ଭୋଟ୍‌ ଅଧିକାରର ଭିନ୍ନ ପାର୍ଶ୍ବ : ଗାଁଗଣ୍ଡା ଖାଲି, ଭୋଟ ଦେ‌ବେ କିଏ?

ଗୋଟିଏ ପଞ୍ଚାୟତର ୫୦୦ ଲୋକ ଦାଦନ

ଭୋଟ୍‌ ଅଧିକାରର ଭିନ୍ନ ପାର୍ଶ୍ବ : ଗାଁଗଣ୍ଡା ଖାଲି, ଭୋଟ ଦେ‌ବେ କିଏ?

ବଲାଙ୍ଗୀର/ଦେଓଗାଁ : ଦାଦନ ଖଟିବାକୁ ଘର ଛାଡ଼ିଛନ୍ତି, ଗାଁ ଛାଡ଼ିଛନ୍ତି ଆଉ ରାଜ୍ୟ ବି ଛାଡ଼ିଛନ୍ତି। ଖାଲି ଜଣେ କି ଦି’ଜଣ ନୁହନ୍ତି, ଗାଁର ଅଧିକାଂଶ ଲୋକ ବି ପେଟପାଟଣା ପାଇଁ ବାହାର ରାଜ୍ୟକୁ ଚାଲିଯାଇଛନ୍ତି। ଏବେ ଗାଁରେ ପୂରା ଖାଁଖାଁର ରାଜୁତି। ଏମିତି ଏକ ସମୟରେ ପଞ୍ଚାୟତ ନିର୍ବାଚନ। ସରପଞ୍ଚଠାରୁ ଆରମ୍ଭ କରି ସମିତି ସଭ୍ୟ, ଜିଲ୍ଲା ପରିଷଦ ଯାଏ ପ୍ରାର୍ଥୀ ଖୋ ଚାଲିଛି। ତେବେ, ଦାଦନପ୍ରବଣ ଗାଁଗୁଡ଼ିକରେ କିଏ ଭୋଟ୍‌ ଦେବେ, ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ବହୁ ଦାଦନପ୍ରବଣ ପଞ୍ଚାୟତ ରହିଛି। ଦେଓଗାଁ ବ୍ଲକ୍‌ର ଦେଷଣ୍ଢ ହେଉଛି ସେମିତି ଗୋଟିଏ ପଞ୍ଚାୟତ। ଏହି ପଞ୍ଚାୟତରେ ରହିଛି ଦେଷଣ୍ଢ, କୁବୁରୀମହୁଲ, ବରଘାଟି, ଭାଲୁକୁନ୍ଦ, ଗମ୍ଭାରୀମାଲ ଭଳି ଜଙ୍ଗଲଘେରା ଗାଁ। ଏହି ପଞ୍ଚାୟତର ଗମ୍ଭାରୀମାଲ ଗାଁରେ ଲୋକଙ୍କ ସହ ଆଲୋଚନା କରିଥିଲେ ଆମ ପ୍ରତିନିଧି। ସରକାରୀ ଯୋଜନାରେ ଲୋକେ କିଭଳି ଲାଭବାନ ହେଉଛନ୍ତି, ସେନେଇ ସୂଚନା ଦେଇଥିଲେ ଗ୍ରାମବାସୀ। ୩ଟି ୱାର୍ଡ ବିଶିଷ୍ଟ ଏହି ଗାଁରେ ପ୍ରାୟ ୧୫ଶହ ଲୋକ ବସବାସ କରନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ହେଉଛନ୍ତି ଶ୍ରମିକ ଶ୍ରେଣୀର।

publive-image La Prensa Latina

ପଞ୍ଚାୟତରେ ୧୧୪୫ ରାସନ କାର୍ଡ଼ ମଧ୍ୟରୁ ୩୬୩ଟି କାର୍ଡ କେବଳ ଏହି ଗାଁର। ୧୨ଶହ ଲୋକଙ୍କୁ ଜବ୍‌କାର୍ଡ଼ ଦିଆଯାଇଥିଲେ ମଧ୍ୟ କାମ କରିବାକୁ ମାତ୍ର ୨୫ରୁ ୩୦ଜଣ କାମ କରୁଛନ୍ତି। ଏହା ଜଣାପଡ଼ିବା ପରେ ବାକିତକ ଶ୍ରମିକ କୁଆଡ଼େ ଗଲେ ବୋଲି ପ୍ରଶ୍ନ ହେବାରୁ ପ୍ରାୟ ୧୧୭ ପରିବାରର ୫ ଶହରୁ ଅଧିକ ଲୋକ ବିଭିନ୍ନ ରାଜ୍ୟକୁ ଦାଦନ ଖଟି ଯାଇଥିବା ଜଣାପଡ଼ିଥିଲା। ୬୦ଭାଗ ଲୋକ ଘରେ ତାଲା ଦେଇ ତାମିଲନାଡ଼ୁ, ସିକାକୁଲମ, ଆନ୍ଧ୍ରପ୍ରଦେଶ, ବିଜୟନଗରମ୍, କଟକ, ବ୍ରହ୍ମପୁର, ସିକନ୍ଦରାବାଦ୍ ସହରକୁ କାମ କରିବାକୁ ଯାଇଥିବା ଜଣାପଡ଼ିଛି। ଗମ୍ଭାରୀମାଲ ଗାଁରେ କାମ ପାଇଁ ଦେଖାଦେଇଛି ଶ୍ରମିକ ସଂକଟ। ଯେଉଁ ଶ୍ରମିକ ଘରକୁ ଗଲେ ଘରେ ଝୁଲୁଛି ତାଲା। ଦୁଆର ମୁହଁରେ ଉଇହୁଙ୍କା ହୋଇଗଲାଣି।

ଗାଁର ୬୦ଭାଗ ଲୋକ ରାଜ୍ୟ ବାହାରକୁ ଦାଦନ ଖଟି ଯାଇଥିବାରୁ ଗାଁରେ ଏଭଳି ଅବସ୍ଥା ଦେଖାଦେଇଛି। ଗାଁର ମହାଦେବ ବରିହା, ଅଲିତ ସାହୁ, ପବିତ୍ର ମଲ୍ଲିକ, ସୁଦାମ ବରିହା, ପଙ୍କଜ ମଲ୍ଲିକ, ଆନନ୍ଦ ଛତାବରା, ମହେନ୍ଦ୍ର ନାଗ, ମାଲି ଛତାବରା, ପଦ୍ମଲୋଚନ ନାଗସହ ୧୧୭ପରିବାରର ୫ଶହରୁ ଅଧିକ ଲୋକ ଦାଦନ ଖଟି ଯାଇଛନ୍ତି। ସାରାଜିଲ୍ଲାରେ ଏବେ ଏଭଳି ଅବସ୍ଥା। ବେଲପଡ଼ା, ମୁରିବାହାଲ, ପାଟଣାଗଡ଼, ବଙ୍ଗୋମୁଣ୍ଡା, ତୁରେକେଲା, ପାଟଣାଗଡ଼ ଆଦି ବ୍ଲକ୍‌ ଅଂଚଳର ଦାଦନପ୍ରବଣ ଗାଁରେ ଏଭଳି ଅନେକ ଗାଁ ଖାଲି ରହିଛି। ଏଣୁ ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ଭୋଟ କିଏ ଦେ‌େବ, ତାକୁ ନେଇ ଚାରିଆଡ଼େ ଆଲୋଚନା ସରଗରମ ରହିଛି।

ଏ ସଂପର୍କରେ ଦେଷଣ୍ଢ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ନନ୍ଦିକିଶୋର ସାହୁଙ୍କ କହିବା ହେଲା, ପଞ୍ଚାୟତରେ ଅନେକ ଉନ୍ନତିମୂଳକ କାମ ଚାଲିଛି। ଲୋକଙ୍କୁ କାମ ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି। କିନ୍ତୁ କାମ କରିବାକୁ ଲୋକ ମିଳୁନାହାନ୍ତି। ପ୍ରାୟ ୬୦ଭାଗ ଲୋକ ଦାନନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିବାରୁ କାମକୁ ନେଇ ଅଚଳାବସ୍ଥା ଦେଖାଦେଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe