୫୦୦ ବର୍ଷର କମର୍ଦ୍ଦା ଶ୍ରୀଜଗନ୍ନାଥ ମନ୍ଦିର: ଅମାବାସ୍ୟାରେ ଲାଗେ ପିଠା ଭୋଗ

Advertisment
୫୦୦ ବର୍ଷର କମର୍ଦ୍ଦା ଶ୍ରୀଜଗନ୍ନାଥ ମନ୍ଦିର: ଅମାବାସ୍ୟାରେ ଲାଗେ ପିଠା ଭୋଗ

ଜଳେଶ୍ୱର/କମର୍ଦ୍ଦା: ଶ୍ରୀଜଗନ୍ନାଥଙ୍କ ଲୀଳା ଅପୂର୍ବ। କେତେବେଳେ, କେଉଁଠି ଓ କେଉଁ ରୂପରେ ଉଭା ହେବେ; ସେକଥା ତାଙ୍କୁ ହିଁ ଜଣା। କେଉଁ ରୂପରେ ପୂଜା ପାଇବେ, କାହା ସହ ଭକ୍ତ ଗହଣକୁ ଯିବେ; ସବୁ ତାଙ୍କରି ଇଚ୍ଛା। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ କମର୍ଦ୍ଦାଠାରେ ରହିଛି ୫୦୦ ବର୍ଷର ଶ୍ରୀଜଗନ୍ନାଥ ମନ୍ଦିର। ରାୟ ମହାପାତ୍ର ଉପାଧି ପାଇଥିବା କୋଲକାତା ବାଲି ଉତ୍ତରପଡ଼ାର ଠାକୁର ଦାସ ଘୋଷାଲ କମର୍ଦ୍ଦା ପ୍ରଗଣାର ଦାୟିତ୍ୱରେ ଥିଲେ। କୁହାଯାଏ; ତାଙ୍କ ପୁଅ ଜଗନ୍ନାଥ ରାୟ ମହାପାତ୍ର ଏହି ମନ୍ଦିର ପ୍ରତିଷ୍ଠା କରାଇଥିଲେ। ମନ୍ଦିରକୁ ଲାଗି ବାସୁଦେବ ଓ ରାଧାକୃଷ୍ଣଙ୍କ ମନ୍ଦିର ତିଆରି ହୋଇଥିଲା। ସେହିପରି ନିକଟରେ ଭଗବତୀ ମନ୍ଦିର, ଶ୍ରୀ ଗୁଣ୍ଡିଚା ମନ୍ଦିର, ଦ୍ବାଦଶ ଶିବାଳୟ ଓ ଇଶାଣେଶ୍ବର ମହାଦେବ ମନ୍ଦିର ରହିଛି। ପଶ୍ଚିମବଙ୍ଗରୁ ପୁରୀକୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଉଥିବା ଭକ୍ତମାନେ କମର୍ଦ୍ଦାଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଯାଆନ୍ତି। ଶ୍ରୀଜଗନ୍ନାଥଙ୍କ ସେବାପୂଜା ପାଇଁ ଜଗନ୍ନାଥ ରାୟ ମହାପାତ୍ର ଅଚଳାଚଳ ସମ୍ପତ୍ତି ଖଞ୍ଜି ଦେଇଥିଲେ। ବର୍ତ୍ତମାନ ଆଉ ଜମିଦାରୀ ପ୍ରଥା ନାହିଁ।

ମନ୍ଦିର ପରିଚାଳନା ଦାୟିତ୍ୱ ଟ୍ରଷ୍ଟ ବୋର୍ଡ ହାତରେ ରହିଛି। ତେବେ ବିଡ଼ମ୍ବନାର କଥା; ଶ୍ରୀଜଗନ୍ନାଥଙ୍କ ମନ୍ଦିର ସହ ପାଖରେ ଥିବା ଅନ୍ୟ ୮ଟି ପାର୍ଶ୍ବ ମନ୍ଦିର ୭୦ ଦଶକରୁ ଧ୍ବଂସ ପାଇଯାଇଛି। ଏବେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସହ ବନବିହାରୀ, ବାସୁଦେବ ଓ ରାଧାକୃଷ୍ଣ ଠାକୁର ଅସ୍ଥାୟୀ ମନ୍ଦିରରେ ପୂଜା ପାଉଛନ୍ତି। ତଥାପି ଶ୍ରୀଜିଉମାନଙ୍କର ସେବା ପୂଜା ଯେମିତି ଚାଲିଥିଲା ସେମିତି ଚାଲିଛି। ପ୍ରତିଦିନ ସକାଳେ ଦ୍ବାର ଫିଟା ନୀତି ସହ ପୂଜାର୍ଚ୍ଚନା ଓ ବାଲି ଭୋଗ ଲାଗିହେଉଛି। ମଧ୍ୟାହ୍ନରେ ନଅ ତିଅଣ ସହ ଅନ୍ନ ପ୍ରସାଦ ଲାଗୁଛି। ସନ୍ଧ୍ୟାରେ ଆଳତି କରାଯିବା ସହ ବାଲି ଭୋଗ ଏବଂ ରାତିରେ ଆଳତି ଓ କୀର୍ତ୍ତନ କରାଯିବା ସହ ସ୍ବତନ୍ତ୍ର ଭୋଗ ଲଗାଯାଉଛି। କମର୍ଦ୍ଦା ଶ୍ରୀଜଗନ୍ନାଥ ମନ୍ଦିରର ବିଶେଷତ୍ୱ ହେଉଛି; ରଥଯାତ୍ରା ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପରି ବନବିହାରୀ ଠାକୁରଙ୍କର ମଧ୍ୟ ଏକ ସ୍ବତନ୍ତ୍ର ରଥ ଟଣାଯାଇଥାଏ। ସେହିପରି ଅନ୍ୟ ଏକ ବିଶେଷତ୍ୱ; ଚିତଉ ଅମାବାସ୍ୟା, ସାତପୁରୀ ଅମାବାସ୍ୟା ଓ ସାବିତ୍ରୀ ଅମାବାସ୍ୟାରେ ଚିତଉ ଓ ସାତପୁରୀ ପିଠା ସହ ଅନ୍ୟାନ୍ୟ ପିଠା ଭୋଗ ଲଗାଯାଏ। ବର୍ଷର ୩ ମାସ; କାର୍ତ୍ତିକ, ମାର୍ଗଶିର ଓ ବୈଶାଖରେ ମଙ୍ଗଳ ଆଳତି ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe