ଡେବ୍ରିଗଡ଼ ଅଭୟାରଣ୍ୟରୁ ୫ ଶିକାରୀ ଗିରଫ, ୧୦ ସମ୍ବର ଶିଂଗ ଜବତ

Advertisment

ପୂର୍ବରୁ ସେହିଠାରେ ମହାବଳର ହତ୍ୟା ହୋଇଥିଲା

ପୂର୍ବରୁ ସେହିଠାରେ ମହାବଳର ହତ୍ୟା ହୋଇଥିଲା

ଡେବ୍ରିଗଡ଼ ଅଭୟାରଣ୍ୟରୁ ୫ ଶିକାରୀ ଗିରଫ, ୧୦ ସମ୍ବର ଶିଂଗ ଜବତ

ସମ୍ବଲପୁର/ବରଗଡ଼: ଡେବ୍ରିଗଡ଼ ଅଭୟାରଣ୍ୟରେ ଶିକାର କରୁଥିବା ୫ ଜଣ ଶିକାରୀଙ୍କୁ ଶୁକ୍ରବାର ଭୋରରୁ ବନବିଭାଗ ଗିରଫ କରିଛି। ସେମାନଙ୍କଠାରୁ ସମର ଶିଂଗ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରିଛି। ହୀରାକୁଦ ବନ୍ୟପ୍ରାଣୀ ବିଭାଗର ୧୮ ଜଣିଆ ପେଟ୍ରୋଲିଂ ଟିମ୍ ଅଭୟାରଣ୍ୟରେ ରାତି ପେଟ୍ରୋଲିଂ କରୁଥିବାବେଳେ ଖଜୁରିଆ ଅଞ୍ଚଳରୁ ଏହି ଶିକାରୀଙ୍କ ଗତିବିଧି ସଂପର୍କରେ ଭିଏଚ୍‌ଏଫ୍‌ରେ ସୂଚନା ମିଳିଥିଲା। ସେମାନେ ତୁରନ୍ତ ସେହି ଅଞ୍ଚଳରେ ତଲାସ କରି ଅଭୟାରଣ୍ୟ ମଝିରେ ଥିବା ଚୌରାଶିମାଲ ସେକ୍‌ସନ୍‌ରୁ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

ଗିରଫ ଅଭିଯୁକ୍ତ ମାନେ ହେଲେ ବରଗଡ଼ ଜିଲ୍ଲା ଭଟଲି ନିକଟସ୍ଥ ସମରଧରା ଅଞ୍ଚଳ ରୁନିପାଲି ଗାଁର ସୁଶୀଲ ବାଗ (୨୮), ହୃଷୀକେଶ ପ୍ରଧାନ (୨୫), ପଞ୍ଚାନନ ପଧାନ (୨୪), ମୁକେଶ ଭୋଇ (୨୨) ଏବଂ ଶାନ୍ତନୁ ସାହୁ (୩୨)। ଅଭିଯୁକ୍ତ ମାନେ ଗୁରୁବାର ରାତିରେ ଶିକାର ସହ ସମ୍ବର, ହରିଣ, ବଣୁଆ ମଇଁଷି ଆଦି ବନ୍ୟପ୍ରାଣୀଙ୍କ ଶିଂଗ ଓ ଚମଡ଼ା ସଂଗ୍ରହ ଉଦ୍ଦେଶ୍ୟରେ ଅଭୟାରଣ୍ୟରେ ପଶିଥିଲେ। ସେମାନଙ୍କଠାରୁ ଗୋଟିଏ ଅଖା ବସ୍ତାରେ ଭର୍ତ୍ତି ଥିବା ୧୦ଟି ସମର ଶିଂଗ ସହ ୫ଟି ବଡ଼ ଆକାରର ବସ୍ତା, ୫ଟି ବଡ଼ ଛୁରି, ୨ଟି ଟାଙ୍ଗିଆ, ଦୁଇଟି ମୋଟର୍‌ ସାଇକଲ୍ , ତାର ଇତ୍ୟାଦି ଜବତ କରାଯାଇଛି।

ଉଲ୍ଲେଖନୀୟ ବିଷୟ ହେଲା ଗତ ବର୍ଷ ସମାନ ସ୍ଥାନରୁ କଲରାପତରିଆ ବାଘର ନଖ, ଗୋଧି ଚମଡ଼ା ଆଦି ଜବତ କରା ଯାଇଥିଲା। ସେଥର ଯେଉଁ ଅଭିଯୁକ୍ତ ମାନେ ଗିରଫ ହୋଇଥିଲେ ଏଥର ବି ସେହି ମାନେ ଧରା ପଡ଼ିଛନ୍ତି ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି। ଆର୍ଥାତ୍‌ ଉଭୟ ଘଟଣାର ଅଭିଯୁକ୍ତମାନେ ସମାନ। ଶୁକ୍ରବାର ସମସ୍ତ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ପ୍ରକାଶଯୋଗ୍ୟ, ଡେବ୍ରିଗଡ଼ ଅଭୟାରଣ୍ୟରେ ଚିହ୍ନଟ ଏକମାତ୍ର ମହାବଳ ବାଘକୁ ସେହି ଖଜୁରିଆ ଅଞ୍ଚଳରେ ଶିକାରୀମାନେ ହତ୍ୟା କରି ପୋତି ଦେଇଥିଲେ। ସେତେବେଳେ ବନ ବିଭାଗ ଉକ୍ତ ଘଟଣାକୁ ଲୁଚାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲା। ହେଲେ ବନ୍ୟପ୍ରାଣୀ ସଂରକ୍ଷକ ତଥା ସ୍ନେକ୍‌ ହେଲ୍‌ପ ଲାଇନ୍ ମୁଖ୍ୟ ଶୁଭେନ୍ଦୁ ମଲ୍ଲିକ କୌଣସି ସୂତ୍ରରୁ ଖବର ପାଇ ଡେବ୍ରିଗଡ଼ ଆସି ଉକ୍ତ ଘଟଣାର ପର୍ଦ୍ଦାଫାସ କରିଥିଲେ। ଡେବ୍ରିଗଡ଼ରେ ତା’ପରଠାରୁ ମହାବଳର ଥିବାର ଆଉ କୌଣସି ପ୍ରମାଣ ବା ସୂଚନା ମିଳି ନାହିଁ। କିନ୍ତୁ ଏହି ଜଙ୍ଗଲରେ ବହୁ ସଂଖ୍ୟାରେ ଜଙ୍ଗଲୀ ମଇଁଷି ବା ଗୟଳ, ସମ୍ବର, ଚିତ୍ରା ହରିଣ, ଜଙ୍ଗଲୀ ବାର୍‌ହା ଓ କଲରାପତରିଆ ରହିଛନ୍ତି।

publive-image

ଏହି ଜଙ୍ଗଲରେ ମଧ୍ୟ ନିୟମିତ ଶିକାର ଓ ବନ୍ୟପ୍ରାଣୀଙ୍କ ଅଙ୍ଗପ୍ରତ୍ୟଙ୍ଗର ଅବୈଧ ଚାଲାଣ ହୋଇ ଆସୁଛି। ଜଙ୍ଗଲ ଭିତରେ ରହୁଥିବା କିଛି ଲୋକ ଏହି ଚୋରା କାରବାରରେ ସଂପୃକ୍ତ ରହୁଥିବାବେଳେ ଆଖପାଖ ଅଞ୍ଚଳର ବହୁ ଶିକାର ସାମିଲ ଅଛନ୍ତି। ସେମାନେ ଏଠାରୁ ଜୀବଜନ୍ତୁଙ୍କ ଶିଂଗ, ନଖ, ଦାନ୍ତ, ଚମଡ଼ା ଆଦି ସଂଗ୍ରହ କରି ଛତିଶଗଡ଼ର ମାଫିଆ ମାନଙ୍କୁ ବିକ୍ରି କରିଥାଆନ୍ତି। ତାହା ସେମାନଙ୍କ ଦ୍ବାରା ବାହାର ରାଜ୍ୟର ବଜାରକୁ ଚାଲାଣ ହୁଏ। ଏହି ଶିକାର ଓ ବନ୍ୟପ୍ରାଣୀ ହତ୍ୟାକୁ ନିୟନ୍ତ୍ରିତ କରିବା ପାଇଁ ବନବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆ ଯାଇଥିବା ନେଇ ଡିଏଫ୍‌ଓ ଶ୍ରୀମତୀ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe