ଟ୍ରେଡିଂ ଆପ୍‌ରେ ଠକ ଲୁଟିଲେ ୫୨ ଲକ୍ଷ

ଅଧିକ ଲାଭ ଆଶାରେ ଟ୍ରେଡିଂ ଆପ୍‌ରେ ଟଙ୍କା ଲଗାଇ ଫସିଛନ୍ତି ଅନୁଗୁଳର ଜଣେ ବ୍ୟବସାୟୀ। ସାଇବର ଠକମାନେ ତାଙ୍କ ପାଖରୁ ୫୨ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଠକାମିର ଶିକାର ହୋଇଥିବା ବ୍ୟବସାୟୀ ଅନୁଗୁଳ ସାଇବର ଥାନାରେ....

money

ଅନୁଗୁଳ: ‌ଅଧିକ ଲାଭ ଆଶାରେ ଟ୍ରେଡିଂ ଆପ୍‌ରେ ଟଙ୍କା ଲଗାଇ ଫସିଛନ୍ତି ଅନୁଗୁଳର ଜଣେ ବ୍ୟବସାୟୀ। ସାଇବର ଠକମାନେ ତାଙ୍କ ପାଖରୁ ୫୨ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଠକାମିର ଶିକାର ହୋଇଥିବା ବ୍ୟବସାୟୀ ଅନୁଗୁଳ ସାଇବର ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ଛାନ୍‌ଭିନ୍‌ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ଅନୁଗୁଳ ସହରର ଗାନ୍ଧୀମାର୍ଗ ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ଗତ ମାସରେ ସାମାଜିକ ଗଣମାଧ୍ୟମରେ ବିଶାଖା ଅଗ୍ରୱାଲ ନାମକ ଜଣେ ମହିଳାଙ୍କ ସଂପର୍କରେ ଆସିଥିଲେ। ପରେ ମହିଳା ଓ ତାଙ୍କ ମା’ ଏହି ବ୍ୟକ୍ତିଙ୍କୁ ଟ୍ରେଡିଂ ଆପ୍‌ରେ ଟଙ୍କା ଲଗାଇବାକୁ ପରାମର୍ଶ ଦେଇଥିଲେ। ଅଧିକ ଲାଭ ମିଳିବ ବୋଲି ଲୋଭ ଦେଖାଇଥିଲେ।

ଫଳରେ ଆର୍‌ଟିଜିଏସ୍‌ ଜରିଆରେ ଗତ ଜୁଲାଇ ୨୯ ତାରିଖରେ ୧ ଲକ୍ଷ ଟଙ୍କା ନିବେଶ କରିଥିଲେ। ପରେ ୩୦ ତାରିଖରେ ତାଙ୍କ ବ୍ୟାଙ୍କ ଖାତାକୁ ୯,୯୦୦ ଟଙ୍କା ଆସିଥିଲା। ଏହା ପରେ ପର୍ଯ୍ୟାୟକ୍ରମେ ସେ ଏହି ଟ୍ରେଡିଂ ଆପ୍‌ରେ ୩୦ ଲକ୍ଷ ୮୦ ହଜାର ଟଙ୍କା ଜମା କରିଥିଲେ। କିନ୍ତୁ ଯେତେବେଳେ ସେ ଟଙ୍କା ଉଠାଇବାକୁ ଚାହିଁଲେ, ତାଙ୍କୁ ୟୁଜର୍ସ ଫି ପାଇଁ ଆଉ ୨୧ ଲକ୍ଷ ୪୬ ହଜାର ଟଙ୍କା ଦେବାକୁ କୁହାଯାଇଥିଲା। ତେଣୁ ବାଧ୍ୟ ହୋଇ ସେ ଟଙ୍କା ଜମା କରିଥିଲେ। ଏହା ପରେ ମଧ୍ୟ ତାଙ୍କୁ ମୂଳ ଟଙ୍କା ଉଠାଇବାରେ ସମସ୍ୟା ହୋଇଥିଲା। ଆୟକର ବାବଦରେ ଆଉ ୨୯ ଲକ୍ଷ ଟଙ୍କା ଜମା କରିବାକୁ ଏକ ଚିଠି ଆସିଥିଲା। କିନ୍ତୁ ଏହି ଆୟକର ନୋଟିସ୍‌ ନକଲି ବୋଲି ସେ ସନ୍ଦେହ କରିଥିଲେ। କାରଣ ଏଥିରେ ତାରିଖ କିମ୍ବା ପଞ୍ଜୀକରଣ ନମ୍ବର ନ ଥିଲା। ତେଣୁ ସେ ସାଇବର ଠକଙ୍କ ହାବୁଡ଼ରେ ପଡ଼ିଥିବା ଜାଣିବାକୁ ପାଇଥିଲେ। ଏ ନେଇ ସେ ଅନୁଗୁଳ ସାଇବର ଥାନାରେ ଏତଲା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe