ଧର୍ମଶାଳା: ଧର୍ମଶାଳା ତହସିଲ ବଡ଼କାଏମା ପଞ୍ଚାୟତ ରାଧାନଗର ଗାଁ ଛକରେ ଥିବା ଏକ ଧାନକଳ ଗତ ଶନିବାର ବିଳମ୍ବିତ ରାତିରେ ହଠାତ୍ ଜଳିଯାଇଛି। ଅଗ୍ନିକାଣ୍ତର କାରଣ ଜଣା ପଡ଼ିନଥିଲେ ମଧ୍ୟ ବିଦ୍ୟୁତ୍ ସର୍ଟସର୍କିଟ୍ କିମ୍ବା କେହି ଦୁର୍ବୃତ୍ତ କଳଘରେ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଏଥିରେ ୫ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଯାଇଛି। ପ୍ରକାଶ ଯେ, ଅଭୟପୁର ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ମନୋଜ କୁମାର ଖଟୁଆ ରାଧାନଗର ଛକରେ ଏକ ଧାନକଳ ପକାଇ ପରିବାର ପ୍ରତିପୋଷଣ କରୁଥିଲେ।
ଗତକାଲି ରାତି ପ୍ରାୟ ଗୋଟାଏ ସମୟରେ ହଠାତ୍ କଳଘରେ ନିଆଁ ଲାଗିଯାଇଥିଲା। ସମସ୍ତେ ଶୋଇଥିବାରୁ ଅଗ୍ନିକାଣ୍ତ ସଂପର୍କରେ ଜଣାପଡ଼ିନଥିଲା। ନିକଟସ୍ଥ ଲୋକେ ଉଠି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ଚଣ୍ତିଖୋଲ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସେତେବେଳକୁ କଳଘରେ ଥିବା ଧାନପେଡ଼ା ମେସିନ୍, ଗହମପେଡ଼ା ମେସିନ୍, ବିଭିନ୍ନ ଯନ୍ତ୍ରାଂଶ, ପେଡ଼ା ହେବାପାଇଁ ଗଚ୍ଛିତ ଥିବା ୨୦ ବସ୍ତା ଧାନ ଓ ପେଡ଼ା ହୋଇଥିବା ୫ ବସ୍ତା ଚାଉଳ ଜଳିଯାଇଛି। ଅଗ୍ନିବିପନ୍ନଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଅଞ୍ଚଳବାସୀ ପ୍ରଶାସନକୁ ନିବେଦନ କରିଛନ୍ତି।
Follow Us