ଜବରଦଖଲରେ ଠାକୁରଙ୍କ ୫୦୦ ଏକର ଜମି: ଆଇନ ବିଭାଗର ସହାୟତା ଲୋଡ଼ିଲା ଦେ‌ବୋତ୍ତର ବିଭାଗ

Advertisment

ଛାଡ଼ୁନାହାନ୍ତି କି ଭଡ଼ା ଦେଉନାହାନ୍ତି ଜବରଦଖଲକାରୀ

ଛାଡ଼ୁନାହାନ୍ତି କି ଭଡ଼ା ଦେଉନାହାନ୍ତି ଜବରଦଖଲକାରୀ

ଜବରଦଖଲରେ ଠାକୁରଙ୍କ ୫୦୦ ଏକର ଜମି: ଆଇନ ବିଭାଗର ସହାୟତା ଲୋଡ଼ିଲା ଦେ‌ବୋତ୍ତର ବିଭାଗ

ବାରିପଦା: ଗୋଚର ହେଉ କି ଅନାବାଦୀ, ମୟୂରଭଞ୍ଜ ଜିଲ୍ଲାରେ ଶହଶହ ଶହ ହେକ୍ଟର ଜମିକୁ ପ୍ରଭାବଶାଳୀ ଲୋକ, ନେତା ଓ ଅଫିସର ମାଡ଼ି ବସିଛନ୍ତି। ସେସବୁ ଜମିରେ କିଏ ୨-୩ ମହଲା କୋଠା କରିଛନ୍ତି ତ ଆଉ କିଏ ହୋଟେଲ, ଦୋକାନ ଘର କରି ମାସକୁ ମାସ ଭଡ଼ା ବି ପାଉଛନ୍ତି। ଏ ନେଇ ଅଭିଯୋଗ ହେଉଥିଲେ ବି ଜବରଦଖଲକାରୀଙ୍କୁ ହଟାଇ ଜମି ନିଜ ଅକ୍ତିଆରକୁ ଆଣି ପାରୁନାହନ୍ତି ସରକାର। ଗୁରୁତ୍ବପୂର୍ଣ୍ଣ କଥା ହେଲା ଜବରଦଖଲକାରୀ ଠାକୁର ଜମିକୁ ବି ଛାଡ଼ି ନାହାନ୍ତି। ବର୍ଷବର୍ଷ ଧରି ଠାକୁରଙ୍କ ଜମି ମାଡ଼ି ବସି କିଏ କୋଠା ନିର୍ମାଣ କଲାଣି ତ ଆଉ କିଏ କଲ୍ୟାଣ ମଣ୍ଡପ କରି ବ୍ୟବସାୟ କଲେଣି। ପୁଲିସ ଷ୍ଟାଫ କ୍ବାର୍ଟର ହେଉ କି ବ୍ୟାଙ୍କ, ଏସବୁ ବି ଠାକୁରଙ୍କ ଜାଗାରେ ହୋଇଛି। ଆଉ ବାରିପଦା ବସ୍‌ଷ୍ଟାଣ୍ଡ ବି ଠାକୁରଙ୍କ ଜାଗାରେ ନିର୍ମାଣ ହୋଇଛି। ତେବେ ଦେବୋତ୍ତର ବିଭାଗର ବାରମ୍ବାର ନୋଟିସ୍ ସତ୍ତ୍ବେ କେହି ଜାଗା ଛାଡ଼ୁ ନାହା‌ନ୍ତି କି ଟଙ୍କାଟିଏ ବି ଭଡ଼ା ଦେଉନାହାନ୍ତି। ଆଉ ଏପଟେ ଅର୍ଥ ଅଭାବରୁ ଆନେକ ମନ୍ଦିରରେ ନୀତିକାନ୍ତି ଠିକଣା ସମୟରେ ହୋଇପାରୁନି। ଦେବାଦେବୀ ଉପବାସରେ ରହୁଛନ୍ତି। ଏହାକୁ ନେଇ ପୂଜକ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ; ବାରିପଦା ଜଗନ୍ନାଥ ମନ୍ଦିର ସମେତ ସ୍ଥାନୀୟ ୧୦ଟି ମଠ ଓ ମନ୍ଦିର ନାଁରେ ଥିବା ପାଖାପାଖି ୫୦୦ ଏକର ଜମି ଏବେ ଜବରଦଖଲରେ ରହିଛି। ଏହି ଜମିରୁ ହଟିଯିବା ପାଇଁ ହେଉ କି ଜବରଦଖଲ ଜମିରେ ହୋଇଥିବା ଘର ପାଇଁ ଭଡ଼ା ଦେବାକୁ ହେଉ, ଏ ନେଇ ଦେବୋତ୍ତର ବିଭାଗ ପକ୍ଷରୁ ବାରମ୍ବାର ଚିଠି କରାଯାଉଥିଲେ ବି ଏହାକୁ କେହି ଗୁରୁତର ସହ ନେଉନାହାନ୍ତି। ନିଜର ପଟାଭୁକ୍ତ ଜାଗା ଭାବି କେହି ବି ଜାଗାରୁ ହଟୁ ନାହାନ୍ତି କି ଭଡ଼ା ବାବଦକୁ ଟଙ୍କାଟିଏ ବି ଦେଉ ନାହାନ୍ତି। ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ଦେବୋତ୍ତର କମିଶନ ପର୍ଯ୍ୟନ୍ତ ସମସ୍ତେ ବାରମ୍ବାର ନୋଟିସ୍ କଲେଣି।

ହେଲେ ନୋଟିସ୍‌ର ଉତ୍ତର ମିଳୁନାହିଁ। ତେବେ ଏହାକୁ ଗୁରୁତର ସହ ନେଇଛି ଦେବୋତ୍ତର ବିଭାଗ। ନିକଟ‌ରେ ଉଚ୍ଚସ୍ତରୀୟ ବୈଠକରେ ଏ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବା ସହ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନ ବିଭାଗର ସହଯୋଗ ନିଆଯାଇଥିବା ଜଣାପଡ଼ିଛି। ବିଭିନ୍ନ ଆଳ ଦେଖାଇ ଜାଗା ଛାଡ଼ୁନଥିବା କି ଭଡ଼ା ଦେଉନଥିବା ଜବରଦଖଲକାରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ପାଇଁ ଯୋଜନା କରୁଛି ବିଭାଗ। ତେବେ ଦେବୋତ୍ତର ବିଭାଗର କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇ ମାମଲାକୁ ଝୁଲାଇ ରଖିବା ପାଇଁ କିଛି ଜବରଦଖଲକାରୀ ଯୋଜନା ଚଳାଇଥିବା ଜଣାପଡ଼ିଛି। ତେବେ ଠାକୁରଙ୍କ ଜମିକୁ ଜବରଦଖଲମୁକ୍ତ କରିବା ନିମନ୍ତେ ଦେବୋତ୍ତର ବିଭାଗର ଉଦ୍ୟମ କେତେ ସଫଳ ହେଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe