ସପ୍ତଶଯ୍ୟା ଜଙ୍ଗଲରେ ନିଖୋଜ ୫ ଛାତ୍ର ଉଦ୍ଧାର: ଫ‌ସେଇ ଦେଲା ଗୁଗୁଲ୍‌ ମ୍ୟାପ୍‌

Advertisment
ସପ୍ତଶଯ୍ୟା ଜଙ୍ଗଲରେ ନିଖୋଜ ୫ ଛାତ୍ର ଉଦ୍ଧାର: ଫ‌ସେଇ ଦେଲା ଗୁଗୁଲ୍‌ ମ୍ୟାପ୍‌

ଢେଙ୍କାନାଳ: ସପ୍ତଶଯ୍ୟାରେ ନିଖୋଜ କଟକ ଜିଲ୍ଲାର ୪ ଜଣ ଓ ଢେଙ୍କାନାଳ ଭାପୁର ଅଞ୍ଚଳର ଜଣେ ଛାତ୍ରଙ୍କୁ ଗତକାଲି ରାତିରେ ବନ କର୍ମଚାରୀ ଓ ପୁଲିସ ଉଦ୍ଧାର କରିଛନ୍ତି। ଉଦ୍ଧାର ଯୁବକମାନେ ସମସ୍ତେ ଇଞ୍ଜିନିୟରିଂ ଛାତ୍ର। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରିବା ପରେ ଆଜି ସକାଳେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଉଦ୍ଧାର ଛାତ୍ରମାନେ ହେଲେ କଟକ ଟାଉନ୍‌ ନୂଆପଡ଼ା ଓ ଲିଙ୍କରୋଡ୍‌ର ସୁଜିତ ସାହୁ (୧୯), ସୂର୍ଯ୍ୟପ୍ରକାଶ ମହାନ୍ତି (୨୦), ଅରକ୍ଷିତ ମହାପାତ୍ର (୧୯), ମଧୁପାଟଣା ଅଞ୍ଚଳର ଶୁଭନ ମହାପାତ୍ର (୨୦) ଓ ଢେଙ୍କାନାଳ ଜିଲ୍ଲା ସଦର ଥାନା କାମଧେନୁକୋଟର ହିମାଂଶୁ କୁମାର ଦାସ। ସମସ୍ତେ କଟକ ଜିଲ୍ଲା ଧବଳେଶ୍ୱର ଡିପ୍ଲୋମା ଇଞ୍ଜିନିୟରିଂ କଲେଜର ଛାତ୍ର।

ହିମାଂଶୁଙ୍କ ସୂଚନା ଅନୁଯାୟୀ, ଗତକାଲି କଟକ ଜିଲ୍ଲାର ୪ ଜଣଙ୍କ ସମେତ ସେ ନିଜେ ସପ୍ତଶଯ୍ୟାକୁ ବୁଲିବା ଲାଗି ଦିନ ୧୧ଟାରେ ଆସିଥିଲେ। ବୁଲାବୁଲି କରି ସାରିବା ବେଳେକୁ ଦିନ ଗୋଟାଏ ବାଜିଥିଲା। ସେତେବେଳକୁ ଆମେ ମନ୍ଦିର ଉପର ପାହାଡ଼ ଥଳି ଉପରେ ଥିଲୁ। ସେଠାରୁ ତଳକୁ ଫେରିବା ବେଳେ ଗୁଗୁଲ ମ୍ୟାପ୍‌ରେ ଠିକ୍‌ ଲୋକେସନ୍‌ ଜାଣି ନପାରିବା ଯୋଗୁଁ ବିପରୀତ ଦିଗକୁ ପଳାଇଯାଇଥିଲୁ। ଏ ସଂପର୍କରେ ଘରକୁ ଜଣାଇବା ପରେ ସେମାନେ ପୂର୍ବ ଦିଗକୁ ଯିବା ଲାଗି କହିଲେ। ସେହି ଅନୁଯାୟୀ, ମୋବାଇଲ କମ୍ପାସ୍‌ ଦେଖି ପୂର୍ବକୁ ଯାଇଥିଲୁ। ହେଲେ କଂପାସ୍‌ ଭୁଲ ଦେଖାଇବାରୁ ପୂର୍ବକୁ ଯିବା ପରିବର୍ତ୍ତେ ପଶ୍ଚିମକୁ ବହୁତ ଭିତରକୁ ପଳାଇ ଯାଇଥିଲୁ। ଘଞ୍ଚ ଜଙ୍ଗଲ ମଧ୍ୟରେ ପଶି ରହିଥିବା ବେଳେ ତା’ ଆଗକୁ ଖାଲ ଥିଲା। ସଂଧ୍ୟା ସାଢ଼େ ୫ ହୋଇ ଯାଇଥିବାରୁ ସଦର ପୁଲିସକୁ ଫୋନ୍‌ କରି ସହଯୋଗ ମାଗିଥିଲୁ। ପୁଲିସ୍‌ ଲାଇଭ୍‌ ଲୋକେସନ୍‌ ସେୟାର କରିବା ପାଇଁ କହିଥିଲେ। ବନ କର୍ମଚାରୀଙ୍କ ସହ ପୁଲିସ୍‌ ଆମ ପାଖରେ ରାତି ୧୨ଟାରେ ପହଞ୍ଚି ଆମକୁ ଉଦ୍ଧାର କରିଥିଲେ। ଆମର ସମସ୍ତ ଚିକିତ୍ସା ପରେ ଖାଇବାକୁ ଦେଇ ସକାଳେ ଘର ଲୋକଙ୍କୁ ଡାକି ତାଙ୍କ ସହିତ ଛାଡ଼ି ଦେଇଥିଲେ। ପୁଲିସ ଓ ବନ କର୍ମଚାରୀ ଆମକୁ ସଂପୂର୍ଣ୍ଣ ସହଯୋଗ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି କହିଥିଲେ।

ଏସ୍‌ପି ସନ୍ଦୀପ ସଂପଦ ମଦକରଙ୍କ ନେତୃତ୍ୱରେ ପୁଲିସ ଓ ବନ ବିଭାଗର କର୍ମଚାରୀମାନେ ମିଳିତ ଭାବେ ଜଙ୍ଗଲ ଭିତରୁ ରାତି ୧୨ଟା ସମୟରେ ସପ୍ତଶଯ୍ୟା ପାହାଡ଼ର ଭୂଆଷୁଣିଖୋଲଠାରୁ ନିଖୋଜ ଛାତ୍ରମାନଙ୍କୁ ଉଦ୍ଧାର କରିଥିଲେ। ଏ ସଂପର୍କରେ ସଦର ଥାନା ଅଧିକାରୀ ଦୀପକ କୁମାର ଲେଙ୍କା କୁହନ୍ତି ଯେ, ଛାତ୍ର ନିଖୋଜ ଖବର ପାଇବା ପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ  ଦୀର୍ଘ ୧୨ ଘଣ୍ଟା ପରିଶ୍ରମ ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe