କଳିଙ୍ଗନଗର ଶିଳ୍ପାଞ୍ଚଳରେ ମାତିଛନ୍ତି ମାଫିଆ: ୫୦୭ ଏକର ସରକାରୀ ଜମି ଜବରଦଖଲରେ

ପ୍ରଭାବଶାଳୀଙ୍କ କବ୍‌ଜାରେ ମୂଲ୍ୟବାନ ଭୂସମ୍ପତ୍ତି, ବେଆଇନ୍ କୋଠାବାଡ଼ି ବଢ଼ିଚାଲିଛି

କଳିଙ୍ଗନଗର ଶିଳ୍ପାଞ୍ଚଳରେ ମାତିଛନ୍ତି ମାଫିଆ: ୫୦୭ ଏକର ସରକାରୀ ଜମି ଜବରଦଖଲରେ

Priyanka Borpujari

ଦାନଗଦୀ : ଇସ୍ପାତ ରାଜଧାନୀ କଳିଙ୍ଗନଗର ଶିଳ୍ପାଞ୍ଚଳରେ ମାତିଛନ୍ତି ଜମି ମାଫିଆ। ଦାନଗଦୀ ତହସିଲ ଅଞ୍ଚଳର ମୂଲ୍ୟବାନ ସରକାରୀ ଜମିକୁ ଜବରଦଖଲ କରୁଛନ୍ତି। ଜଙ୍ଗଲ ଓ ରାଜସ୍ବ ବିଭାଗ ଅଧୀନସ୍ଥ ଜମି ଜବରଦଖଲ କରି ଘର ନିର୍ମାଣ ସହିତ ଅଣଓଡ଼ିଆଙ୍କୁ ବିକ୍ରି କରି ଚାଲିଛନ୍ତି। ବର୍ତ୍ତମାନ ଏହି ଅଞ୍ଚଳରେ ବେଆଇନ ନିର୍ମାଣ ବଢ଼ିବାରେ ଲାଗିଛି।

ସରକାରୀ ତଥ୍ୟ ଅନୁସନ୍ଧାନ ସହ ସାବକ ଓ ହାଲ୍ ଖାତା ନିରୀକ୍ଷଣରୁ ସରକାରୀ ଜମି ହଡ଼ପର ସାଂଘାତିକ ଚିତ୍ର ପଦାକୁ ଆସିଛି। ସରକାରୀ ରେକର୍ଡ ମୁତାବକ ମୋଟ ୫୦୭ଏକର ସରକାରୀ ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଏହି ଜମି ମଧ୍ୟରୁ ୧୭୦ ଏକର ୪୦ ଡିସିମିଲ୍ ଅନାବାଦୀ କିସମ, ୩୭୬ ଏକର ୯୨ ଡିସିମିଲ୍ ଜମି ଗୋଚର ଓ ୬୦ ଏକର ଜମି ଜଙ୍ଗଲ କିସମ ଜମି। ଜବରଦଖଲ ଜମିରେ ଦୁଇରୁ ତିନି ମହଲା କୋଠା ଓ ଦୋକାନ ଘର ନିର୍ମାଣ ହୋଇଛି। କେତେକ ସରକାରୀ ଜମିକୁ ଅନ୍ୟମାନଙ୍କୁ ବିକ୍ରି ମଧ୍ୟ କରିଛନ୍ତି।

୨୦୧୮ ସୁଦ୍ଧା ତହସିଲ ପକ୍ଷରୁ ମୋଟ ୯୩ ଜଣ ଜବରଦଖଲକାରୀଙ୍କୁ ଉଚ୍ଛେଦ ନୋଟିସ୍ ଜାରି ହୋଇଥିଲା। ନୋଟିସ୍ ଲାଗିଥିବା ଏହି ସଂଖ୍ୟା ବର୍ତ୍ତମାନ ବହୁ ଗୁଣ ବୃଦ୍ଧି ପାଇଛି। ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ ପଦ​କ୍ଷେପ ନେଉନଥିବାରୁ ନୋଟିସ୍ ପରେ ବି ଘର ଉପରେ ଘର ନିର୍ମାଣ ଚାଲିଛି। ଧୂଳିଗଡ଼ ପଞ୍ଚାୟତ ଅନ୍ତର୍ଗତ ସିଙ୍ଗାଡ଼ିଆ ଗାଁ ଭିତରେ ବେଆଇନ ଘର ନିର୍ମାଣ ବଢ଼ିବାରେ ଲାଗିଛି। ଖାତା ନମ୍ବର ୮୯ ଓ ପ୍ଲଟ ନମ୍ବର ୪୮ରେ ଥିବା ବହୁ ଅନାବାଦୀ ଜଙ୍ଗଲ ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅଣଓଡ଼ିଆ ଠିକାଦାର ଓ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କିଛି ଜମି ଦଲାଲ ଏହାର ସୁଯୋଗରେ ସରକାରୀ ଜମି ବିକ୍ରି କରୁଛନ୍ତି।

କିଛି ମାସ ତଳେ ତହସିଲ ପକ୍ଷରୁ ସିଙ୍ଗାଡିଆ ବଜାରରେ ସରକାରୀ ଜମିରେ ନିର୍ମାଣ ହୋଇଥିବା ଏକ ବ୍ୟବସାୟିକ ପ୍ରତିଷ୍ଠାନ ଭଙ୍ଗାଯାଇଥିଲା। ପ୍ରାୟ ୫ ହଜାର ବର୍ଗଫୁଟ ସରକାରୀ ଜମିରେ ଆବାସିକ ଘର ଓ ଦୋକାନ ଘର ନିର୍ମାଣ ହୋଇଥିଲା। ତହସିଲ ପକ୍ଷରୁ ଦୋକାନ ଘରଗୁଡିକୁ ଉଚ୍ଛେଦ କରାଯାଇଥିଲା। ଜବରଦଖଲକାରୀଙ୍କ କାୟାବିସ୍ତାର ଯୋଗୁଁ କୌଣସି ସରକାରୀ କାର୍ଯ୍ୟାଳୟଟିଏ ଜମି ଖୋଜିଲେ ମିଳୁନାହିଁ। ଖୋଦ୍ ଦାନଗଦୀ ମୁଖ୍ୟାଳୟର ତ୍ରିଜଙ୍ଗା ମୌଜାରେ ୨ ହଜାର ଏକରରୁ ଅଧିକ ସରକାରୀ ଜମି ଜବରଦଖଲକାରୀଙ୍କ କବଜାରେ ରହିଥିବା ଅସମିର୍ଥିତ ସୂତ୍ରରୁ ପ୍ରକାଶ। ସାବକ ଖାତା ମୁତାବକ ୧୯୯୧ ମସିହା ବନ୍ଦୋବସ୍ତରେ ସାମିଲ୍ ଥିବା ଅସାଧୁ କର୍ମଚାରୀଙ୍କୁ ହାତକରି କେତେକ ପ୍ରଭାବଶାଳୀ ଲୋକ ବେଆଇନ୍ ଭାବରେ ଜମିର ପଟ୍ଟା କରି ନେବାରେ ସକ୍ଷମ ହୋଇଛନ୍ତି। ଅନ୍ୟ କେତେକ ଜମିକୁ ଲୋକେ ଜବରଦଖଲ କରିଛନ୍ତି।

ଜବରଦଖଲ ସଂପର୍କରେ ଦାନଗଦୀ ତହସିଲଦାର ନାରାୟଣ ଚନ୍ଦ୍ର ଦୀକ୍ଷିତ କହିଛନ୍ତି ଯେ ଯେଉଁମାନେ ବେଆଇନ ଭାବେ ସରକାରୀ ଜମିରେ ଘର କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେମାନଙ୍କୁ ନୋଟିସ କରାଯାଇ ଘର ଉଚ୍ଛେଦ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe