‘ସମର୍ଥ’ ସଂପାଦକଙ୍କୁ ଏଲ୍‌ଆଇସିର ୫୦ ଲକ୍ଷର ଅନୁକମ୍ପା 

Advertisment
‘ସମର୍ଥ’ ସଂପାଦକଙ୍କୁ ଏଲ୍‌ଆଇସିର ୫୦ ଲକ୍ଷର ଅନୁକମ୍ପା 

ଛତ୍ରପୁର : ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଥଇଥାନ ଓ ଶିକ୍ଷାଦାନ ଦିଗରେ କାମ କରୁଥିବା ଶିକ୍ଷାନୁଷ୍ଠାନ ‘ସମର୍ଥ’ର ସଂପାଦକ କେ.ଆନନ୍ଦ ରାଓଙ୍କୁ ଅନୁକମ୍ପା ଦେଖାଇଥିଲା ଭାରତୀୟ ଜୀବନ ବୀମା (ଏଲ୍‌ଆଇସି)। ନିଜ ସାମାଜିକ କଲ୍ୟାଣ ପାଣ୍ଠିରୁ ଲକ୍ଷେ କି ଦୁଇଲକ୍ଷ ନୁହେଁ, ଏକାଥରକେ ୫୦ ଲକ୍ଷ ଟଙ୍କା ଦେବାକୁ କର୍ତ୍ତୃପକ୍ଷ ସହାୟତାର ହାତ ବଢ଼ାଇଥିଲେ। ଗତ ଜୁନ୍ ୨୩ ତାରିଖରେ ଆନନ୍ଦ ପ୍ରଥମ କିସ୍ତିରେ ୫ ଲକ୍ଷ ଟଙ୍କା ନେଇ ସାରିଥିବା ବେଳେ ବାକି ୪୫ ଲକ୍ଷ ଟଙ୍କା ହସ୍ତାନ୍ତର କରିବାବାକୁ ପ୍ରସ୍ତୁତି ସରିଥିଲା। କିନ୍ତୁ ଏହାମଧ୍ୟରେ ଆନନ୍ଦଙ୍କ କେଳେଙ୍କାରୀ ଓ ଦୁର୍ନୀତିର ଗୋଟିଏ ପରେ ଗୋଟିଏ ଫର୍ଦ୍ଦ ସାମ୍ନାକୁ ଆସିବା ପରେ ଏଲ୍‌ଆଇସି କର୍ତ୍ତୃପକ୍ଷଙ୍କ ଆଖିରୁ ନିଦ ହଜିଯାଇଛି। ଫଳରେ ଆନନ୍ଦଙ୍କ ଠାରୁ ପ୍ରଥମ କିସ୍ତିରେ ନେଇଥିବା ୫ ଲକ୍ଷ ଟଙ୍କା ଫେରି ପାଇବାକୁ କର୍ତ୍ତୃପକ୍ଷ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଲିଖିତ ଭାବେ ଦୃଷ୍ଟି ଆକର୍ଷଣ କରିଛନ୍ତି।

ପ୍ରଥମ କିସ୍ତିରେ ଆନନ୍ଦ ଉଠାଇଥିଲେ ୫ ଲକ୍ଷ
ଟଙ୍କା ଫେରି ପାଇବାକୁ ଏଲ୍‌ଆଇସି କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ଅନୁଷ୍ଠାନର ସାମିଆପଲ୍ଲୀସ୍ଥିତ ଶାଖାର ଦ୍ବିତୀୟ ମହଲା ନିର୍ମାଣ କରିବାକୁ ଆନନ୍ଦ ଏଲ୍‌ଆଇସିର ସହାୟତା ଲୋଡ଼ିଥିଲେ। ଏଥିପାଇଁ ଜିଜେଏଫ୍‌ ଫଣ୍ଡ୍‌ରୁ ୫୦ ଲକ୍ଷ ଟଙ୍କାର ଏକ ସହାୟତାରାଶି ପ୍ରଦାନ କରିବାକୁ ଏଲ୍‌ଆଇସି କର୍ତ୍ତୃପକ୍ଷ ସହମତି ଜଣାଇଥିଲେ। ଆଉ ଏଲ୍‌ଆଇସି ସହ ଆନନ୍ଦ ଏକ ବୁଝାମଣା ଚୁକ୍ତିନାମା ସ୍ବାକ୍ଷର କରିବା ପରେ ଗତ ଜୁନ୍ ୨୩ ତାରିଖରେ ତାଙ୍କୁ ପ୍ରଥମ କିସ୍ତିରେ ୫ ଲକ୍ଷ ଟଙ୍କା ମିଳିଥିଲା। ତେବେ ଆନନ୍ଦଙ୍କ ବିରୋଧରେ  ମହିଳା କର୍ମଚାରୀଙ୍କୁ ଶାରୀରିକ ନିର୍ଯାତନା, ଶିକ୍ଷକ ଏବଂ କର୍ମଚାରୀଙ୍କୁ ମାନସିକ ନିର୍ଯାତନା ଏବଂ ଛାତ୍ରଛାତ୍ରୀଙ୍କ ବାଣିଶ୍ରୀ ଭତ୍ତା ଓ ଅନୁଦାନ ହଡ଼ପ ଭଳି ଅନେକ ସଂଗିନ୍ ଅଭିଯୋଗ ଆସିଥିଲା। ଫ‌ଳରେ ଜିଲ୍ଲା ପ୍ରଶାସନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା। ବିଭିନ୍ନ ଗଣମାଧ୍ୟମରେ ଏହି ସଂକ୍ରାନ୍ତରେ ଖବର ପ୍ରକାଶ ଓ ପ୍ରସାର ପରେ ଆନନ୍ଦଙ୍କଠୁ ଏହି ସହାୟତାରାଶି ଫେରାଇ ଆଣିବାକୁ ନିଷ୍ପତ୍ତି ନିଆଯାଇଛି। ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଆଜି କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନକୁ ଫେରାଦ୍ ହୋଇଛନ୍ତି।

ଅନ୍ୟପକ୍ଷରେ ଆନନ୍ଦଙ୍କ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ ନକରି ଏଲ୍‌ଆଇସି କର୍ତ୍ତୃପକ୍ଷ କେଉଁ ଆଧାରରେ ୫୦ ଲକ୍ଷ ଟଙ୍କା ସହାୟତା ଦେବାକୁ ପଦକ୍ଷେପ ନେଲେ ? ଏହାପୂର୍ବରୁ ଅନୁଷ୍ଠାନ ବିଷୟରେ ତଥ୍ୟ ସଂଗ୍ରହ କରାଯାଇଥିଲା କି ନାହିଁ ? ଏନେଇ ବର୍ତ୍ତମାନ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ‌ହୋଇଛି। ଏହାସହ ସ୍ଥାନୀୟ ଶାଖା କର୍ତ୍ତୃପକ୍ଷଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। କାରଣ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଆସୁଥିବା ସରକାରୀ ଅନୁଦାନ ଭଳି ଏହି ସହାୟତା ରାଶିକୁ ମଧ୍ୟ ଆନନ୍ଦ ହଡ଼ପ କରିବାକୁ ଭିତିରିଆ ଯୋଜନା କରିଥିବା ଜଣାପଡ଼ିଛି। ଫଳରେ ଜିଲ୍ଲା ପ୍ରଶାସନ ଆଗକୁ କେଉଁ ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଛି।

ସେହିପରି ‘ସମର୍ଥ’ ଅନୁଷ୍ଠାନର ଦାୟିତ୍ବଭାର ଅନ୍ୟ ଏକ ସ୍ବେଚ୍ଛାସେବୀକୁ ପ୍ରଦାନ କରିବାକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏହାକୁ ଆନନ୍ଦ ଚ୍ୟାଲେଞ୍ଜ୍ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆସନ୍ତା ୨୪ ତାରିଖରେ ଏହାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି। ଏହାପୂର୍ବରୁ  ପ୍ରଶାସନର ସ୍ବତନ୍ତ୍ର କମିଟି ତଦନ୍ତ ପରେ ଅନୁଷ୍ଠାନର ୧୦୧ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌କୁ ସିଜ୍ କରା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe