ସୁନ୍ଦରଗଡ଼: ‘ବଡ଼ସ୍ବପ୍ନ ବା ଲକ୍ଷ୍ୟ, ଗଭୀର ଆତ୍ମବିଶ୍ବାସ ସହ କଠିନ ପରିଶ୍ରମ ହିଁ ସଫଳତାର ମୂଳମନ୍ତ୍ର। କେବଳ ପାଠ ନୁହେଁ, ନିଜ ଭିତରେ ଥିବା ପ୍ରତିଭାର ବିକାଶକରି ଆଗକୁ ବଢ଼ିବାକୁ ହେବ। ନିୟମିତ ଅଧଘଣ୍ଟା ବ୍ୟାୟାମ, ୧୦ ମିନିଟ ଧ୍ୟାନ, ସାମାଜିକ ଗଣମାଧ୍ୟମରେ କମ୍ ସମୟ ବିତାଇବା, ବାପାମା’ ଓ ଗୁରୁଙ୍କୁ ସମ୍ମାନ ଦେବାକୁ ବି ହେବ।’ ସୁନ୍ଦରଗଡ଼ ଜିଲ୍ଲାକୁ ଗସ୍ତରେ ଆସିଥିବା ଅବସରରେ ଛାତ୍ରଛାତ୍ରୀଙ୍କ ସହିତ ଭାବବିନିମୟ କରି ଏହା କହିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀ ପାଣ୍ଡିଆନ ଏଠାକୁ ଗସ୍ତରେ ଆସି ଭବାନୀପୁର କ୍ରୀଡ଼ା ଛାତ୍ରାବାସ ପଡ଼ିଆରେ ଆୟୋଜିତ ‘ନୂଆ-ଓ ଉତ୍ସବ’ରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ। ଏହି ଆଲୋଚନା ବେଳେ ସେ ବିଖ୍ୟାତ୍ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ସହିତ ସୁନ୍ଦରଗଡ଼ ମାଟିର ଗର୍ବ ଓ ଗୌରବ ହକିତାରକା ଦିଲୀପ ତିର୍କୀ, ଭାରତୀୟ ମହିଳା ହକି ଅଧିନାୟକ ସୁଭଦ୍ରା ପ୍ରଧାନ, ଆଇଏଏସ ଶିଶିର କୁମାର ନାଏକ, ମେଜର ଜେନେରାଲ ରମେଶଚନ୍ଦ୍ର ପାଢ଼ୀ, ପ୍ରଥମ ଆଦିବାସୀ ବାରିଷ୍ଟର ଇଗ୍ନେଶ ମାଝୀଙ୍କ ନାଁ ନେଇଥିଲେ। ଏମାନେ ସମସ୍ତେ ସୁନ୍ଦରଗଡ଼ ଜିଲ୍ଲାର ସରକାରୀ ବିଦ୍ୟାଳୟରେ ପାଠ ପଢ଼ିଥିଲେ ମଧ୍ୟ ଆତ୍ମବିଶ୍ବାସ ଓ କଠିନ ପରିଶ୍ରମ ଯୋଗୁ ସଫଳତାର ଶୀର୍ଷକୁ ଛୁଇଁପାରିଥିଲେ। ଏପରି ସଫଳ ବ୍ୟକ୍ତିତ୍ବଙ୍କୁ ନିଜ ପ୍ରେରଣାର ଉତ୍ସ ଭାବି ଛାତ୍ରଛାତ୍ରୀ ଜୀବନର ଲକ୍ଷ୍ୟ ଧାର୍ଯ୍ୟ କରନ୍ତୁ ବୋଲି କହିଥିଲେ। ସେ ଛାତ୍ରଛାତ୍ରୀଙ୍କୁ ୩୦ ମିନିଟ୍ କାଳ ସଫଳତାର ମନ୍ତ୍ର ଦେଇଥିଲେ। ଏଥିସହିତ, ଶ୍ରୀ ପାଣ୍ଡିଆନ ଆହୁରି ମଧ୍ୟ କହିଥିଲେ, ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ବ ଓ ପ୍ରତିଭାର ବିକାଶ ପାଇଁ ନୂଆ-ଓ ଉତ୍ସବ ବଡ଼ମଞ୍ଚ ରୂପେ ଉଭାହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ ଓ ପ୍ରେରଣା ଭରିବାକୁ ଏହି ଉତ୍ସବ ପ୍ରତିବର୍ଷ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଛାତ୍ରଛାତ୍ରୀଙ୍କୁ ଉନ୍ନତ ଓ ଉଚ୍ଚମାନର ଭିତ୍ତିଭୂମି ଯୋଗାଇଦେବାକୁ ଜିଲ୍ଲାରେ ଚାଲିଥିବା ମହାବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟ ଫେବ୍ରୁଆରି ମାସରେ ଶେଷ ହୋଇଯିବ ବୋଲି ସେ ସୂଚନା ଦେଇଥିଲେ।
ଏହି ଅବସରରେ ଶ୍ରୀ ପାଣ୍ଡିଆନ କିଛିଲୋକଙ୍କ ଅଭିଯୋଗପତ୍ର ଗ୍ରହଣ କରିଥିଲେ। ପରେପରେ ସେ ୨୬୨.୫ କୋଟିର ଇବ୍ ବ୍ୟାରେଜ୍, ୧୨୩.୭୫ କୋଟିର ସଫେଇ ଫୁଲବାରି ବ୍ୟାରେଜ୍, ସେମନା, ରିଉଘାଟ, ଖଇରିଡିହିରେ ଚାଲିଥିବା ୨୩୨ କୋଟିର ମେଗା ଉଠାଜଳସେଚନ ପ୍ରକଳ୍ପ, ବେଦବ୍ୟାସ ମନ୍ଦିର, ଘୋଘର ଓ ବେଲସରା ଶିବମନ୍ଦିରର ବିକାଶମୂଳକ କାର୍ଯ୍ୟ, ୪୮.୧୧ କୋଟିର ରାଜଗାଙ୍ଗପୁର ରେଳ ଓଭରବ୍ରିଜ୍ କାର୍ଯ୍ୟର ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।
Follow Us