ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ: ଡିସେମ୍ବର ୧୫ ସୁଦ୍ଧା କାମ ସାର

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ: ଡିସେମ୍ବର ୧୫ ସୁଦ୍ଧା କାମ ସାର

ପୁରୀ: ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଡିସେମ୍ବର ୧୫ ତାରିଖ ସୁଦ୍ଧା ସାରିବାକୁ ‘ମୋ ଓଡ଼ିଶା ନବୀନ ଓଡ଼ିଶା’ ତଥା ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠଗୁଡ଼କର ପୁନରୁଦ୍ଧାର କାମ ତ୍ବରାନ୍ବିତ କରିବାକୁ ସେ ନିର୍ଦ୍ଦେଶ ଦେବା ସହ ପ୍ରକଳ୍ପ ଅଞ୍ଚଳରେ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଭିନ୍ନ ଦେଶୀୟ ବୃକ୍ଷ ଓ ଗୁଳ୍ମ ଲଗାଇବାକୁ କହିଛନ୍ତି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭକ୍ତମାନେ ନୂଆବର୍ଷରୁ ନୂଆ ଅନୁଭୂତି ସାଉଁଟିବେ ବୋଲି ଶ୍ରୀ ପାଣ୍ଡିଆନ କହିଛନ୍ତି।

ଶ୍ରୀ ପାଣ୍ଡିଆନ ଆଜି ଭୋର ୪ଟାରେ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବୁଲି ଦେଖିବା ସହ ଅଗ୍ରଗତି ଅନୁଧ୍ୟାନ କରିଥିଲେ। ଭୋର ୪ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ, ଓବିସିସି ଓ ଠିକା ସଂସ୍ଥାର ଅଧିକାରୀଙ୍କ ଉପସ୍ଥିତିରେ ପ୍ରକଳ୍ପର ସମୀକ୍ଷା କରିଥିଲେ। ୫-ଟି ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ଥିଲା ଶ୍ରୀ ପାଣ୍ଡିଆନଙ୍କ ପ୍ରଥମ ସମୀକ୍ଷା। ଏହି ଅବସରରେ ସେ ଠିକାସଂସ୍ଥାକୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମନ୍ଦିର ଚାରିଦ୍ବାରରେ ସ୍ଥାନୀୟ ଲୋକଙ୍କ ସୁବିଧା ପାଇଁ ଦୁଇଚକିଆ ଗାଡ଼ି ପାର୍କିଂର ପର୍ଯ୍ୟାପ୍ତ ବ୍ୟବସ୍ଥା ସହ ମେଘନାଦ ପାଚେରି ପାଖରୁ ବିଭିନ୍ନ ୟୁଟିଲିଟିଜ୍‌ ସ୍ଥାନାନ୍ତର କରାଯିବାକୁ କୁହାଯାଇଛି। ସେହିଭଳି ପରିକ୍ରମା ପ୍ରକଳ୍ପର ବିଦ୍ୟୁତ୍‌ ବ୍ୟବସ୍ଥା କାମ ବି ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ପାଣ୍ଡିଆନ ଜଗନ୍ନାଥ ବଲ୍ଲଭ ବହୁତଳ ପାର୍କିଂ କାମ, ଏଠାରେ ଯାତ୍ରୀମାନଙ୍କ ପାଇଁ କରାଯାଉଥିବା ବିଭିନ୍ନ ସୁବିଧାର ବିକାଶ, ଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ, ଶ୍ରୀସେତୁ କାମର ଅଗ୍ରଗତି ବି ସମୀକ୍ଷା କରିଥିଲେ। ଅଧିକ ଲୋକ ନିୟୋଜିତ କରି ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୀକ୍ଷା ବୈଠକରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି ଡା. କେ. ବିଶାଲ ସିଂହଙ୍କ ସମେତ ଓବିସିସି ଅଧିକାରୀ ଓ ବିଭିନ୍ନ ଠିକା ସଂସ୍ଥାର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe