Kalinga TV
ସମ୍ବଲପୁର: ବିଦେଶୀ ମଦ ବେପାର ଏକ ଲାଭଜନକ ବ୍ୟବସାୟ ହୋଇଥିବାରୁ ମଦ ଦୋକାନ ଖୋଲିବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢ଼ିବାରେ ଲାଗିଛି। ସମ୍ବଲପୁର ସହର ବୁଢ଼ାରଜା ଅଂଚଳରେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଖୋଲିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଲଟେରି କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏଥି ପାଇଁ କିଛିଦିନ ତଳେ ଆଗ୍ରହୀ ବ୍ୟକ୍ତିଙ୍କଠାରୁ ଆବେଦନ ଆହ୍ବନ କରାଯାଇଥିଲା। ତେବେ, ଏହି ଗୋଟିଏ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ୫୦ ଜଣ ବ୍ୟକ୍ତି ଆବେଦନ କରିଥିଲେ।
ଆଉ ଏହି ଆବେଦନକାରୀମାନଙ୍କ ମଧ୍ୟରେ ୧୯ ଜଣ ମହିଳା ଥିବା ଜଣାପଡ଼ିଛି। ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ମହିଳମାନଙ୍କ ମଧ୍ୟରେ ଏଭଳି ଆଗ୍ରହ ଲୋକଙ୍କୁ ବିସ୍ମିତ କରିଛି। ଅପରପକ୍ଷରେ ବୁଢ଼ାରଜା ଅଂଚଳରେ ମଦ ଦୋକାନ ଖୋଲାଯିବାକୁ ବିରୋଧ ହେଉଛି। ଆଗରୁ ଥରେ ମଧ୍ୟ ଏଭଳି ଆବେଦନ ଆହ୍ବାନ କରାଯାଇଥିଲା। ମାତ୍ର, ସେତେବେଳେ ଲୋକଙ୍କ ବିରୋଧ ଯୋଗୁ ଏହା ହୋଇପାରିନଥିଲା। ଏ ସଂକ୍ରାନ୍ତରେ ନିଜ ପ୍ରତିକ୍ରିୟାରେ ବୁଢ଼ାରଜା ଅଂଚଳରେ ସଚେତନ ନାଗରିକ ସମରଜିତ୍ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାରଙ୍କ ଭୁଲ୍ ନିଷ୍ପତ୍ତି ଯୋଗୁଁ ରାଜ୍ୟରେ ନିଶାସେବନଜନିତ ହିଂସାକାଣ୍ଡ ବଢି ଚାଲିଛି। ରାଜସ୍ୱ ଆୟ ବଢାଇବା ପାଇଁ ସରକାର ବର୍ତ୍ତମାନ ଗଳି ଗଳିରେ ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେଉଛନ୍ତି। ସରକାରଙ୍କ ନିଷ୍ପତ୍ତି କ୍ରମେ ବର୍ତ୍ତମାନ ସମ୍ବଲପୁରର ବୁଢାରଜା ଠାରେ ଏକ ମଦ ଦୋକାନ ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି। ବୁଢାରଜା ବର୍ତ୍ତମାନ ସମ୍ବଲପୁରର ଅତି ବ୍ୟସ୍ତବହୁଳ ଅଞ୍ଚଳ ଅଟେ ।
ଏଠାରେ ଏକ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର ସହିତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଛି। ଅଂଚଳର ଛାତ୍ରଛାତ୍ରୀମାନେ ଏହି ମାର୍ଗଦେଇ ଗଂଗାଧର ମେହେର ବିଶ୍ୱବିଦ୍ୟାଳୟକୁ ପଢ଼ିବାକୁ ଯାଇଥାନ୍ତି। ସମ୍ବଲପୁରକୁ ବାହାରୁ ଆସୁଥିବା ଯାତ୍ରୀ ଓ ଛାତ୍ରଛାତ୍ରୀମାନେ ଏଇ ମାର୍ଗ ଦେଇ ସହର ଭିତରକୁ ପ୍ରବେଶ କରିଥାନ୍ତି। ତେଣୁ, ଏଠାରେ ମଦ ଦୋକାନ ଖୋଲାଗଲେ ଅଞ୍ଚଳର ଶାନ୍ତି ଶୃଙ୍ଖଳା ଭଂଗ ହେବା ସହିତ ସ୍ଥାନୀୟ ଜନସାଧାରଣଙ୍କୁ ବି ଅସୁବିଧା ଭୋଗିବାକୁ ପଡ଼ିବ ବୋଲି ସେ କହିଛନ୍ତି। ସରକାର ବୁଢ଼ାରଜା ଅଂଚଳରେ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରିନିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି।
Follow Us