ ପ୍ରଦକ୍ଷିଣ କରୁଥିବା ଭକ୍ତଙ୍କ ସହ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଛନ୍ତି। ପ୍ରକଳ୍ପ କିଭଳି ଲାଗୁଛି ପଚାରି ବୁଝିଛନ୍ତି। ଭକ୍ତ ବି ପ୍ରକଳ୍ପ କାମକୁ ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ୫-ଟି ଅଧ୍ୟକ୍ଷଙ୍କୁ ଶୁଭାଶୀର୍ବାଦ ଦେଇଛନ୍ତି। ସାଙ୍ଗରେ ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ପୁରୀ ଗସ୍ତରେ ଆସି ପ୍ରକଳ୍ପ ଦେଖିଛନ୍ତି। ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆ ଓ ଅନ୍ୟମାନଙ୍କ ସହ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ସମର୍ଥ ବର୍ମା, କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ, ପୁରୀ ଏସ୍‌ପି ଡା. କେ. ବିଶାଳ ସିଂହ, ଓବିସିସି-୧ ପ୍ରକଳ୍ପ ପରିଚାଳକ ପ୍ରଭାତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe