ଦେଶୀ ବନ୍ଧୁକରୁ ଗୁଳି ଫୁଟି ୫ ଆହତ

Advertisment
ଦେଶୀ ବନ୍ଧୁକରୁ ଗୁଳି ଫୁଟି ୫ ଆହତ

ମଇଦଲପୁର/ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍‌ର ମଇଦଲପୁର ସାପ୍ତାହିକ ହାଟରେ ବୁଧବାର ସକାଳେ ଅଭାବନୀୟ ତଥା ଲୋମଟାଙ୍କୁରା ଘଟଣା ଘଟିଛି। ମରାମତି ସମୟରେ ଗୋଟିଏ ଦେଶୀ ବନ୍ଧୁକରୁ ଏକାଧିକ ଗୁଳି ଫୁଟିବାରୁ ୪ଜଣ ମହିଳା ଏବଂ ନିଜେ ବନ୍ଧୁକର ମାଲିକ ଆହତ ହୋଇଛନ୍ତି। ଜଣେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କେଉଁ ପରିସ୍ଥିତିରେ ଗୁଳି ଫୁଟିଲା ସ୍ପଷ୍ଟ ହୋଇପାରିନି। ଅପରପକ୍ଷରେ, ପୁଲିସ ମାମଲା ରୁଜୁ କରି ୱେଲ୍‌ଡିଂ ଦୋକାନ ମାଲିକ ଏବଂ ବନ୍ଧୁକର ଲାଇସେନ୍ସପ୍ରାପ୍ତ ମାଲିକଙ୍କୁ ଅଟକ ରଖିଛି।

ସୂଚନା ଅନୁଯାୟୀ, ସାପ୍ତାହିକ ହାଟ ଯୋଗୁ ଆଜି ମଇଦଲପୁରରେ ଅନ୍ୟ ଦିନ ତୁଳନାରେ ଅଧିକ ଗହଳି ଥିଲା। ଏହି ସମୟରେ ଲଗାତାର ଗୁଳି ଫୁଟିବା ଶବ୍ଦ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲା। ଲୋକଙ୍କ କୋଳାହଳ କରି ଦୌଡ଼ିବା ମଧ୍ୟରେ ୪ଜଣ ମହିଳାଙ୍କ ଦେହରେ ଗୁଳି ବାଜିଥିବାରୁ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ଆହତଙ୍କୁ ଉଦ୍ଧାର କରି ମଇଦଳପୁର ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବେତଝରଣା ଗାଁର ଫୁଲରିଡ଼ା କଚିମ ହାଟରେ ସଉଦା କିଣି ଚାଲି ଚାଲି ଯିବା ସମୟରେ ତାଙ୍କ ହାତରେ ଗୁଳି ବାଜିଥିଲା। ନୀଳାଦ୍ରିଗୁଡ଼ାର ତୁଳସା ପୂଜାରୀ ହାଟ ସାରି ନିଜ ଘରକୁ ଫେରିବା ସମୟରେ ଗୁଳି ଛାତି ଓ ଗୋଡ଼ରେ ବାଜିଥିବା ଜଣାପଡ଼ିଛି। ଗୋଟିଏ ଦୋକାନରେ ବସିଥିବା ମଇଦଲପୁରର ସବିତା ମାଳିଙ୍କ ହାତ ଓ ପେଟରେ ଗୁଳି ବାଜିଛି। ସେହିପରି, ଡଙ୍ଗରିଗୁଡା ଗ୍ରାମର ମୁକ୍ତା ଜାନୀଙ୍କ ହାତରେ ଗୁଳି ବାଜିଥିବା ଦେଖିବାକୁ ମିଳିଛି।

ହାଟପଦା ସ୍ଥିତ ହରିହର ମିର୍ଗାନଙ୍କ ୱେଲ୍‌ଡିଂ ଦୋକାନରୁ ହିଁ ସମସ୍ତ ଗୁଳି ଫୁଟିଥିଲା। ପ୍ରାୟ ୧୦ବର୍ଷ ତଳେ ଏହି ବନ୍ଧୁକକୁ ବନ ବିଭାଗ ଜବତ କରି ନିଜ ହେପାଜତରେ ରଖିଥିଲା। ଯାହାକୁ ଆଜି ବନ୍ଧୁକର ମାଲିକ ତଥା ପୂଜାରୀଗୁଡ଼ା ଗାଁର ବୁଦୁ ମାଝୀ ମୁକୁଳାଇଥିଲେ। ମରାମତି ଆବଶ୍ୟକ ହେଉଥିବାରୁ ଉପରୋକ୍ତ ୱେଲଡିଂ ଦୋକାନକୁ ନେଇଥିଲେ। ମରାମତି ସମୟରେ ଗୁଳି ଫୁଟିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe