୫୦ ହଜାର କଳାକାର ପାଇବେ ମାସିକ ଭତ୍ତା

Advertisment

ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’

ଆରମ୍ଭ ହେଲା ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’

୫୦ ହଜାର କଳାକାର ପାଇବେ ମାସିକ ଭତ୍ତା

ଭୁବନେଶ୍ୱର : ରାଜ୍ୟର କଳା, ସଂସ୍କୃତିର ପ୍ରଚାର ଓ ପ୍ରସାର ଦିଗରେ କାର୍ଯ୍ୟରତ ୫୦ ହଜାର କଳାକାରଙ୍କୁ ମିଳିବ ସରକାରୀ ସହାୟତା। ଏଥି ପାଇଁ ଆରମ୍ଭ ହୋଇଛି ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’। ଏହି ଯୋଜନାରେ କଳାକାରଙ୍କୁ ମାସିକ ୧୨୦୦ ଟଙ୍କା ଭତ୍ତା ମିଳିବ। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ଘୋଷଣା କରିଛନ୍ତି।

ବର୍ତ୍ତମାନ ରାଜ୍ୟରେ ୪୦୦୦ କଳାକାର ଭତ୍ତା ପାଉଛନ୍ତି। ନୂଆ ଯୋଜନା ଲାଗୁ ହେବା ଦ୍ୱାରା ଅଧିକ କଳାକାର ଭତ୍ତା ପାଇପାରିବେ। ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଏହି ସହାୟତା ପାଇଁ ଆବେଦନ ନିୟମାବଳୀରେ ପରିବର୍ତ୍ତନ କରାଯାଇଛି। ସହାୟତା ମଞ୍ଜୁରୀର ବିକେନ୍ଦ୍ରୀକରଣ କରାଯାଇ ଜିଲ୍ଲା ପ୍ରଶାସନକୁ ମଞ୍ଜୁରୀ କ୍ଷମତା ଦିଆଯାଇଛି। ଏହା ଦ୍ୱାରା କଳାକାରମାନଙ୍କ ଚିହ୍ନଟ ପ୍ରକ୍ରିୟା ସହଜ ହେବା ସହ ପ୍ରତି ଜିଲ୍ଲାରୁ କଳାକାରମାନଙ୍କ ପ୍ରତିନିଧିତ୍ୱ ମଧ୍ୟ ବଢ଼ିପାରିବ। ଏହି ସହାୟତା ପାଇଁ ପୂର୍ବରୁ ପୁରୁଷ କଳାକାରଙ୍କ ବୟସ ୬୦ ଓ ମହିଳା କଳାକାରଙ୍କ ବୟସ ୫୦ ବର୍ଷ ଥିଲା ବେଳେ ଏବେ ଏହାକୁ ହ୍ରାସ କରାଯାଇ ଯଥାକ୍ରମେ ୫୦ ଓ ୪୦ ବର୍ଷ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଥିଲେ, ଆମର କଳାକାରମାନେ ସେମାନଙ୍କ ଦକ୍ଷତା ଯୋଗୁଁ ଦେଶ ତଥା ରାଜ୍ୟର ଗୌରବ ବଢ଼ାଇଛନ୍ତି। ରାଜ୍ୟର କଳା ଓ ସଂସ୍କୃତିର ସୁରକ୍ଷା ପାଇଁ ଏହା ଏକ ଐତିହାସିକ ପଦକ୍ଷେପ।

ପୁରୀରେ ହୋଇଥିବା କ୍ୟାବିନେଟ୍‌ରେ ଗୃହୀତ ନିଷ୍ପତ୍ତିଗୁଡ଼ିର କାର୍ଯ୍ୟକାରିତା ନେଇ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ। ଏହାକୁ କାର୍ଯ୍ୟକାରୀ କରିବାର ଦାୟିତ୍ୱରେ ଥିବା ସଂପୃକ୍ତ ସମସ୍ତ ବିଭାଗକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏ ସମ୍ପର୍କରେ ସୂଚନା ଦେଇ ସଂସ୍କୃତି ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ, ଖୁବ୍‌ ଶୀଘ୍ର ସଂସ୍କୃତି ବିଭାଗର ନାମ ପରିବର୍ତ୍ତନ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ଜାରି କରିବ। ଐତିହ୍ୟ କ୍ୟାବିନେଟ୍‌ର ରୂପରେଖ ପ୍ରସ୍ତୁତ ଚାଲିଛି। ସବୁ ବ୍ୟବସାୟିକ ଅନୁଷ୍ଠାନ ଓଡ଼ିଆରେ ନାମଫଳକ ଲେଖିବା ପାଇଁ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ଆବଶ୍ୟକ ପଦକ୍ଷେପ ନେବ। ରଥଯାତ୍ରା ସମୟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କରିବା ପାଇଁ ପ୍ରସ୍ତୁତି କରାଯାଉଛି। ଏଥି ପାଇଁ ୨ କୋଟି ଟଙ୍କା ମଞ୍ଜୁରୀ ହୋଇଛି। ସେହିପରି ରାଜ୍ୟ ଓ ଜିଲ୍ଲା ସ୍ତରରେ ପୁସ୍ତକ ମେଳା ଆୟୋଜନ ପାଇଁ ୩ କୋଟି ଟଙ୍କା ବରାଦ କରାଯାଇଛି। ସବୁ ଜିଲ୍ଲାରେ ସର୍ବସାଧାରଣ ପାଠାଗାର ନିର୍ମାଣ ପାଇଁ ୨ କୋଟି ଟଙ୍କା ମଞ୍ଜୁରୀ ହୋଇଛି। ୧୭ଟି ଜିଲ୍ଲାର ସଂସ୍କୃତି ବିଭାଗର ପାଠାଗାର ରହିଛି। ଆଉ ୧୩ଟି ଜିଲ୍ଲାରେ ପାଠାଗାର ନିର୍ମାଣ ହେବ। ପରବର୍ତ୍ତୀ ସମୟରେ ଏହାକୁ ସ୍ମାର୍ଟ ଲାଇବ୍ରେରିରେ ପରିଣତ କରାଯିବ। ପ୍ରସ୍ତାବିତ ଭାଷା ଆୟୋଗ ପାଇଁ ୧ କୋଟି ଟଙ୍କା ମଞ୍ଜୁରୀ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe