Sunday Guardian
ସୁଜନପୁର/କବାଟ ବନ୍ଧ: ଯାଜପୁର ବ୍ଲକ୍ ସିମିଳିଆ ପଞ୍ଚାୟତ ଧୋଇଆପାଟରେ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିବା ଦ୍ୱାରା ୩ଟି ଗାଈ ମରିଥିବାବେଳେ ୪ ଗାଈ ଗୁରୁତର ହୋଇଛନ୍ତି। ରବିବାର ଅପରାହ୍ଣରେ ଗାଈପଲ ବିଲରେ ଚରିବାକୁ ଯାଇଥିଲେ। ସିମିଳିଆ ଧୋଇଆପାଟରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ୍ ତାରରେ ଗାଈ ପଲ ଲାଗିଯିବାରୁ ଶକ୍ତ ଝଟ୍କା ଖାଇ ଗାଈଗୁଡ଼ିକ ମରିଯାଇଥିଲେ। ୪ଟି ଗାଈ କୌଣସି ପ୍ରକାରେ ବଞ୍ଚିଯାଇଥିଲେ ବି ଅବସ୍ଥା ଗୁରୁତର ରହିଛି।
ଗାଈଗୁଡ଼ିକ ହରମୋହନ ବେହୁରିଆ, ଲଳିତ ନାୟକ ଓ ବିଚିତ୍ରାନନ୍ଦ ନାୟକଙ୍କ ବୋଲି ଜଣାପଡ଼ିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଦ୍ୟୁତ୍ ବିଭାଗ ପାଟରେ ଯାଇଥିବା ଲାଇନ ତାର ଦୁର୍ବଳ ଥିବାରୁ ଛିଣ୍ଡି ପଡ଼ିଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ବିଦ୍ୟୁତ୍ ବିଭାଗ ତୁରନ୍ତ ଗୋରୁ ମାଲିକଙ୍କୁ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି।
ସେହିପରି ଧର୍ମଶାଳା ବ୍ଲକ ମଧୁସୂଦନପୁର ଗ୍ରାମରେ ଆଜି ଅପରାହ୍ଣରେ ବଜ୍ରପାତ ହେବାରୁ ୨ ଗାଈଙ୍କ ମୃତ୍ୟୁ ହୋଇଛି। ଏଥିରେ ଗାଈ ମାଲିକ ପୂର୍ଣ୍ଣଚନ୍ଦ୍ର ରାଉତ ଅସୁସ୍ଥ ହୋଇପଡ଼ିଛନ୍ତି। ଅନ୍ୟଏକ ଗାଈ ମଧ୍ୟ ଗୁରୁତର ହୋଇଥିବାର ଜଣାଯାଇଛି। ଆଜି ଅପରାହ୍ଣରେ ଗାଁର ହରିହର ରାଉତ ଓ ପୂର୍ଣ୍ଣଚନ୍ଦ୍ର ରାଉତଙ୍କର ୩ଟି ଗାଈ ଚରିବାକୁ ବିଲକୁ ଯାଇଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ପୂର୍ଣ୍ଣଚନ୍ଦ୍ରଙ୍କୁ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
Follow Us