ମାଟ୍ରିକ୍‌ ସାର୍ଟିଫିକେଟ୍‌କୁ ୫୦୦ ଟଙ୍କା, ନବମ ନାମ ଲେଖାକୁ ୪୦୦

ମାଟ୍ରିକ୍‌ ସାର୍ଟିଫିକେଟ୍‌କୁ ୫୦୦ ଟଙ୍କା, ନବମ ନାମ ଲେଖାକୁ ୪୦୦

ntse.scertodisha.nic.in

ରାଉରକେଲା: ଶିକ୍ଷା ବିକାଶକୁ ପ୍ରାଥମିକତା ଦେଉଛନ୍ତି ସରକାର। ମାତ୍ର ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଉପାନ୍ତ ବ୍ଲକରେ ଛାତ୍ରଛାତ୍ରୀଙ୍କ ନାମ ଲେଖା, ସାର୍ଟିଫିକେଟ୍‌ ଦେବା ବାବଦରେ ଚାଲିଛି ଲୁଟ୍‌। ତାହା ପୁଣି ସ୍କୁଲର ଶିକ୍ଷକଶିକ୍ଷୟିତ୍ରୀ। ମାଟ୍ରିକ୍‌ ସାର୍ଟିଫିକେଟ୍‌ ଦେବାକୁ ୫୦୦ ଟଙ୍କା। ନବମ ଶ୍ରେଣୀରେ ନାମ ଲେଖାଇବାକୁ ୪୦୦ ଟଙ୍କା। ୫୦୦ ଟଙ୍କା ନ ଦେଲେ ମାଟ୍ରିକ୍‌ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟଫିକେଟ୍‌ ମିଳୁନି। ୪୦୦ ଟଙ୍କା ନ ଦେଲେ ନବମ ଶ୍ରେଣୀରେ ନାମ ଲେଖାକୁ ବିଭିନ୍ନ ଆଳ ଦେଖାଇ ଦାୟିତ୍ବରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ସମୟ ଗଡାଇ ଚାଲିଛନ୍ତି।

ଟଙ୍କା ନ ମିଳିବା ପର୍ଯ୍ୟନ୍ତ ସ୍କୁଲକୁ ନ ଆସିବାକୁ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଦାଗିଦ୍‌ କରାଯାଉଛି। ଏମିତି ସାଂଘାତିକ ଅଭିଯୋଗ ଆସିଛି ଲହୁଣୀପଡା ବ୍ଲକ ଅନ୍ତର୍ଗତ ଲହୁଣୀପଡା ସରକାରୀ ଉଚ୍ଚ ବିଦ୍ୟାଳୟରୁ। ଗରିବ ନିରୀହ ଆଦିବାସୀଙ୍କୁ ମଧ୍ୟ ଛାଡୁ ନାହାନ୍ତି। କିଛି ଅଭିଭାବକ ସାର୍ଟିଫିକେଟ୍‌, ନବମ ଶ୍ରେଣୀରେ ନାମ ଲେଖାଇବାକୁ ବାରମ୍ବାର ବିଦ୍ୟାଳୟକୁ ଦୌଡୁଛନ୍ତି। ଅର୍ଥ ଦେଉ ନଥିବାରୁ ଦାୟିତ୍ବରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ସେମାନଙ୍କୁ ଫେରାଇ ଦେଉଛନ୍ତି। କହୁଛନ୍ତି, ଟଙ୍କା ଆଣ  ପରେ ସାର୍ଟଫିକେଟ୍ ମିଳିବ।

ଏଭଳି ଅଭିଯୋଗ ସଂକ୍ରାନ୍ତରେ ଅଭିଭାବକମାନେ ଥରେ ନୁହେଁ ବାରମ୍ବାର ପ୍ରଧାନଶିକ୍ଷୟିତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।  ପ୍ରଧାନଶିକ୍ଷୟିତ୍ରୀ ସବୁ କିଛି ଜାଣୁଛନ୍ତି। କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଚୁପ୍‌  ରହୁଛନ୍ତି। ଫଳରେ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଭୂମିକାକୁ ନେଇ ଅଭିଭାବମାନେ ପ୍ରଶ୍ନ ଉଠାଇଛନ୍ତି। ଫଳରେ ନବମ ଶ୍ରେଣୀରେ ପଢ଼ୁଥିବା କିଛି ଛାତ୍ରଛାତ୍ରୀ ବିଦ୍ୟାଳୟରେ ପାଠ ପଢ଼ିବାକୁ ଆସି ପାରୁ ନାହାନ୍ତି।  ବିଦ୍ୟାଳୟର ଚଳିତ ଥର ୫୦ରୁ ଅଧିକ ଛାତ୍ରଛାତ୍ରୀ ନବମ ଶ୍ରେଣୀରେ ନାମ ଲେଖାଇବାକୁ ଯାଉଛନ୍ତି। ୬୨ ଛାତ୍ରଛାତ୍ରୀ ମାଟ୍ରିକ୍‌ ପାସ୍‌ କରିଛନ୍ତି।

୬୨ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୦ ଜଣ  ୫୦୦ ଟଙ୍କ ଲେଖାଏଁ ଦେଇ ସାର୍ଟିଫିକେଟ୍‌ ନେଇସାରିଛନ୍ତି। ୧୨ ଛାତ୍ରଛାତ୍ରୀ ଟଙ୍କା ଦେଇ ନଥିବାରୁ ଏଯାଏଁ ସେମାନଙ୍କୁ ମାଟ୍ରିକ୍‌ ସାର୍ଟିଫିକେଟ୍‌ ମିଳି ପାରି ନାହିଁ। ସରକାରୀ ବିଦ୍ୟାଳୟରେ ଏଭଳି ବ୍ୟବସ୍ଥାକୁ ଅଭିଭାବକ ଓ ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ନାପସନ୍ଦ କରିଛନ୍ତି। ବିଧାୟକ ଲକ୍ଷ୍ମଣ ମୁଣ୍ଡା କହିଛନ୍ତି, ଏଭଳି ଆଦୌ  ହେବା କଥା ନୁହେଁ। ଯଦି ଏଭଳି ହୋଇଥାଏ, ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବି। ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ କହିଛନ୍ତି, ଆଦୌ ଛାତ୍ରଛାତ୍ରୀଙ୍କଠାରୁ ବେଆଇନ ଭାବେ ଟଙ୍କା ଆଦାୟ କରାଯିବା କଥା ନୁହେଁ।  ତଦନ୍ତ କରି ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe