ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓରୁ ଟଙ୍କା ଲୁଟି ୫ ଜେଲ୍‌ ଗଲେ

Advertisment

ଉଦ୍ଧାର ହେଲା ୧୫ ଲକ୍ଷ ୧୫ ହଜାର ଟଙ୍କା

ଉଦ୍ଧାର ହେଲା ୧୫ ଲକ୍ଷ ୧୫ ହଜାର ଟଙ୍କା

ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓରୁ ଟଙ୍କା ଲୁଟି ୫ ଜେଲ୍‌ ଗଲେ

ବୌଦ୍ଧ/ବାଉଁଶୁଣି: ​ଏକ ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓ ଗାଡ଼ିରୁ ଟଙ୍କାଭର୍ତ୍ତି ବ୍ୟାଗ ଲୁଟି ନେଇ ୫ ଜଣ ଅଭିଯୁକ୍ତ ଜେଲ୍‌ ଯାଇଛନ୍ତି। ସେମାନେ ହେଲେ ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ହରିଡ଼ାପାଲି ଗାଁର କୁଳମଣି ମେହେର(୨୭), ବହିରା ଗାଁର ସୁରେଶ ରଣା ଓରଫ ଶରତ (୩୧), ହେମାନନ୍ଦ ନାଏକ (୨୫), କିସାନ ନାଏକ (୨୫) ଓ ନୀଳାଦ୍ରି ନାଏକ (୩୧)। ସେମାନଙ୍କ ପାଖରୁ ଲୁଟ୍‌ ହୋଇଥିବା ୧୫ ଲକ୍ଷ ୧୫ ହଜାର ଟଙ୍କା ସହ ଦାମୀ ହାତଘଣ୍ଟା, ୬ଟି ଡେବିଟ କାର୍ଡ, ୨ଟି କ୍ରେଡିଟ କାର୍ଡ ଓ କିଛି ବ୍ୟକ୍ତିଗତ ପରିଚୟପତ୍ର ବାଉଁଶୁଣି ପୁଲିସ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ସୂଚନା ଅନୁସାରେ ଜାନୁଆରି ୨୬ ତାରିଖରେ ବଲାଙ୍ଗୀରରୁ ଭୁବନେଶ୍ବର ଯାଉଥିବା ଏକ ସ୍କର୍ପିଓ ଗାଡ଼ି ବହିରା ଛକରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଲୋକଙ୍କ ଉପରକୁ ମାଡ଼ି ଏ ଜଳଖିଆ ଦୋକାନକୁ ପଶିଯାଇଥିଲା। ପତାକା ଉତ୍ତୋଳନ ପାଇଁ ଯାଉଥିବା ଅଁଳାପାଳି ପଞ୍ଚାୟତର ନିର୍ବାହୀ ଅଧିକାରୀ ଗୋବିନ୍ଦ ସାହୁ ଓ ଗଜରାଜପୁରର ରବି ସାହୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିବା ବେଳେ ୫ଟି ବାଇକ ଓ ଗୋଟିଏ କାର୍‌ କ୍ଷତିଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ଗାଡ଼ିରେ ଥିବା ଦୁଇଜଣ ଯୁବକ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଏହି ସମୟରେ ଗାଡ଼ିରେ ଥିବା ଏକ ଟଙ୍କାଭର୍ତ୍ତି ବ୍ୟାଗକୁ କେହି ନେଇ ଯାଇଥିଲା। ଆହତ ହୋଇଥିବା ଦୁଇଜଣ ଯୁବକଙ୍କ ମଧ୍ୟରୁ ଜଣଙ୍କୁ ପ୍ରଥମେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଥିଲା। ସୁସ୍ଥ ହେବା ପରେ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ତେନ୍ତୁଳିଖୁଣ୍ଟି ଗ୍ରାମର ଇମରାନ ଖାନ ଲୁଟ ​ହୋଇଥିବା ନେଇ ୨୮ ତାରିଖ ସନ୍ଧ୍ୟାରେ ବାଉଁଶୁଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ କେସ୍‌ ନଂ ୩୪ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ କୁଳମଣି, ସୁରେଶଳ ହେମାନନ୍ଦ, କିସାନ ଓ ନୀଳାଦ୍ରି ଘଟଣାରେ ସଂପୃକ୍ତ ଥିବା ଜଣାପଡ଼ିଥିଲା। ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଥିବା ଏସ୍‌ଡିପିଓ ଆନନ୍ଦବର୍ଦ୍ଧନ ଗୁରୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe