ହଜିଗଲେ ୫ ଯୁବକ

Advertisment
ହଜିଗଲେ ୫ ଯୁବକ

ଢେଙ୍କାନାଳ/କଟକ: ସପ୍ତଶଯ୍ୟାକୁ ବୁଲିବାକୁ ଆସିଥିବା କଟକ ଜିଲ୍ଲାର ୫ ଜଣ ଯୁବକ ଆଜି ସଂଧ୍ୟାରେ ଜଙ୍ଗଲ ଭିତରେ ନିଖୋଜ ହୋଇଯାଇଛନ୍ତି। ସପ୍ତଶଯ୍ୟା ମନ୍ଦିର ଦର୍ଶନ କରିବା ପରେ ନିକଟସ୍ଥ ଜଙ୍ଗଲକୁ ଫଟୋ ଉଠାଇବା ଲାଗି ସେମାନେ ଯାଇଥିବା ଜଣାପଡ଼ିଛି। ଏହା ପରଠାରୁ ସେମାନେ ଆଉ ଫେରିନଥିଲେ। ପୁଲିସ ଓ ବନ ବିଭାଗ କର୍ମଚାରୀମାନେ ସେମାନଙ୍କୁ ଖୋଜୁଛନ୍ତି। କିନ୍ତୁ ରାତି ୧୦ଟା ସୁଦ୍ଧା ସେମାନଙ୍କର ଖବର ମିଳିପାରିନାହିଁ।

ସୂଚନା ମୁତାବକ, କଟକ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡ଼ା ଅଞ୍ଚଳର ମାଟ୍ରିକ୍ ପାସ୍ କରିଥିବା ୫ ବନ୍ଧୁ ଅରକ୍ଷିତ ମହାପାତ୍ର, ଶୁଭମ ମହାପାତ୍ର, ହିମାଂଶୁ କୁମାର ଦାସ, ସୁଜିତ ସାହୁ, ଲକି ଦାସ ଢେଙ୍କାନାଳ ଜିଲ୍ଲା ସପ୍ତଶଯ୍ୟା ଯିବାକୁ ଯୋଜନା କରିଥିଲେ। ଯୋଜନା ମୁତାବକ ରବିବାର ସେମାନେ ଏକାଠି ବାହାରିଥିଲେ। ସେଠାରେ ସକାଳେ ପହଞ୍ଚିବା ପରେ ମନ୍ଦିରରେ ଦର୍ଶନ ସାରିବା ପରେ ସପ୍ତଶଯ୍ୟା ପାହାଡ଼କୁ ବୁଲି ଯାଇଥିଲେ। ସନ୍ଧ୍ୟା ହୋଇଯିବାରୁ ଘଞ୍ଚ ଜଙ୍ଗଲରେ ଫେରିବାକୁ ବାଟ ପାଇ ନଥିଲେ। ଫଳରେ ପରିବାର ଲୋକଙ୍କୁ ୫ ବନ୍ଧୁ ଏକ ଫଟୋ ଉଠାଇ ପଠାଇବା ସହିତ ଏ ସଂକ୍ରାନ୍ତରେ ଫୋନ୍ କରି ଜଣାଇଥିଲେ। ଫୋନ୍ କଲ୍ ପାଇବା ପରେ ପରିବାର ଲୋକେ ମଧୁପାଟଣା ଥାନାରେ ଅବଗତ କରିଥିଲେ। ମଧୁପାଟଣା ଥାନା ପୁଲିସ ଏ ସଂକ୍ରାନ୍ତରେ ତୁରନ୍ତ ପୁଲିସ ମୁଖ୍ୟାଳୟର କଣ୍ଟ୍ରୋଲ ରୁମକୁ ଅବଗତ କରିଥିଲା।

କଣ୍ଟ୍ରୋଲ ରୁମ ପକ୍ଷରୁ ଢେଙ୍କାନାଳ ସଦର ଥାନା ପୁଲିସକୁ ଭିଏଚଏଫ୍ ମାଧ୍ୟମରେ ସୂଚନା ଦେଇଥିଲା। ସଦର ଥାନା ପୁଲିସ ଓ ଜଙ୍ଗଲ ବିଭାଗ ମିଳିତ ଭାବେ ସପ୍ତଶଯ୍ୟା ଜଙ୍ଗଲରେ ରବିବାର ରାତିରେ ଖୋଜାଖୋଜି ଆରମ୍ଭ କରିଦେଇଛି। ଜଙ୍ଗଲ ବିଭାଗର ତିନୋଟି ଟିମ୍ ଗଠନ କରାଯାଇଛି। ବର୍ଷା ହେଉଥିବାରୁ ଖୋଜିବାରେ ଜଙ୍ଗଲ ବିଭାଗ ପାଇଁ ବଡ଼ ଆହ୍ବାନ ସୃଷ୍ଟି ହୋଇଛି। ଏବେ ଏହି ୫ ଜଣଙ୍କୁ ଯୋଗାଯୋଗ କରାଯିବାକୁ ଉଦ୍ୟମ କରାଯାଉଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

ଏସଂପର୍କରେ ଡିଏଫ୍‌ଓ ସୁମିତ କର କହିଛନ୍ତି ଯେ ସଂପୃକ୍ତ ପିଲାମାନେ ଜଙ୍ଗଲ ଭିତରକୁ ଯାଇଛନ୍ତି। ସେମାନଙ୍କୁ ଠାବ କରାଯାଇ ପାରିନାହିଁ। ଜଙ୍ଗଲ ଭିତରେ ଫୋନ୍‌ ଲାଗୁନାହିଁ। ସଦର ଥାନା ଅଧିକାରୀ ଦୀପକ ଲେଙ୍କା ମଧ୍ୟ କହିଛନ୍ତି ଯେ ପିଲାମାନେ ଜଙ୍ଗଲ ଭିତରେ ବର୍ଷା ଯୋଗୁଁ କୌଣସି ସ୍ଥାନରେ ରହିଯାଇଛନ୍ତି। ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଚେଷ୍ଟା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe